ଭୁବନେଶ୍ୱର : ଗ୍ରୀଷ୍ମ ଋତୁରେ ମାତ୍ରାଧିକ ଖରା ହେଉଥିବା ସମୟରେ ଯାତାୟାତ କରିବା ଦ୍ୱାରା ବେଳେବେଳେ ମନୁଷ୍ୟ ଶରୀର ସୂର୍ଯ୍ୟ ତାପ ସହି ନ ପାରି ଅଂଶୁଘାତ ଜନିତ ରୋଗର ଶିକାର ହୋଇଥାଏ l ମନୁଷ୍ୟ ଶରୀରର ତାପମାତ୍ରା କମିବା ଓ ବଢିବାକୁ ନିୟନ୍ତ୍ରଣ ପାଇଁ ମନୁଷ୍ୟର ମସ୍ତିଷ୍କରେ ହାଇପୋଥାଲାମୋୟେସ ନାମକ ଏକ ଗ୍ରନ୍ଥି ରହିଛି l କୌଣସି କାରଣରୁ ଶରୀରର ଉତ୍ତାପ ହ୍ରାସ ପାଇବା ଓ ବୃଦ୍ଧି ପାଇବାକୁ ଶରୀରର ଅଭ୍ୟନ୍ତର ଭାଗରେ ଉତ୍ତାପର ସ୍ଥିତାବସ୍ଥାକୁ ଠିକ୍ ରଖିବା ନିମନ୍ତେ ଏହା କାର୍ଯ୍ୟ କରିଥାଏ l ଯଦି ଏହି ପ୍ରକ୍ରିୟା ଆମ ଶରୀରରେ ହୋଇ ପାରି ନ ଥାଏ, ତେବେ ମନୁଷ୍ୟ ଅଂଶୁଘାତର ସମ୍ମୁଖୀନ ହୋଇଥାଏ l ଅତ୍ୟଧିକ ଖରାରେ ଚଳପ୍ରଚଳ କଲେ ମନୁଷ୍ୟ ଶରୀରରେ ଉତ୍ତାପ ମାତ୍ରାଧିକ ବୃଦ୍ଧି ପାଇଥାଏ, ଫଳରେ ମାନସିକ ଓ ଶାରୀରିକ ସ୍ତରରେ ପରିବର୍ତ୍ତନ ଘଟି ମନୁଷ୍ୟ ଚେତାଶୂନ୍ୟ ତଥା ବେଳେବେଳେ ବାତମାରିବା ପରି ଲକ୍ଷଣ ଦେଖାଯାଏ l ଶରୀରର ବାହ୍ୟ ଚର୍ମ ଭାଗ ଉତ୍ତାପଯୁକ୍ତ ଓ ଶୁଷ୍କ ହେବାସହ ଆଦୌ ଝାଳ ନିର୍ଗତ ହୋଇ ନଥାଏ କିମ୍ବା ଅଳ୍ପ ଝାଳ ନିର୍ଗତ ହୋଇଥାଏ। ମୁଣ୍ଡ ବୁଲାଇବା, ଦୁର୍ବଳ ଲାଗିବା, ବାନ୍ତି ଲାଗିବା ଏବଂ ବେଳେବେଳେ ବାନ୍ତି ମଧ୍ୟ ହୋଇଥାଏ l
ଅଂଶୁଘାତର ଲକ୍ଷଣ କଣ :
ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦେଖାଯିବ ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଙ୍କି ଧରିବା, ଅଚେତ ହେବା କିମ୍ବା ବାତ ମାରିବା ଭଳି ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଅଂଶୁଘାତ ପୂର୍ବ ସତର୍କତା:
ସକାଳେ କିମ୍ବା ଅପରାହ୍ନରେ ଖରା କମ୍ ଥିବାବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ, ମୁଣ୍ଡରେ ଓଦା ଗାମୁଛା ବାନ୍ଧନ୍ତୁ, ହାଲୁକା ରଙ୍ଗର ସୂତା ପୋଷାକ ପରିଧାନ କରନ୍ତୁ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଖରା ଗରମରେ ଅଧିକ ଦୂର ବାଟ ଚାଲନ୍ତୁ ନାହିଁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
ଅଂଶୁଘାତର ପ୍ରତିକାର:
ଅଂଶୁଘାତରେ ଅସୁସ୍ଥ ବା ଅଚେତ ହୋଇପଡିଥିବା ବ୍ୟକ୍ତିକୁ ପ୍ରଥମେ ଏକ ଛାଇ ବା ଥଣ୍ଡା ସ୍ଥାନକୁ ନେଇ ଶୁଆଇ ଶୀତଳ ପବନର ବ୍ୟବସ୍ଥା କରିବା ଆବଶ୍ୟକ ।
ରୋଗୀ ଯଦି ମୋଟା ପୋଷାକ ପିନ୍ଧିଥାଏ ତେବେ ସୂତା ତଥା ଆରାମଦାୟକ ପୋଷାକ ପିନ୍ଧାଇଦିଅନ୍ତୁ । ଏହାପରେ ଓଦା କପଡାରେ ବ୍ୟକ୍ତିଙ୍କ ଶରୀରକୁ ଆରାମ ଦେବାକୁ ଚେଷ୍ଟା କରନ୍ତୁ ।
ବ୍ୟକ୍ତିକୁ କୈାଣସି ତରଳ ପଦାର୍ଥ ପିଇବାକୁ ଦିଅନ୍ତୁ ନାହିଁ । ରୋଗୀର ପାଦ ଓ ହାତକଲୁ ଏପଟ ସେପଟ କରନ୍ତୁ । ଏହାଦ୍ୱାରା ରକ୍ତ ସଂଚାଳନ ଠିକ ରହିବ ।
ବାରମ୍ବାର ଥଣ୍ଡା ପାଣି ବା ବରଫ ଖଣ୍ଡମାନ ରୋଗୀ ଶରୀରରେ ମାଲିସ୍ କଲେ ତାପମାତ୍ରା ସାଧାରଣ ସ୍ତରକୁ ଆସିଯାଇଥାଏ ।
ବ୍ୟକ୍ତି ଜଣକ ଯଦି ଅଂଶୁଘାତରେ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥାନ୍ତି ବା ପାଣି ପିଇପାରିବା ଅବସ୍ଥାରେ ଥାନ୍ତି ତେବେ ତାଙ୍କୁ ଥଣ୍ଡା ପାଣି ବଦଳରେ ପାଣିରେ ଅଳ୍ପ ପରିମାଣର ଚିନି ଓ ଲୁଣ ମିଶାଇ ମିଇବାକୁ ଦେବେ ।
ମଧୁମେହ , ରକ୍ତଚାପ ତଥ ହୃଦ୍ ସମ୍ବନ୍ଧୀୟ ସମସ୍ୟା ଭୋଗ କରୁଥିବା ବ୍ୟକ୍ତି ଅଂଶୁଘାତ ପ୍ରତି ବିଶେଷ ସର୍ତକତା ଅବଲମ୍ବନ କରିବା ଆବଶ୍ୟକ ।