28.1 C
Bhubaneswar
Sunday, September 29, 2024
Homeଓଡିଶାଓଡ଼ିଶାରେ ବଜ୍ରପାତ ଓ ଝଡ଼ ପୂର୍ବାନୁମାନ ଅଧ୍ୟୟନ ନିମନ୍ତେ ସୋଆ ଏବଂ ଆଇଆଇଟିଏମ୍ ପୁନେ ମଧ୍ୟରେ...

ଓଡ଼ିଶାରେ ବଜ୍ରପାତ ଓ ଝଡ଼ ପୂର୍ବାନୁମାନ ଅଧ୍ୟୟନ ନିମନ୍ତେ ସୋଆ ଏବଂ ଆଇଆଇଟିଏମ୍ ପୁନେ ମଧ୍ୟରେ ବୁଝାମଣାର ନବୀକରଣ

ଭୁବନେଶ୍ୱର, : ଓଡ଼ିଶାରେ ବଜ୍ରପାତ ଓ ଝଡ଼ ପୂର୍ବାନୁମାନ ଅଧ୍ୟୟନ ନିମନ୍ତେ ମିଳିତ ଭାବରେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ପୁନେସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିଓରୋଲୋଜି (ଆଇଆଇଟିଏମ୍‌) ମଧ୍ୟରେ ୫ ବର୍ଷ ପୂର୍ବରୁ ହୋଇଥିବା ବୁଝାମଣାପତ୍ରର ସୋମବାର ଏଠାରେ ନବୀକରଣ କରାଯାଇଛି ।
ଆଉ ୫ ବର୍ଷ ଅବଧି ନିମନ୍ତେ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣା ଅନୁଯାୟୀ ଓଡ଼ିଶାରେ ସୋଆ ଦ୍ୱାରା କାର୍ଯ୍ୟକାରୀ ବଜ୍ରପାତ ସତର୍କ ନେଟ୍‌ୱର୍କ ୪ଟି ସ୍ଥାନରୁ ୮ ଟି ସ୍ଥାନକୁ ବର୍ଦ୍ଧିତ କରାଯାଇ ୧୦୦ କିମି ପରିସୀମା ମଧ୍ୟରେ ବଜ୍ରପାତର ପୂର୍ବାନୁମାନକୁ ତ୍ୱରାନ୍ୱିତ କରିବାରେ ଆଇଆଇଟିଏମ୍ ସହଯୋଗ କରିବ ।
ଏହି ବୁଝାମଣାପତ୍ରଟି ଆଇଆଇଟିଏମ୍‌ର ନିର୍ଦ୍ଦେଶକ ଡକ୍ଟର ଆର୍‌. କ୍ରିଷ୍ଣନ୍ ଓ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ।
ଓଡ଼ିଶାରେ ବଜ୍ରପାତ ସତର୍କ ନେଟ୍‌ୱର୍କ ବର୍ତମାନ ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର ଓ ରାୟଗଡ଼ାରେ କାର୍ଯ୍ୟକ୍ଷମ ଥିବା ବେଳେ ବ୍ରହ୍ମପୁର, କେନ୍ଦୁଝର, ବଲାଙ୍ଗୀର ଓ ଅନୁଗୁଳରେ ନୂତନ କେନ୍ଦ୍ର ଅବସ୍ଥାପିତ କରାଯିବା ନିମନ୍ତେ ନିଷ୍ପତି ହୋଇଛି ।
ବଜ୍ରପାତ ଓ ଘଡ଼ଘଡ଼ି ସହ ଝଡ଼ ସମ୍ପର୍କିତ ଅନେକ ଗବେଷଣା କାର୍ଯ୍ୟରେ ସୋଆ ଓ ଆଇଆଇଟିଏମ୍ ପୁନେ ବର୍ତମାନ ନିୟୋଜିତ ଅଛନ୍ତି । ସେହିପରି ଏହି ଦୁଇଟି ଅନୁଷ୍ଠାନ ବାୟୁମଣ୍ଡଳର ସ୍ଥିତି ଆକଳନ କରି ଓଡ଼ିଶାର ବିଭିନ୍ନ ବ୍ଲକ୍‌ରେ ଝଡ଼ ଓ ବଜ୍ରପାତର ସଫଳ ପୂର୍ବାନୁମାନ କରିପାରୁଛନ୍ତି ।
ବୁଝାମଣା ଅନୁଯାୟୀ ରାଜ୍ୟର ବିଭିନ୍ନ ବ୍ଲକ ଓ ଗ୍ରାମପଂଚାୟତରେ ଝଡ଼ ଓ ବଜ୍ରପାତ ପୂର୍ବରୁ ଜନସାଧାରଣଙ୍କୁ ସତର୍କ କରିବା ସହ ପଶ୍ଚିମ ଓଡ଼ିଶାରେ ହଠାତ୍ ଉପୁଜୁଥିବା ମରୁଡି ପରିସ୍ଥିତି ବିଷୟରେ ପୂର୍ବରୁ ସୂଚନା ଦେବା ନିମନ୍ତେ ସୋଆ ଓ ଆଇଆଇଟିଏମ୍ ମିଳିତ ଭାବେ କାର୍ଯ୍ୟ କରିବେ । ଏଥିରେ ଭୁବନେଶ୍ୱର ସ୍ଥିତ ଭାରତୀୟ ପାଣିପାଗ ବିଭାଗର ସହଯୋଗ ନିମନ୍ତେ ମଧ୍ୟ ଉଦ୍ୟମ କରାଯିବ ।
ଇତି ମଧ୍ୟରେ ସୋଆରେ ଏକ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବା ବେଳେ ଜଳବାୟୁ ଏବଂ କୃଷି କ୍ଷେତ୍ରରେ ଏହାର ପ୍ରଭାବ ସମ୍ପର୍କିତ ଗବେଷଣା ନିମନ୍ତେ ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର ମଧ୍ୟ ପ୍ରତିଷ୍ଠା କରାଯାଇଛି ।
ବୁଝାମଣା ପତ୍ର ସ୍ୱାକ୍ଷର ସମୟରେ ଆଇଆଇଟିଏମ୍‌ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଭି. ଗୋପାଳକ୍ରିଷ୍ଣନ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର୍ (ସିସିଏସ୍‌ଏ)ର ନିର୍ଦ୍ଦେଶକ ପ୍ରଫେସର ଆର୍‌.କେ. ପଣ୍ଡା, ଆଇଏଏସ୍‌ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ସିସିଏସ୍‌ଏର ଡିଷ୍ଟିଙ୍ଗୁଇସ୍‌ଡ୍ ପ୍ରଫେସର ପ୍ରଫେସର ଉମା ଚରଣ ମହାନ୍ତି, ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ, ଆଡିସ୍‌ନାଲ୍ ଡିନ୍ ଷ୍ଟୁଡେଂଟ ଆଫେୟାର୍ସ (ଆଇଟିଇଆର୍‌) ପ୍ରଫେସର ରେଣୁ ଶର୍ମା ଏବଂ ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking