ନୂଆଦିଲ୍ଲୀ: “ଆମ ଯବାନ୍ଙ୍କ ବଳିଦାନକୁ ଆମେ କଦାପି ବୃଥାରେ ଯିବାକୁ ଦେବୁନାହିଁ । ଆମେ ନିଶ୍ଚିତ ପ୍ରତିଶୋଧ ନେବୁ । ଶତ୍ରୁପକ୍ଷ ମଧ୍ୟ ଏସମ୍ପର୍କରେ ବେଶ୍ ଭଲଭାବେ ଜାଣିଛି ଯେ, ଭାରତ କଦାପି ଚୁପ୍ ବସିବ ନାହିଁ ।” ଦିନକ ପୂର୍ବେ ଜମ୍ମୁ କାଶ୍ମୀରର କାଠୁଆ ଜିଲ୍ଲା ବାଡନୋଟା ଅଞ୍ଚଳରେ ସଂଘଠିତ ଆତଙ୍କୀ ହମ୍ଲାରେ ଭାରତୀୟ ସେନାର ୫ ଯବାନ୍ ସହିଦ୍ ହେବା ଘଟଣା ଉପରେ ଆଜି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିବାକୁ ଯାଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏପ୍ରକାର ହୁଙ୍କାର ଦେଇଛନ୍ତି । ରାଜନାଥ ଆଜି ଏକ୍ସ’ରେ ଏକ ପୋଷ୍ଟ କରି ୫ ସହିଦ୍ ଯବାନ୍ଙ୍କ ପରିବାର ପ୍ରତି ଗଭୀର ଶୋକବ୍ୟକ୍ତ କରିବା ପରିପ୍ରେକ୍ଷୀରେ ଭାରତୀୟ ସେନା ଏବେ ପ୍ରତିଶୋଧ ପରାୟଣ ନୀତି ଆପଣାଇବ ବୋଲି ସ୍ପଷ୍ଟ କରିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଦିଆଯାଇଥିବା ସୂଚନାନୁସାରେ, ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଗତକାଲି ତୁରନ୍ତ ଆତଙ୍କୀ ହମ୍ଲା ଘଟଣା ଉପରେ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ଏଥିରେ ଭାରତ ପ୍ରତି ବଢ଼ୁଥିବା ଆସୁରିକ ଶକ୍ତିକୁ ଦୃଢ଼ହସ୍ତରେ ଦମନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଆଜି ସକାଳୁ ମଧ୍ୟ ଏସମ୍ପର୍କରେ ଆଲୋଚନା ହୋଇଛି । ଏଥିରେ ଭାରତୀୟ ଯବାନ୍ଙ୍କ ଦେଶପାଇଁ ସହିଦ୍ ହେବା ଏବଂ ଆତ୍ମବଳିଦାନକୁ ଦେଶ ସବୁଦିନ ମନେ ରଖିବ ବୋଲି ମତପ୍ରକାଶ ପାଇଥିଲା । କିନ୍ତୁ ଏପ୍ରକାର ଆତଙ୍କୀ କାର୍ଯ୍ୟକଳାପକୁ ଭାରତ କଦାପି ବରଦାସ୍ତ କରିବ ନାହିଁ ବୋଲି କେନ୍ଦ୍ର ପ୍ରତିରକ୍ଷା ସଚିତ ଗିରିଧର ରମାଣେ କହିଛନ୍ତି । ଗିରିଧରଙ୍କ କହିବାନୁସାରେ ଭାରତ ଯେପରି ନିଜ ବୀର ଯବାନ୍ଙ୍କୁ ହରାଇବାର ଅସହ୍ୟ ଯନ୍ତ୍ରଣା ପୀଡ଼ା ଅନୁଭବ କରୁଛି, ଠିକ୍ ସମାନ୍ ଯନ୍ତ୍ରଣା ସେମାନଙ୍କୁ ମଧ୍ୟ ଆମେ ଅନୁଭବ କରାଇବୁ । ଆତଙ୍କୀ ହମ୍ଲା ହୋଇଥିବା ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରହିଛି, ଖୁବଶୀର୍ଘ ଲୁଚି ରହିଥିବା ଆତଙ୍କୀଙ୍କୁ ଆମ ଯବାନ୍ ନର୍କର ଦ୍ୱାର ଦେଖାଇବେ । ଏଥିସହ ଆମ ଯବାନ୍ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ମଧ୍ୟ ଯତ୍ନବାନ ରହିଛନ୍ତି ।
ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ଅପରାହ୍ନରେ ସେନା ଯବାନ୍ଙ୍କ ଦୁଇଟି ଗାଡ଼ି ଉପରେ ଆତଙ୍କବାଦୀମାନେ ଗ୍ରେନେ୍ଡ ମାଡ଼ କରିଥିଲେ । ଜମ୍ମୁ କାଶ୍ମୀରର କାଠୁଆ ଜିଲ୍ଲା ଅନ୍ତର୍ଗତ ବାଡନୋଟାର ମଚେଡି ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା । ଏଥିରେ ୫ ଯବାନ୍ ସହିଦ୍ ହୋଇଥିବା ବେଳେ ଅନ୍ୟ ୫ ଯବାନ୍ଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଅଞ୍ଚଳ ଇଣ୍ଡିଆନ୍ ଆର୍ମିର ୯ କର୍ପସ୍ ଅଧୀନରେ ଆସୁଛି । ପ୍ରକାଶ, ଗତ କିଛି ମାସ ମଧ୍ୟରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ହମ୍ଲା ଘଟଣା ବଢ଼ିବାରେ ଲାଗିଛି ।