କୋଣାର୍କ: ଏକ ଅପହରଣ ମାମଲାରେ କୋଣାର୍କ ପୁଲିସ ଜଣେ ନାବାଳିକାକୁ ଉଦ୍ଧାର ସହ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶୁକ୍ରବାର ଉଭୟଙ୍କୁ କୋଣାର୍କ ଥାନାରେ ଅଟକ ରଖି ପଚରାଉଚରା ପରେ ଆଇନ ଅନୁଯାୟୀ ନାବାଳିକାକୁ ପୁଲିସ ଡାକ୍ତରୀ ମାଇନା ନିମନ୍ତେ ଗୋପ ଡାକ୍ତରଖାନା ପଠାଇଥିଲା । ମାତ୍ର ସେଠାରେ ନାବାଳିକା ଡାକ୍ତରୀ ମାଇନା କରିବାକୁ ମନା କରିବାରୁ କୋଣାର୍କ ପୁଲିସ ବାଧ୍ୟ ହୋଇ ଉଭୟଙ୍କୁ କୋଣାର୍କ କୋର୍ଟରେ ହାଜର କରାଇଥିଲା । କୋର୍ଟରେ ଯୁବକର ଜାମିନ ନାମଞ୍ଜୁର ହେବାରୁ ତାକୁ ନିମାପଡ଼ା ଜେଲକୁ ପଠାଇ ଦିଆଯାଇଛି । ନାବାଳିକାକୁ ସୁଧାର ଗୃହକୁ ପଠାଯିବ ବୋଲି କୋଣାର୍କ ଥାନା ଦାୟିତ୍ୱରେ ଥିବା ଥାନା ଅଧିକାରୀ ପ୍ରତିମା ସାହୁ ସୂଚନା ଦେଇଛନ୍ତି ।
କୋଣାର୍କ ଥାନା ଅଧୀନ କୋଣାର୍କ ଏନ୍ଏସି ଖରାଗାଁ ଗ୍ରାମରୁ ଗତ ୫ ତାରିଖ ଜଣେ ନାବାଳିକାକୁ ଜଣେ ଯୁବକ ଅପହରଣ କରିନେଇଥିବା କୋଣାର୍କ ଥାନାରେ ନାବାଳିକାର ପରିବାର ପକ୍ଷରୁ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତିକରି କୋଣାର୍କ ପୁଲିସ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗତ ଗୁରୁବାର ଅପରାହ୍ନରେ କାକଟପୁର ଅଞ୍ଚଳରୁ ଅପହରଣକାରୀ ଯୁବକଙ୍କ ସହିତ ନାବାଳିକାକୁ ଉଦ୍ଧାର କରିଥିବା ଜଣାପଡ଼ିଛି ।
ଖରାଗାଁ ଗ୍ରାମର ସମ୍ପୃକ୍ତ ୧୦ମ ଶ୍ରେଣୀ ପାଠ ପଢ଼ୁଥିବା ନାବାଳିକା ଗତ ୫ ତାରିଖ ସକାଳେ ସ୍କୁଲ ଯାଇଥିଲା । ମାତ୍ର ଝିଅ ସ୍କୁଲରେ ପହଞ୍ଚି ନଥିବା ସ୍କୁଲ ଶିକ୍ଷକ ଘରକୁ ଫୋନ୍ କରି ଜଣାଇଥିଲେ । ପରେ ଘର ଲୋକ ଝିଅକୁ ଖୋଜାଖୋଜି କରିବାରେ ତାଙ୍କ ଗ୍ରାମର ଦିପୁନା କାଣ୍ଡି ନାମକ ଜଣେ ଯୁବକ ସ୍କୁଲ ଯିବା ବାଟରୁ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ କରି ନିଜ ସାଙ୍ଗରେ ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଥିଲା । ଏନେଇ ଝିଅର ମାଆ କୋଣାର୍କ ଥାନାରେ ଅଭିଯୋଗ କରିବାରେ ପୁଲିସ୍ କେସ୍ ନଂ-୧୨୭/୨୪ରେ ଏକ ମାମଲା ରୁଜୁକରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା ।