ଓଡିଶାର ସାମୁହିକ ଓ ସନ୍ତୁଳିତ ବିକାଶ ପାଇଁ ରେଳପଥ ପ୍ରମୁଖ ଭୁମିକା ଗ୍ରହଣ କରିବ
ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି
ଦଶନ୍ଧି ଦଶନ୍ଧି ଧରି ବିଳମ୍ବିତ ହୋଇ ପଡି ରହିଥିବା ରେଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି
ଡବଲ ଇଂଜିନ ସରକାରରେ ରେଳପଥ ନିର୍ମାଣ କାମ ବାଧାପ୍ରାପ୍ତ ହେବ ନାହିଁ
ଭୂବନେଶ୍ୱର : କେନ୍ଦ୍ରରେ ମୋଦି ସରକାର ଶାସନକୁ ଆସିବା ପରେ ଓଡିଶାର ବିକାଶକୁ ଗତି ମିଳିଛି । ବର୍ତମାନ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ରେଳପଥ ସହ ସଂଯୋଗ କରାଯିବାର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ଅନ୍ୟ ପଟେ ବିଗତ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓଡିଶାରେ ରେଳବାଇ ବିକାଶ ବାଧାପ୍ରାପ୍ତ ହେଉଥିଲା । ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ ବର୍ତମାନ ସମସ୍ତ ବାଧାବିଘ୍ନକୁ ଦୂର କରାଯାଇ ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି । ଦଶନ୍ଧି ଦଶନ୍ଧି ଧରି ବିଳମ୍ବିତ ହୋଇ ପଡି ରହିଥିବା ରେଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ଡବଲ ଇଂଜିନ ସରକାରରେ ରେଳପଥ ନିର୍ମାଣ କାମ ବାଧାପ୍ରାପ୍ତ ହେବ ନାହିଁ । ଓଡିଶାର ସାମୁହିକ ଓ ସନ୍ତୁଳିତ ବିକାଶ ପାଇଁ ରେଳପଥ ପ୍ରମୁଖ ଭୁମିକା ଗ୍ରହଣ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ସ୍ୱାଧୀନତା ପରବର୍ତୀ ସମୟରେ ରେଳବାଇ କ୍ଷେତ୍ରରେ ଓଡିଶା ସର୍ବଦା ଅବହେଳିତ ହୋଇଆସୁଥିଲା । ମାତ୍ର ୨୦୧୪ ମସିହା ପରେ ରେଳ ବଜେଟରେ ପ୍ରତି ବର୍ଷ ଅନୁଦାନ ପରିମାଣ ବୃଦ୍ଧି ପାଇଚାଲିଛି । ଓଡିଶାର ରେଳ ବିକାଶ କ୍ଷେତ୍ରରେ ୨୦୨୪-୨୫ ଆର୍ଥୀକ ବର୍ଷ ପାଇଁ ଆଜି ୧୦,୫୮୬ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ଆର୍ଥୀକ ଅନୁଦାନ ବ୍ୟୟବରାଦ ହୋଇଛି । ରାଜ୍ୟରେ ଶତ ପ୍ରତିଶତ ରେଳଲାଇନ ବିଦ୍ୟୁତିକରଣ ହୋଇସାରିଛି । ଆଉ ୫୯ଟି ଷ୍ଟେସନକୁ ଅମୃତ ଷ୍ଟେସନ ଭାବେ ବିକଶିତ କରାଯିବ । ୨୦୧୪ ପରବର୍ତୀ ସମୟରେ ଓଡିଶାରେ ୪୨୭ଟି ଫ୍ଲାଏଓଭର ଓ ଅଣ୍ଡର ବ୍ରିଜ ନିର୍ମାଣ କାର୍ଯ୍ୟ ସରିଛି । ରେଳବାଇ ବିକାଶ କ୍ଷେତ୍ରରେ ଓଡିଶାର ସର୍ବାଙ୍ଗୀନ ଉନ୍ନତି ସକାଶେ ପ୍ରଧାନମନ୍ତ୍ରୀଙ୍କ ଆନ୍ତରିକତା ଓ ରେଳମନ୍ତ୍ରୀଙ୍କ ପ୍ରଚେଷ୍ଟା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଏବଂ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।