22.1 C
Bhubaneswar
Monday, December 15, 2025
Homeଓଡିଶାବିଜେପି ମୁହଁରେ ସମ୍ବିଧାନର କଥା ଶୁଣିବା ଲଙ୍କାରେ ହରିଶବ୍ଦ ସଦୃଶ : କଂଗ୍ରେସ

ବିଜେପି ମୁହଁରେ ସମ୍ବିଧାନର କଥା ଶୁଣିବା ଲଙ୍କାରେ ହରିଶବ୍ଦ ସଦୃଶ : କଂଗ୍ରେସ

ଭୁବନେଶ୍ୱର: ଗତକାଲି ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଯେଉଁଭଳି ଭାବେ ଲୋକସଭାରେ ବିରୋଧି ଦଳର ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଯେଉଁ ଶବ୍ଦମାନ ପ୍ରୟୋଗ କଲେ ସେଥିରୁ ଜଣାପଡ଼ୁଥିଲା ସେ କେତେ ଭୟଭୀତ ଅଛନ୍ତି, ଡର ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ସମ୍ବିଧାନକୁ ପ୍ରତ୍ୟେକ ଦିନ ହତ୍ୟା କରୁଥିବା ବିଜେପି ମୁହଁରେ ସମ୍ବିଧାନ ଶବ୍ଦ ଶୁଣିବା ଅର୍ଥ ଲଙ୍କାରେ ହରିନାମ ସଦୃଶ । ଜେପି ନଡ୍ଡା ସମ୍ବିଧାନ ଉପରେ ଲମ୍ବା ଭାଷଣ ଦେବା ଯେତିକି ହାସ୍ୟାସ୍ପଦ ଥିଲା ତା’ଠୁ ବେଶି ଲଜ୍ଜାକର ମଧ୍ୟ ଥିଲା ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୋନାଲି ସାହୁ କହିଛନ୍ତି । ଶ୍ରୀ ନଡ୍ଡାଙ୍କ ଭାଷଣରେ ୨୪ ବର୍ଷ ଧରି ଓଡ଼ିଶାକୁ ଶାସନ କରିଥିବା ବିଜେଡି ସରକାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପଦଟିଏ ନ କହିବା ବିଜେପି ଓ ବିଜେଡି ମଧ୍ୟରେ ଥିବା ଭିତିରି ସମ୍ପର୍କ ରାଜ୍ୟବାସୀଙ୍କ ସାମ୍ନାରେ ପୁଣି ଥରେ ଉଜାଗର ହୋଇଛି । ଏହା ବିଜେଡି ଓ ନବୀନ ବାବୁଙ୍କ ପ୍ରତି ଥିବା ତାଙ୍କର ଭୟ କି ଦୟା ବୋଲି ଶ୍ରୀ ନଡ୍ଡାଙ୍କୁ ପ୍ରଶ୍ନ କରିଛନ୍ତି ଶ୍ରୀମତୀ ସାହୁ ।

ଶ୍ରୀମତୀ ସାହୁ ଆହୁରି କହିଛନ୍ତି ଯେ ସମ୍ବିଧାନର ମୁଖବନ୍ଧକୁ ଠିକ୍ ଭାବେ ବୁଝିନଥିବା ଦଳ ଆଜି ସମ୍ବିଧାନର ପାଠ ପଢ଼ାଉଛି । ଗତ ସାଧାରଣ ନିର୍ବାଚନରେ ସମ୍ବିଧାନକୁ ଭଲ ପାଉଥିବା ବିଜେପିର ନେତାମାନେ କ୍ଷମତାକୁ ଆସିଲେ ସମ୍ବିଧାନକୁ ବଦଳାଇଦେବେ କହି ୪୦୦ ପାର ନାରା ଲଗାଉଥିବା ବେଳେ କାହିଁକି ସେ ସମୟରେ ଶ୍ରୀ ନଡ୍ଡାଙ୍କର ସମ୍ବିଧାନ କଥା ମନେପଡ଼ୁନଥିଲା । ଭାରତବାସୀଙ୍କୁ ଧନ୍ୟବାଦ ସେମାନେ ସମ୍ବିଧାନକୁ ଗ୍ରହଣ କଲେ ଓ ସମ୍ବିଧାନ ବିରୋଧୀଙ୍କୁ ଉଚିତ ଜବାବ ଦେଲେ । ୟୁଏପିଏ ଓ ପିଏମଏଲଏ ଆଇନ ଆଣି ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ, ସାମ୍ବାଦିକ, ସାମାଜିକ କର୍ମୀ, ଲେଖକମାନଙ୍କୁ ବିନା ଜାମିନରେ, ବିନା ବିଚାରରେ ଦୀର୍ଘଦିନ ପାଇଁ ଜେଲରେ ରଖିବା କଥା କେଉଁ ସମ୍ବିଧାନରେ ଲେଖାଯାଇଛି ବୋଲି ଶ୍ରୀ ନଡ୍ଡାଙ୍କୁ ପ୍ରଶ୍ନ କରିଛନ୍ତି ଶ୍ରୀମତୀ ସାହୁ ।

ବିଜେପି ସରକାର ବିଭିନ୍ନ ରାଜ୍ୟର ରାଜ୍ୟପାଳଙ୍କୁ ସମ୍ବିଧାନିକ କ୍ଷମତାର ଅପବ୍ୟବହାର ହେଉଥିବା ଦେଖାଯାଉଛି । ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୋଧରେ ଜଣେ ମହିଳା କର୍ମଚାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବା, ଓଡ଼ିଶା ରାଜ୍ୟାପଳଙ୍କ ପୁଅ ଜଣେ କର୍ମଚାରୀଙ୍କୁ ମାଡ଼ ମାରିବା, ତାମିଲନାଡ଼ୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ ଜଣେ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିବା, ପଞ୍ଜାବ ରାଜ୍ୟପାଳ ବିଧାନସଭାରେ ବଜେଟ୍ ଅଧିବେଶନ ନ କରାଇଦେବା କହିବା ଏ ସମସ୍ତ ଘଟଣାବଳୀ ସମୟରେ କୁଆଡ଼େ ଯାଇଥିଲେ ତଥାକଥିତ ସମ୍ବିଧାନ ରକ୍ଷକ । ହଜାର ହଜାର କୋଟି ଟଙ୍କା ବ୍ୟୟ କରି ବିଧାୟକମାନଙ୍କୁ କିଣି ସରକାର ଭାଙ୍ଗୁଥିବା ଦଳ ସମ୍ବିଧାନର କଥା କହିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି ଶ୍ରୀମତୀ ସାହୁ ।

ବିଜେପି ସରକାର ସମ୍ବିଧାନକୁ କେତେ ମାନୁଛି ତାହା ଇଲେକ୍ଟ୍ରୋରାଲ ବଣ୍ଡ ଦ୍ୱାରା ଆଦାୟ କରିଥିବା ଗୁପ୍ତ ଚାନ୍ଦା ବିଷୟରେ ସୁପ୍ରିମକୋର୍ଟ ଅସାମ୍ବିଧାନିକ ମନ୍ତବ୍ୟରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । କୃଷକ ଆନ୍ଦୋଳନ ସମୟରେ ୮୦୦ ଜଣ କୃଷକ ସହିଦ୍ ହୋଇଥିବା ବେଳେ ଏ ସରକାର ସମବେଦନା ଜଣାଇବା ତ ଦୂରର କଥା ସେମାନଙ୍କୁ ଖଲିସ୍ଥାନୀ ଓ ଆତଙ୍କବାଦ କହିବାକୁ ପଛାଇଲା ନାହିଁ । ସମ୍ବିଧାନକୁ ବିଶ୍ୱାସ କରୁଥିବା ଦଳ କେବେ ବି ବିରୋଧୀମୁକ୍ତ ଶାସନ ଦରକାର ନାହିଁ ବୋଲି କହିବେ ନାହିଁ । ତେଣୁ ଏ ସରକାର ସମୟରେ ସମ୍ବିଧାନ କେଉଁ ଅବସ୍ଥାରେ ଅଛି ତାହା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟରୁ ଜଣାପଡ଼ିଛି । ୧୯୯୮ ମସିହା ପର୍ଯ୍ୟନ୍ତ କାହିଁକି ଆର୍‌ଏସ୍‌ଏସ୍ କାର୍ଯ୍ୟାଳୟରେ ଜାତୀୟ ସଂଗୀତ ଗାନ ଓ ଜାତୀୟ ପତାକା ଉଡ଼ାଯାଉନଥିଲା, ତାହା ନଡ୍ଡାଜୀ କହିବେକି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମତୀ ସାହୁ । ଗତ ୧୦ ବର୍ଷ ହେଲାଣି ଲୋକସଭାରେ ଉପବାଚସ୍ପତି ପଦବୀ ଖାଲି ପଡ଼ିଛି, ଯାହା ଆର୍ଟିକିଲ-୯୩ ଧାରାର ଉଲ୍ଲଙ୍ଘନ ।

ଜମି ଜଙ୍ଗଲ, ଖଣିଜ ପଦାର୍ଥ, ପ୍ରାକୃତି ସମ୍ବଦ ଉପରେ ମୂଳ ଅଧିବାସୀଙ୍କ ଅଧିକାର ରହିଥିବା ବେଳେ ସେମାନଙ୍କ ବିନା ସହମତିରେ ବିଜେପି ସରକାର ତାଙ୍କର କର୍ପୋରେଟର ମିତ୍ରଙ୍କୁ ଦେଉଥିବା ସମ୍ବିଧାନର ଧାରା ୨୪୩ର ଉଲ୍ଲଙ୍ଘନ । ରାଜ୍ୟର ସରକାର ଦୀର୍ଘ ଦେଢ଼ମାସ ଧରି ଏଜି ନିଯୁକ୍ତି କରିପାରିନଥିଲେ । ଯାହା ସମ୍ବିଧାନର ଧାରା ୧୬୫ର ଉଲ୍ଲଙ୍ଘନ ଥିଲା । ଗତକାଲି ବାଧ୍ୟ ହୋଇ ଚାପରେ ଆସି ସରକାର ଏଜି ନିଯୁକ୍ତି କରିଛନ୍ତି । ବିଜେପି ରାଜ୍ୟରେ ସରକାରକୁ ଆସିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି ବିଭ୍ରାନ୍ତିକର ତଥ୍ୟ ଦେବା ଦୁର୍ଭାଗ୍ୟଜନକ । ଧାନର ଏମ୍‌ଏସ୍‌ପି ୩୧୦୦ ଟଙ୍କା, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ଦେବା, ୩୦୦ ୟୁନିଟ୍ ବିଜୁଳି ଫ୍ରି ଦେବା ଇତ୍ୟାଦି ପ୍ରତିଶ୍ରୁତି କେବେ ପାଳନ କରାଯିବ ବୋଲି ଶ୍ରୀ ନଡ୍ଡାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ଶ୍ରୀମତୀ ସାହୁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking