ଭୁବନେଶ୍ୱର : ଦେଶରେ ଅଟୋମୋବାଇଲ ଶିଳ୍ପରେ ପ୍ରଥମଥର ପାଇଁ ପାଦ ଥାପିବ ଜେଏସ୍ଡବ୍ଲ୍ୟୁ । ଓଡ଼ିଶା ଶିଳ୍ପ ସମୃଦ୍ଧ ହେଉଥିବା ବେଳେ ଜେଏସଡବ୍ଲ୍ୟୁ କଟକ ନରାଜରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବା ନେଇ ଶନିବାର ଏକ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଜେଏସ୍ଡବ୍ଲ୍ୟୁ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଜେଏସ୍ଡବ୍ଲ୍ୟୁ ପକ୍ଷରୁ ଓଡ଼ିଶାରେ ଇଭି ବା ଇଲେକ୍ଟ୍ରିକ୍ ଭେଇକିଲ ଓ ବ୍ୟାଟେରୀ ପ୍ରସ୍ତୁତ କରାଯିବ। ଏହା ବିଶ୍ବର ସର୍ବବୃହତ ବ୍ୟାଟେରୀ ପ୍ରସ୍ତୁତ କାରଖାନା ତିଆରି ହେବ। ୫୦ ହଜାର ମେଗାଓ୍ବାଟର ବ୍ୟାଟେରୀ ମ୍ୟାନୁପ୍ୟାକ୍ଚରିଂ ୟୁନିଟ ପ୍ରସ୍ତୁତ ହେବ। ଇଭି ପାଇଁ ନରାଜଠାରେ କମ୍ପାନୀକୁ ୯ଶହ ଏକର ଜମି ଯୋଗାଇ ଦିଆଯାଇଛି । ସେହିପରି ପାରାଦୀପରେ କମ୍ପାନୀ ଇଭି ପାଇଁ ବ୍ୟାଟେରୀ ନିର୍ମାଣ କରିବ। ଏଥିପାଇଁ କମ୍ପାନୀ ଚିଲିରୁ କପର ଏବଂ ଅଷ୍ଟ୍ରେଲିଆରୁ ଲିଥିୟମ ଆଣିବ। ବ୍ୟାଟେରୀ ପାରାଦୀପରୁ ଆଣି ନରାଜରେ ଇଭିରେ ଫିଟିଂ କରିବ ଜେଏସ୍ଡବ୍ଲ୍ୟୁ। ଏହି ପ୍ରକଳ୍ପ ପାଇଁ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏଥିରେ ୧୧ରୁ ୧୨ ହଜାର ନିଯୁକ୍ତି ସୃଷ୍ଟି ହେବ। ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୧୧ ହଜାର ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଛି। ଆସନ୍ତା ଅକ୍ଟୋବରରେ ପ୍ରକଳ୍ପର ଶିଳାନ୍ୟାସ ହେବ। ୩ ବର୍ଷ ଭିତରେ ଆରମ୍ଭ ହେବ ଉତ୍ପାଦନ। ଉଭୟ ଯାତ୍ରୀବାହୀ ଏବଂ ବାଣିଜ୍ୟକ ଯାନ (ବସ, ଟ୍ରକ୍ ଓ କାର) ଏଠାରୁ ଉତ୍ପାଦନ ହେବ। ଜେଏସଡବ୍ଲୁ ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଏହି ପ୍ରକଳ୍ପ ବହୁତ ବଡ଼ ପ୍ରକଳ୍ପ ହେବ। ବିଶ୍ୱର ସବୁଠୁ ବଡ଼ ବ୍ୟାଟେରୀ ଶିଳ୍ପ ହେବ ଓ ଶିଳ୍ପ କ୍ଷେତ୍ର ରେ ପରିବର୍ତ୍ତନ ଆଣିବ। ଜମି ଅଛି। ପରିବେଶ ମଞ୍ଜୁରୀ ମିଳିଲେ କାମ ଆରମ୍ଭ ହେବ। ବର୍ଷା ଦିନ ପରେ କାମ ଆରମ୍ଭ ହେବ। ଦୁଇ ବର୍ଷ ଭିତରେ ଉତ୍ପାଦନ ଆରମ୍ଭ ହେବ। କମର୍ସିଆଲ ଓ ପାସେଞ୍ଜର ସବୁ ଗାଡ଼ି ପର୍ଯ୍ୟାୟ କ୍ରମେ ତିଆରି ହେବ। ଅଷ୍ଟ୍ରେଲିଆ, ଥାଇଲାଣ୍ଡ, ବାଂଲାଦେଶ ଓ ମାଲେସିଆ ବଜାରକୁ ଗାଡ଼ି ରପ୍ତାନି କରାଯିବ। ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ କହିଛନ୍ତି ଯେ ରାଜ୍ୟ ଆଶ୍ଚର୍ଯ୍ୟଜନକ ଅଭିବୃଦ୍ଧି ସହ ଶିଳ୍ପ ଅଭିବୃଦ୍ଧିର ନୂତନ କ୍ଷେତ୍ରରେ ପ୍ରବେଶ କରୁଛି। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଯୋଗ ଦେଇଥିଲେ । ସର୍ବଶେଷରେ ହେମନ୍ତ ଶର୍ମା ତାଙ୍କ ଭାଷଣରେ ଏହି ପ୍ରକଳ୍ପର ବିବରଣୀ ଏବଂ ଶିଳ୍ପ କ୍ଷେତ୍ର ତଥା ଓଡିଶାର ଭବିଷ୍ୟତ ଉପରେ ଏହାର ପ୍ରଭାବ କୁ ବର୍ଣ୍ଣନା କରିଥିଲେ । ଆଇଡିସିଓ ଏମଡି ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସମାପନ କରିଥିଲେ ।