ଭୁବନେଶ୍ବର: ଗୋଟିଏ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। କଳା,ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ଗୋଟିଏ ଦିନରେ ଜାଣିପାରିବେ ଛାତ୍ରଛାତ୍ରୀ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ପିଲାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହି ନିଷ୍ପତ୍ତି ନେଇଛି । ଯୁକ୍ତ ଦୁଇ ପରୀକ୍ଷା ଶେଷ ହେବାର ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି । ଏନେଇ ମଧ୍ୟ ଧାର୍ୟ୍ୟ ସମୟ ପୂର୍ବରୁ ଆଗୁଆ ମୂଲ୍ୟାୟନ କରାଯିବ। କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟଗୁଡ଼ିକରେ ଆଡମିସନ ପାଇଁ କ୍ୟାରିଅର ଓ ପ୍ରବେଶିକା ପରୀକ୍ଷା ରେଜଲ୍ଟକୁ ନେଇ ଚୂଡ଼ାନ୍ତ ମାର୍କ ପ୍ରକାଶ ପାଇଥାଏ । ମାତ୍ର ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇନଥିବାରୁ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ କି ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଡମିସନ ନେବାରୁ ବଞ୍ଚିତ ହେଇଥାନ୍ତି ଛାତ୍ରଛାତ୍ରୀ। ସେହିପରି ରେଜଲ୍ଟ ପ୍ରକାଶନରେ ବିଳମ୍ବ ପାଇଁ ସମର କ୍ରାସ କୋର୍ସ କରିପାରୁନାହାନ୍ତି ଅନେକ ଛାତ୍ରଛାତ୍ରୀ । ତେବେ ପ୍ରତିବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗୋଟିଏ ଦିନରେ ସମସ୍ତ ବିଭାଗର ପରୀକ୍ଷା ଫଳ ପ୍ରକାଶ ନେବା ପାଇଁ ନିଷ୍ପତ୍ତି ନେଇଥାଏ । ମାତ୍ର ତାହା ସଫଳ ହୋଇପାରିନାହିଁ । ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗୋଟିଏ ଦିନରେ ସମସ୍ତ ବିଭାଗର ପରୀକ୍ଷା ରେଜଲ୍ଟ ପ୍ରକାଶ କରି ପାରୁଛି ନା ନାହିଁ ତା ଉପରେ ଏବେ ନଜର।