ଲୁଧିଆନା: ପଞ୍ଜାବର ଲୁଧିଆନା ଠାରେ ଜଣେ ଶିବସେନା ନେତାଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ହୋଇଥିବା ଏବଂ ଏଥିରେ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେବା ଭଳି ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଶିବସେନାର ଏହି ନେତାଙ୍କ ଉପରେ ଜଣେ ନିହଙ୍ଗ ଶିଖ୍ ଖଣ୍ଡାରେ ଆକ୍ରମଣ କରିଥିଲେ । ସେ ଖଣ୍ଡାରେ ଶିବସେନା ନେତାଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ କରୁଥିବା ଏବଂ ଲହୁଲୁହାଣ କରିପକାଉଥିବା ଘଟଣାର ଏକ ବର୍ବର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ପୁଲିସ୍ ରିପୋର୍ଟ ଅନୁସାରେ ଶିବସେନା ତକସାଲି ନେତା ସନ୍ଦୀପ୍ ଥାପର ଶୁକ୍ରବାର ସକାଳେ ସମ୍ବେଦନା ଟ୍ରଷ୍ଟର ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିଲେ । ଯେତେବେଳେ ସେ ଡାକ୍ତରଖାନା ବାହାରେ ଛିଡ଼ା ହୋଇଥିଲେ ସେତେବେଳେ ହଠାତ୍ ଏକ ସ୍କୁଟିରେ ୨ ନିହଙ୍ଗ ସେଠାରେ ପହଞ୍ଚିଥିଲେ । କେହି କିଛି ବୁଝିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣେ ତୀକ୍ଷ୍ଣ ଖଣ୍ଡା ଦ୍ୱାରା ସନ୍ଦୀପଙ୍କୁ ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତର ଆହତ ହେବା ପରେ ତଳେ ପଡ଼ିଯାଇଥିଲେ । ଏହାପରେ ଅଭିଯୁକ୍ତ ଦ୍ୱୟ ଫେରାର ହୋଇଯାଇଥିଲେ । ଉକ୍ତ ଶିଖ୍ମାନେ ସେଠାରୁ ଫେରାର ହୋଇଯାଇଥିଲେ । ପରେ ସନ୍ଦିପଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡିଏମ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ, ସନ୍ଦୀପ ଥାପର ନିଜ ଭାଷଣରେ ଖଲିସ୍ତାନ୍ ବିରୋଧରେ କଟାକ୍ଷ କରୁଥିବାରୁ ତାଙ୍କୁ ବହୁପୂର୍ବରୁ ଅନେକ ଥର ଏପ୍ରକାର ଆକ୍ରମଣ ଧମକ ମିଳିଆସୁଥିଲା ।










