ଢ଼ାକା: ସୋମବାର ବାଂଲାଦେଶ ସେନା ଦେଶର ଶାସନ କ୍ଷମତା ଭାର ନିଜ ହାତକୁ ନେଇଛି । ଏଥିସହ ଦେଶରେ ସେନା ସରକାର ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେବା ଓ ଦେଶ ଛାଡି ପଳାଇଯିବା ଘଟଣା ମଧ୍ୟରେ ବାଂଲାଦେଶ ସେନା ସ୍ଥିତି ନିୟନ୍ତ୍ରଣ କରିବାକୁ ଆଗେଇ ଆସିଛି । ଶାସନ ଭାର ଗ୍ରହଣ ସହ ସେନା ପ୍ରମୁଖ ଜେନେରାଲ ୱାକର-ଉଜ୍-ଜମାନ ଆଜି ସବୁ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଥିବା ସୂଚନା ମିଳିଛି । ସେହିପରି ଦେଶରେ ହିଂସାକାଣ୍ଡ ତୁରନ୍ତ ବନ୍ଦ କରିବାକୁ ମଧ୍ୟ ସେନା ପ୍ରମୁଖ ଦେଶକୁ ସମ୍ବୋଧିତ କରିବା ଆଳରେ ଯୁବବର୍ଗଙ୍କୁ ଅପିଲ କରିଛନ୍ତି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେଇଥିବା ସ୍ପଷ୍ଟ କରିବା ସହ ଏବେ ଠାରୁ ସେନା ଦେଶର ଶାସନ ଭାର ଗ୍ରହଣ କରୁଛି ବୋଲି ଘୋଷଣା କରିଛନ୍ତି । ଆଗାମୀ ଦିନରେ ସ୍ଥିରତା ଫେରାଇ ଆଣିବା ପାଇଁ ପ୍ରତିବାଦକାରୀଙ୍କ ସହ ଆଲୋଚନା କରାଯିବ ଏବଂ ନିୟମ ମୁତାବକ ସେମାନଙ୍କ ଦାବିକୁ ଗ୍ରହଣ କରାଯିବ ବୋଲି ସେନା ଜେନେରାଲ୍ ୱାକର ଉଜ୍ ଜମାନ୍ ପ୍ରତିଶ୍ରୁତି ଦେଇଛନ୍ତି । ସାଧାରଣ ଜନତାଙ୍କ ଉପରକୁ ଗୁଳି ନଚଳାଇବାକୁ ସେ ଯବାନ ଓ ପୁଲସଙ୍କୁ ସତର୍କ କରାଇଛନ୍ତି । ବାଲାଂଦେଶରେ ଏହା ପ୍ରଥମ ସେନା ସରକାର ନୁହେଁ । ୧୯୭୦ରୁ ୧୯୮୦ ଯାଏ ଦେଶରେ ସେନା ଶାସନ କ୍ଷମତାରେ ଥିଲା ।
ଅନ୍ୟପକ୍ଷରେ ଆଜି ଢାକା ପ୍ୟାଲେସ୍ (ପ୍ରଧାନମନ୍ତ୍ରୀଙ୍କ ବାସଭବନ)କୁ ବିକ୍ଷୋଭକାରୀ ଯୁବବର୍ଗ କବ୍ଜା କରିନେଇଛନ୍ତି । ପ୍ୟାଲେସରେ ପ୍ରବେଶ ସହ ସେଠାରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଥିବା ଜଣାପଡିଛି । ସାମ୍ନାକୁ ଆସିଥିବା ଭିଡିଓ ଓ ଫଟୋରେ କିଛି ପ୍ରତିବାଦକାରୀ ସେଠାରେ ଆଡ୍ଡା ଜମାଇଥିବା, ନୌକାବିହାର କରୁଥିବା, ଆସବାବପତ୍ର ନେଇ ପଳାୟନ କରୁଥିବା ସ୍ପଷ୍ଟ ରୂପେ ଦେଖିବାକୁ ମିଳିଛି । ସେହିପରି ବାଂଲାଦେଶ ସଂସ୍ଥାପକ ଶେଖ ମୁଜିବୁର ରେହମାନ୍ଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ପ୍ରତିବାଦକାରୀମାନେ ଭଙ୍ଗାରୁଜା କରିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶ ସେନା ପକ୍ଷରୁ ଦେଶରେ ୬ ଘଣ୍ଟା ପାଇଁ ବିମାନ ସେବାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏ ଢାକା ଏୟାରପୋର୍ଟରୁ କୌଣସି ବିମାନ ଚଳାଚଳ କରିପାରିବ ନାହିଁ ବୋଲି ସେନା ସ୍ପଷ୍ଟ କରିଛି । ସେହିପରି ଦେଶବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ଯାଏ କର୍ଫ୍ୟୁ ଲାଗୁ କରାଯିବା ସହ ହାଇସ୍ପିଡ୍ ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ ରଖାଯାଇଛି । ତଥାପି ହଜାର ହଜାର ବିକ୍ଷୋଭକାରୀ ଦୀର୍ଘ ପଦଯାତ୍ରା ପାଇଁ ଢାକାସ୍ଥିତ ଶାହାବାଗ ଛକ ନିକଟରେ ଏକାଠି ହୋଇଥିବା ସୂଚନା ମିଳିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସେନା ଏବେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ।
ବାଂଲାଦେଶରେ ସୃଷ୍ଟି ହୋଇଥିବା ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ୭୭ ବର୍ଷୀୟ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଶେଷରେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ୪ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶେଖ ହସିନା ସେନା ପକ୍ଷରୁ ଦିଆଯାଇଥିବା ଚେତାବନୀଜନିତ ଚାପରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି କୁହାଯାଉଛି । ସେନା ପକ୍ଷରୁ ତାଙ୍କୁ ଆଜି ଇସ୍ତଫା ଦେବା ପାଇଁ ମାତ୍ର ୪୫ ମିନିଟ୍ ସମୟ ଅଲ୍ଟିମେଟମ୍ ଦେଇଥିଲା । ଏହି ସମୟ ମଧ୍ୟରେ ହସିନା ନିଜ ପଦରୁ ଇସ୍ତଫା ଦେବା ସହ ସାନ ଭଉଣୀ ଶେଖ୍ ରିହାନାଙ୍କ ସହ ଦେଶ ଛାଡି ବାଂଲାଦେଶ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତର ହିଣ୍ଡନ୍ ଏୟାରବେସ୍ରେ ପହଞ୍ôଚଥିବା ସୂଚନା ମିଳିଛି । ହସିନା ଏବଂ ତାଙ୍କ ଭଉଣୀ କିଛି ଦିନ ପରେ ଲଣ୍ଡନରେ ରାଜନୈତିକ ଆଶ୍ରୟ ନେବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ହସିନାଙ୍କୁ ଆଜି ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ୍ ଡୋଭାଲ ଭେଟିଛନ୍ତି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ବାଂଲାଦେଶରେ ଏପ୍ରକାର ସ୍ଥିତି ଉତ୍ପନ୍ନ ହେବା ପରେ ପରେ ଭାରତ ପକ୍ଷରୁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଯବାନ୍ଙ୍କୁ ହାଇଆଲର୍ଟରେ ରଖାଯାଇଛି । ଭାରତ ଓ ବାଂଲାଦେଶ ମଧ୍ୟରେ ୪୦୯୬ କିମି ସୀମା ଭାଗ ରହିଥିବା ବେଳେ ଏସବୁ ଅଞ୍ଚଳରେ ନିୟୋଜିତ ଥିବା ବିଏସଏଫ୍ ଯବାନଙ୍କ ସମସ୍ତ ୟୁନିଟ୍କୁ ସତର୍କ ରହିବାକୁ କୁହାଯାଇଛି । ବାଂଲାଦେଶରେ ଏପ୍ରକାର ସ୍ଥିତି କାରଣରୁ ଲକ୍ଷଲକ୍ଷ ସଂଖ୍ୟକ ବାଂଲାଦେଶୀ ଏବେ ଭାରତରେ ପ୍ରବେଶ କରିବାର ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ରୋକିବା ଦିଗରେ ବିଏସଏଫ୍କୁ ଆଲର୍ଟ କରାଯାଇଛି । ସେହିପରି କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର, ବାଂଲାଦେଶ ସ୍ଥିତି ସମ୍ପର୍କରେ ନଜର ରଖିଥିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା କ୍ୟାବିନେଟ୍କୁ ଏନେଇ ଅପଡେଟ୍ ଦେଉଥିବା ଜଣାପଡିଛି । ଏପଟେ ଭାରତ ସରକାର ମଧ୍ୟ ସ୍ଥିତି ସମ୍ପର୍କରେ ନିୟମିତ ଭାବେ ବୈଠକ କରୁଥିବା କୁହାଯାଉଛି । ଏସବୁ ମଧ୍ୟରେ ବାଂଲାଦେଶରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁୂ ପରାମର୍ଶ ଦିଆଯାଇଛି । ସେଠାରେ ଥିବା ଭାରତୀୟ ଆସିଷ୍ଟାଣ୍ଟ ହାଇ କମିଶନର ଏନେଇ ଏକ ଏକ୍ସ ପୋଷ୍ଟ ଯୋଗେ ଭାରତୀୟ ନାଗରିକ ଏବଂ ଛାତ୍ରମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ନିୟମିତ ଅନ୍ତରାଳେ ଦୂତାବାସ ସହ ଯୋଗାଯୋଗରେ ରହିବା ସହ ଜରୁରୀ ପରିସ୍ଥିତିରେ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି । ଭାରତରୁ ଢାକାକୁ ସମସ୍ତ ବିମାନ ଚଳାଚଳ ବାତିଲ କରିଦିଆଯାଇଛି । ଏପରିକି ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ରହିଛି । ସୀମାନେ ବାଂଲାଦେଶରୁ ଅନୁପ୍ରବେଶକାରୀମାନେ ଯେପରି ଭାତର ମଧ୍ୟରେ ପ୍ରବେଶ ନକରନ୍ତି ସେଥିପାଇଁ ବିଏସ୍ଏଫ ଯବାନଙ୍କୁ ସଜାଗ ରଖାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଏ ସଂପର୍କରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ।