ଇସ୍ରାଏଲ : ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଅଶାନ୍ତ ହେବାରେ ଲାଗିଛି । ହମାସ ଏବଂ ହିଜବୁଲ ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ପରେ ଇରାନ ଏବଂ ଏହାର ସମର୍ôଥତ ଗୋଷ୍ଠୀ ଇସ୍ରାଏଲ ଉପରେ ଡାଇରେକ୍ଟ ଆଟାକ୍ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲେବାନନ ଏବଂ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ସତର୍କ କରାଇଛି ଦୂତାବାସ । ଭାରତୀୟ ଦୂତାବାସ ଇସ୍ରାଏଲରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ କହିବା ସହ ସ୍ଥାନୀୟ ପ୍ରଶାସନ ଜାରି କରିଥିବା ସୁରକ୍ଷା ପ୍ରୋଟୋକଲକୁ ପାଳନ କରିବା ପାଇଁ ପରାମର୍ଶ ଦେଇଛି । ସେହିପରି ଲେବାନନର ରାଜଧାନୀ ବେରୁଟରେ ଥିବା ଭାରତୀୟ ଦୂତାବାସ, ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ ପଶ୍ଚିମ ଏସିଆ ଦେଶକୁ ନ ଯିବାକୁ କୁହାଯାଉଛି । ସେହିପରି ଭାରତୀୟଙ୍କୁ ମଧ୍ୟ ଲେବାନନ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି ।
ଏପଟେ ଏୟାର ଇଣ୍ଡିଆ ଇସ୍ରାଏଲର ତେଲ୍ ଆଭିଭକୁ ବିମାନ ଚଳାଚଳ ସ୍ଥଗିତ ରଖିଛି । ଅଗଷ୍ଟ ୮ ପର୍ଯ୍ୟନ୍ତ ତେଲ୍ ଆଭିଭକୁ ଏୟାର ଇଣ୍ଡିଆର କୌଣସି ବିମାନ ଉଡ଼ିବ ନାହିଁ । ମଧ୍ୟପ୍ରାଚ୍ୟରେ ଏହି ବିବାଦ ହମାସ ଏବଂ ହିଜବୁଲର ସର୍ବୋଚ୍ଚ ନେତାଙ୍କ ହତ୍ୟା ପରେ ସୃଷ୍ଟି ହୋଇଛି । ହିଜବୁଲର ସର୍ବୋଚ୍ଚ ନେତା ଫୁଆଦ ଶୁକରଙ୍କୁ ଲେବାନନରେ ଏୟାର ଷ୍ଟ୍ରାଇକ କରି ହତ୍ୟା କରିଥିଲା ଇସ୍ରାଏଲ । ଏହାର କିଛି ଘଣ୍ଟା ପରେ ହମାସର ସର୍ବୋଚ୍ଚ ନେତା ଇସମାଇନ ହାନିୟାଙ୍କୁ ହତ୍ୟା କରା ଯାଇଥିଲା । ହାନିୟା ଇରାନର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଉତ୍ସୋବରେ ଯୋଗଦେଇ ଫେରିବା ପରେ ଇରାନ ରାଜଧାନୀ ତେହରନରେ ହିଁ ତାଙ୍କୁ ହତ୍ୟା କରାଯାଇଥିଲା । କିନ୍ତୁ ଏଥିପାଇଁ ଇସ୍ରାଏଲ ନିଜକୁ ଦାୟୀ କରିନଥିଲେ ମଧ୍ୟ ଇରାନ ଏବଂ ଏହାର ସମର୍ôଥତ ସଂଗଠନଗୁଡିକ ସିଧା ସଳଖ ଇସ୍ରାଏଲ ଉପରେ ଦୋଷ ଲଦିଛନ୍ତି । କିନ୍ତୁ ଇସ୍ରାଏଲ ଏହାକୁ ଖଣ୍ଡନ କରିନାହିଁ ।