ଭୁବନେଶ୍ବର: ଆରମ୍ଭ ହୋଇଛି ଏକାମ୍ର ଉତ୍ସବ । ଓଡିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମଥର “ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ” କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ତେବେ ୭ ଦିନ ଧରି ଚାଲିବାକୁ ଥିବା ଏହି ଏକାମ୍ର ଉତ୍ସବର ଗତକାଲି ଦ୍ୱିତୀୟ ସନ୍ଧ୍ୟା ଥିଲା । ଏହି ଉତ୍ସବ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ) ପକ୍ଷରୁ ଆରମ୍ଭ ହୋଇଥିବା ବେଳେ ସଙ୍ଗୀତର ମୂର୍ଚ୍ଛନା କାର୍ଯ୍ୟକ୍ରମର ଦ୍ୱିତୀୟ ସନ୍ଧ୍ୟାର ସଙ୍ଗୀତ ଆସରର ନାମ ସଙ୍ଗୀତର ତାଳେ ତାଳେ ରହିଥିଲା । ଏଥିରେ ଦୁଇ ବରିଷ୍ଠ ବଲିଉଡ଼ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ ଓ ସୁରେଶ ୱାଡେକରଙ୍କ ସଙ୍ଗୀତରେ ମନ୍ତ୍ର ମୁଗ୍ଧ ହୋଇଥିଲେ ଉପସ୍ଥିତ ଦର୍ଶକ ।
ତାଙ୍କ କଣ୍ଠରୁ ଚିର ସବୁଜ ଓଡ଼ିଆ ଗୀତ ଗୁଡ଼ିକୁ ଶ୍ରୋତା ମନ ଭରି ଉପଭୋଗ କରିଥିଲେ । ଅନୁରାଧାଙ୍କ କଣ୍ଠରୁ ଜଗତର ନାଥ ଜଗନ୍ନାଥଙ୍କ ଉପରେ ଆଧାରିତ ସଙ୍ଗୀତରୁ ସନ୍ଧ୍ୟା ଆରମ୍ଭ ହୋଇଥିଲା । କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା, କେରି କେରି ସୁନା ଦୁବ ଆଦି ଓଡ଼ିଆର ସୁମଧୁର ସଂଗୀତ ଗାଇ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏଥିସହ ଆସିବ ବର ତୋର ହୋଇବ ବାହାଘର, ଏଇ ପାହାଡ଼ ସେ ପାଖେ, ଏ ଫୁଲ କହ ଥରେ ଭଳି ସଙ୍ଗୀତ ଗାନ କରିଥିଲେ ।
ସେହିପରି ଅନୁରାଧା ପୌଡ଼ୱାଲଙ୍କ ପରେ ଆରମ୍ଭ ହୋଇଥିଲା ସୁରେଶଙ୍କ କଣ୍ଠରୁ ମନକୁ ଛୁଇଁଲା ଭଳି ସୁମଧୁର ସଙ୍ଗୀତ। ରୂପସୀ ପ୍ରୀୟସି, ସରିଗଲା ମିଛି ମିଛିକା ବାହାଘର, ଆଲୋ ମୋର କଣ୍ଢେଇ, ସିନ୍ଦୂର ମଥାରେ ତୋର ଆଦି ଗୀତ ଗାଇ ସନ୍ଧ୍ୟାର ସଂଗୀତ ଆସରକୁ ଦ୍ୱିଗୁଣିତ କରିଥିଲେ। ସଙ୍ଗୀତର ଅସାର ସହ ରାଜଧାନୀବାସୀ ଏହି ସୁନ୍ଦର ଏକାମ୍ର ଉତ୍ସବକୁ ଦେଖିବାକୁ ଆସିଥିବା ବେଳେ ଏହାର ଭରପୁର ମଜା ଉଠାଇଛନ୍ତି । ଲୋକଙ୍କୁ ଆଗମନକୁ ନେଇ ରବିବାର ସନ୍ଧ୍ୟାରେ ବେଶ ଭିଡ ପରିଲିକ୍ଷିତ ହୋଇଥିଲା ।