କୋଲାବନଗର : କୋରାପୁଟ ଜିଲା କୋଲାବ ଡ୍ୟାମ୍ ନିକଟ ମାଟିଖାଲ ମୋରମ୍ ପାହାଡ଼ରୁ ଅତଡ଼ା ଧସି ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ରହିଛନ୍ତି। ମୃତକମାନେ ହେଲେ କୋରାପୁଟ ବ୍ଲକ ବଡ଼କେରେଙ୍ଗା ପଞ୍ଚାୟତ ସଲମନଗୁଡ଼ା ଗାଁର ପୂର୍ଣ୍ଣିମା ବଡ଼ନାଏକ, ସୋନୁମତି ଜାନୀ ଓ ଚମ୍ପା ବଡ଼ନାଏକ। ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସଲମନଗୁଡ଼ା ଗାଁର କିଛି ନାବାଳିକା ଓ ମହିଳା ଦୁଇଟି ଟ୍ରକ୍ରେ ମୋର୍ମ ନେବା ପାଇଁ ଉକ୍ତ ପାହାଡ଼କୁ ଯାଇଥିଲେ। ସେମାନେ ମୋରମ ଖୋଳୁଥିବା ବେଳେ ହଠାତ୍ ୪୦ରୁ ୫୦ ଫୁଟ୍ ପାହାଡ଼ ଉପରୁ ଏକ ବଡ଼ ଅତଡା ଖସିଥିଲା। ପୂର୍ଣ୍ଣିମା, ସୋନୁମତି ଓ ଚମ୍ପା ଅତଡ଼ା ତଳେ ଚାପି ହୋଇଯାଇଥିଲେ। ପୂର୍ଣ୍ଣିମା ଓ ସୋନୁମତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚମ୍ପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସଙ୍ଗେ ସଙ୍ଗେ କୋରାପୁଟରୁ ଓଡ୍ରାଫ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଥିଲେ। ଏନେଇ ମୃତକଙ୍କ ପରିବାରବର୍ଗ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତି ପୂରଣ ଦାବି କରିଥିଲେ। ସେଠାରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଲାଗି ରହିଥିଲା।