23.1 C
Bhubaneswar
Friday, January 10, 2025
Homeଓଡିଶାବିବାହର ଦିନକ ପୂର୍ବରୁ ଝୁଲିପଡ଼ିଲେ ଭାବୀ ଦମ୍ପତି

ବିବାହର ଦିନକ ପୂର୍ବରୁ ଝୁଲିପଡ଼ିଲେ ଭାବୀ ଦମ୍ପତି

ଯାଜପୁର: ରବିବାରରେ ଦୁହେଁ ବାହା ହୋଇଥାନ୍ତେ। ଏଥିପାଇଁ ଉଭୟ ପରିବାର ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ହୋଇଥିଲା। ସେମାନଙ୍କ ଦାମ୍ପତ୍ୟ ଜୀବନକୁ ସାମାଜିକ ସ୍ବୀକୃତି ମିଳିଥାନ୍ତା। ହେଲେ ଠିକ୍‌ ଏହାର ଦିନକ ପୂର୍ବରୁ ଗାଁ ମାଘେ ପର୍ବରେ ରାତିଯାଏ ହାତ ଧରାଧରି ହୋଇ ନାଚିଥିବା ଭାବୀ ଦମ୍ପତି ମାତ୍ର ୧୫ ମିନିଟ୍‌ ମଧ୍ୟରେ ଆଗପଛ ହୋଇ ଶୋଇବା ଘରେ ଝୁଲି ପଡ଼ିଲେ। ଉଭୟ ପରିବାର ଉପସ୍ଥିତିରେ ଗୋଟିଏ କୋଠରୀରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କଳିଙ୍ଗନଗର ଥାନା ଶାଳିଜଙ୍ଗା ପଞ୍ଚାୟତ ୬ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣାକ୍ରମକୁ ନେଇ ପୂରା ଦୁର୍ଗାପୁର ଗାଁ ସ୍ତବ୍ଧ ହୋଇଯାଇଛି। ମୃତକ ଦ୍ବୟ ହେଲେ ଗୋବିନ୍ଦ ଚାମ୍ପିଆଙ୍କ ଝିଅ ବର୍ଷା(୧୯) ଓ ସନାତନ ପିଙ୍ଗୁଆଙ୍କ ପୁଅ ଗୋପୀ(୨୨)।

ଗାଁର ଶହେ ମିଟର ଦୂର ମଧ୍ୟରେ ରହୁଥିବା ବର୍ଷା ଓ ଗୋପୀ ପରସ୍ପରକୁ ଭଲ ପାଉଥିଲେ। ମାସେ ତଳେ ଆଦିବାସୀ ପ୍ରଥା ଓ ପରମ୍ପରା ଆଧାରରେ ବର୍ଷାଙ୍କୁ ସିନ୍ଦୁର ପିନ୍ଧାଇ ଗୋପୀ ଘରକୁ ନେଇ ଆସିଥିଲେ। ସେମାନେ ଗୋଟିଏ ଘରେ ଏକାଠି ରହୁଥିଲେ। ପ୍ରଥମେ ଝିଅଘର ପକ୍ଷରୁ ଏଥିରେ ସହମତି ନଥିଲେ ମଧ୍ୟ ଧୀରେଧୀରେ ପରିସ୍ଥିତି ସାମାନ୍ୟ ହୋଇଥିଲା। ଏକ ସଂଯୋଗ ବଶତଃ ନିଜନିଜ ସାବତ ମାଆ ପାଖରେ ବଢ଼ିଥିବା ପ୍ରେମୀଯୁଗଳ ୨ ପରିବାରକୁ ବୁଝାଇବାରେ ସଫଳ ହୋଇଥିଲେ। ଗୁରୁବାର ଠାରୁ ଗ‌ାଁରେ ମାଘେ ପର୍ବ ଚାଲିଥିଲା। ଶୁକ୍ରବାର ସଂଧ୍ୟା ସାଢ଼େ ୭ଟାରେ ଭାବୀ ଦମ୍ପତି ଘରୁ ବାହାରି ସେହି ମାଘେ ପର୍ବରେ ସାମିଲ ହୋଇଥିଲେ। ନିଶାରେ ମସଗୁଲ ହୋଇ ସେମାନେ ଘଣ୍ଟାଏରୁ ଅଧିକ ସମୟ ହାତ ଧରାଧରି ହୋଇ ନାଚିଥିଲେ। ଅନ୍ଧାର ରାତିରେ ଦୁହେଁ ପରସ୍ପର ଠାରୁ କିଛି ସମୟ ପାଇଁ ଅଲଗା ହୋଇ ନାଚିଥିଲେ। ବର୍ଷା ଗାଁର ଅନ୍ୟ ଜଣେ ଯୁବକ ସହ ନାଚୁଥିବା ଦେଖି ଗୋପୀ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ବର୍ଷାଙ୍କୁ ଇସାରା କରି ରାଗ ତମତମ ହୋଇ ‌ଗୋପୀ ଘରକୁ ପଳାଇ ଆସିଥିଲେ।

ଏହି ସମୟରେ ଘର ଖୋଲା ଅଗଣାରେ ବାପାମାଆ ଶୋଇ ପଡ଼ିଥିଲେ। ଶୋଇବା ଘର ବରଗାରେ ସେ ଭାବୀ ପତ୍ନୀଙ୍କ ଶାଢ଼ିରେ ଝୁଲି ପଡ଼ିଥିଲେ। ଗଣପର୍ବରେ ଭାବୀ ସ୍ବାମୀ ତାଙ୍କୁ ଏକୁଟିଆ ଛାଡ଼ି ପଳାଇବାରେ ବର୍ଷାଙ୍କ ମନକୁ ପାପ ଛୁଇଁଥିଲା। କିଛି ସମୟ ମଧ୍ୟରେ ସେ ଘରେ ପହଞ୍ଚି ସ୍ବାମୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସ୍ବାମୀଙ୍କ ଭଳି ଚରମ ନିଷ୍ପତ୍ତି ନେଇ ନିଜ ଓଢ଼ଣିରେ ଝୁଲି ପଡ଼ିଥିଲେ। ସେହି ଘରେ ଶୋଉଥିବା କମଳି ରାତି ୧୧ଟା ବେଳେ ଘରେ ପଶିଲା ବେଳକୁ ଭାଇଭାଉଜଙ୍କ ଝୁଲନ୍ତା ମୃତଦେହ ଦେଖି ହତବାକ୍‌ ହୋଇଯାଇଥିଲେ। ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ୨ଟିଯାକ ମୃତଦେହ ଜବତକରି ତଦନ୍ତ ଜାରି ରଖିଥିବା କହନ୍ତି। ଅଭାବ ଅନଟନ ସାଙ୍ଗକୁ ସାଂସାରିକ ଜୀବନରେ ଅପରିପକ୍ବତା ହିଁ ଏଭଳି ଘଟଣା ପଛର ପ୍ରମୁଖ କାରଣ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking