ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି (ଆପ୍)ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଆଜି କୋଟ୍ର୍ ପକ୍ଷରୁ ପୁଣି ଝଟ୍କା ଲାଗିଛି । ତାଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି କରି ଦିଲ୍ଲୀସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ସିସୋଦିଆଙ୍କ ଜାମିନ୍ ଆବେଦନକୁ ସିବିଆଇ ପକ୍ଷରୁ ବିରୋଧ କରାଯାଇଥିଲା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କୁ ଅନ୍ୟତମ ମାଷ୍ଟରମାଇଣ୍ଡ୍ ବୋଲି ଦର୍ଶାଇଥିଲା । ଯଦି ସିସୋଦିଆଙ୍କୁ ଜାମିନ ମିଳେ ତେବେ ସେ ପ୍ରମାଣ ଓ ସାକ୍ଷୀ ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରିପାରନ୍ତି ବୋଲି ସିବିଆଇ କହିଥିଲା । ତେବେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସିସୋଦିଆଙ୍କ ଜାମିନ୍ ଆବେଦନ କ୍ରମାଗତ ଦ୍ୱିତୀୟ ଥର ପାଇଁ ଖାରଜ ହୋଇଛି । ଏହାପୂର୍ବରୁ ନିମ୍ନ ଅଦାଲତ, ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ତାଙ୍କୁ ଜାମିନ ଦେବା ପାଇଁ ମନା କରିଦେଇଥିଲେ । ଏବେ ରାଉଜ ଆଭେନ୍ୟୁ କୋର୍ଟ ମଧ୍ୟ ତାଙ୍କୁ ଜାମିନ ମଞ୍ଜୁର କରିନାହାନ୍ତି । କୋର୍ଟଙ୍କ ଏହି ରାୟକୁ ଏବେ ସିସୋଦିଆ ପୁଣିଥରେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ତାଙ୍କ ଓକିଲ କହିଛନ୍ତି । ପ୍ରକାଶ, କିଛି ଦିନ ପୂର୍ବେ ଦିଲ୍ଲୀ ମଦ ଦୁର୍ନୀତି ମାମଲରେ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ରାଉଜ ଆଭେନ୍ୟୁ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ । ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତବର୍ଷ ଫେବ୍ରୁଆରୀ ୨୬ ତାରିଖରେ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ଏହାପରେ ଏହି ମାମଲାରେ ଟଙ୍କା ହେରଫେର ଅଭିଯୋଗରେ ଇଡି ମଧ୍ୟ ତାଙ୍କୁ ଗିରଫ କରିଥିଲା ।