ମୟୁରଭଞ୍ଜ: ଥାନା ଭିତରେ ନିଜ ବେକ କାଟି ଜୀବନ ହାରିବାକୁ ଉଦ୍ୟମ । ଚୋରି ଅଭିଯୋଗରେ ଅଟକ ଥିବା ଜଣେ ଅଭିଯୁକ୍ତ ଏପରି କାଣ୍ଡ ଭିଆଇଛନ୍ତି । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା ଟାଉନ ଥାନାରେ ଘଟିଛି ଏଭଳି ଘଟଣା । ସୂଚନା ଅନୁଯାୟୀ, ଗତ ଶନିବାର ଦିନ ବାରିପଦା ଟାଉନ ଥାନା ଅନ୍ତର୍ଗତ ବାରିପଦା ଷ୍ଟେସନ୍ ବଜାର ଅଞ୍ଚଳରେ ଗୋଟିଏ ଦୋକାନ ଗୃହର ତାଲା ଭାଙ୍ଗି ଚୋରି ହୋଇଥିଲା । ଏନେଇ ଦୋକାନ ମାଲିକ ଜଣକ ବାରିପଦା ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବାରିପଦା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ଚୋରି ଘଟଣାକୁ ନେଇ ସନ୍ଦେହ ହେବାରୁ ବାରିପଦା ଟାଉନ ଥାନା ପୋଲିସ ବାରିପଦା ସହରର ଜଣେ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା ଜାରି ରଖିଥିଲେ ।
ତେବେ ଯୁବକଙ୍କ ଥାନାକୁ ଆସି ପୁଅ ନିର୍ଦ୍ଦୋଷ ଥିବା ଦର୍ଶାଇ ପୁଅକୁ ଛାଡ଼ିବାକୁ ପୋଲିସ ନିକଟରେ ନେହୁରା ହୋଇଥିଲେ । ଏଥି ସହିତ ଯୁବକଙ୍କ ମାଆ ଚୋରି ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଗୋଡ଼ ଧରି କାନ୍ଦି କାନ୍ଦି ନେହୁରା ହୋଇ ପୁଅ ନାଁରେ ମାମଲା ପ୍ରତ୍ୟାହାର ପାଇଁ କହିଥିଲେ । ଏହି ସବୁ ଦୃଶ୍ୟ ଦେଖିବା ପରେ ଲକ୍ଷ୍ମୀ ଜେନାଙ୍କ ପୁଅ ମାଆର ଅପମାନ ସହି ନ ପାରି ନିଜ ପାଖରେ ରଖିଥିବା ଏକ ଧାରୁଆ ଜିନିଷ ସାହାଯ୍ୟରେ ନିଜ ବେକକୁ କାଟି ପକାଇଥିଲେ । ଫଳରେ ଥାନା ଭିତରେ ଯୁବକ ଜଣକ ରକ୍ତ ଜୁଡୁବୁଡୁ ସହ ଗୁରୁତର ହୋଇପଡିବାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରି ମେଡିକାଲକୁ ନେଇଥିଲା ପୋଲିସ । ସେଠାରେ ତାଙ୍କର ଚିକିତ୍ସା କରାଯାଇଛି । ତେବେ ଗୁରୁତର ଯୁବକ ଜଣକ ଭଞ୍ଜପୁର ଥାନା ୱାର୍ଡ ନଂ ୧୯ର ହୋଇଥିବା ଜଣାପଡିଛି । ତେବେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ସମ୍ପୃକ୍ତ ଯୁବକର ଚିକିତ୍ସା ଜାରି ରହିଥିବାବେଳେ କିଛି ସମୟ ପାଇଁ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।