ହାଇଦ୍ରାବାଦ: ଚାକିରି ପାଇବାର ଖୁସି ପାଳନ କରିବାକୁ ଆସି ଦୁଷ୍କର୍ମ କଲା ପିଲା ଦିନର ସାଙ୍ଗ । ହାଇଦ୍ରାବାଦରେ ଘଟିଛି ଏଭଳି ଘଟଣା । ପୀଡ଼ିତା ଚାକିରି ପାଇଥିବା ଖୁସିରେ ନିଜ ପିଲାଦିନର ସାଙ୍ଗକୁ ପାର୍ଟି କରିବାକୁ ଡାକିଥିଲେ । ହେଲେ ତାଙ୍କ ସହ ଏଭଳି କିଛି ହୋଇଯିବ ବୋଲି ତାଙ୍କୁ ଜଣାନଥିଲା । ମଙ୍ଗଳବାର ବନସ୍ଥଳିପୁରମରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ମୁତାବକ, ପୀଡ଼ିତା ସପ୍ଟୱେର ଇଞ୍ଜିନିୟର ଭାବେ ଚାକିରି ପାଇବା ପରେ ଅଭିଯୁକ୍ତ ତାଙ୍କୁ ପାର୍ଟି ଦେବାକୁ କହିଥିଲେ ।
ଚାକିରି ପାଇଥିବା ଖୁସିରେ ମନା ନକରି ସାଙ୍ଗ ସହ ଏକ ରେସ୍ତୋରାଁ-କମ୍-ବାରକୁ ଯାଇଥିଲେ ପୀଡ଼ିତା । ସେଠାରେ ଖାଇବା ସହ ମଦ ପିଇଥିଲେ ଦୁହେଁ । ପିଇବା ପରେ ପୀଡ଼ିତା ନିଶାଗ୍ରସ୍ତ ହୋଇଯିବାରୁ ଅଭିଯୁକ୍ତ ତାଙ୍କୁ ରେସ୍ତୋରାଁ-କମ୍-ବାରରେ ଥିବା ଏକ ରୁମକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା । ଏହା ପରେ ଅଭିଯୁକ୍ତର ଜଣେ ଭାଇ ଆସି ମଧ୍ୟ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ଦୁଇ ଅଭିଯୁକ୍ତ ସେଠାରୁ ଚାଲିଯିବା ପରେ ପୀଡ଼ିତା ନିଜ ଭାଇଙ୍କୁ ଫୋନ କରି ସବୁ ଜଣାଇଥିଲେ । ଏନେଇ ସୂଚନା ଦିଆଯିବା ପରେ ଏତଲା ରୁୁଜୁ କରି ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଥିଲା ପୁଲିସ । ଏତଲା ରୁଜୁ ପରେ ଏବେ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।