ମୁମ୍ବାଇ: ପାଠ ନପଢ଼ି ଅଶ୍ଳୀଳ ଫିଲ୍ମ ଦେଖୁଥିଲା ପୁଅ । ସ୍କୁଲରେ ସହପାଠୀଙ୍କୁ ବି ଖରାପ ବ୍ୟବହାର କରୁଥିଲା । ଏହା ଜାଣିବା ପରେ ରାଗିରେ ନିଜର ୧୪ ବର୍ଷୀୟ ପୁଅକୁ ବିଷ ଦେଇ ହତ୍ୟା କଲା ବାପା । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମହାରାଷ୍ଟ୍ର ସୋଲାପୁରରେ । ପୁଅକୁ ମାରିବା ପରେ ଅଭିଯୁକ୍ତ ଡ୍ରେନରେ ମୃତଦେହ ଭସାଇ ଦେଇଥିଲା । ହେଲେ ମୃତଦେହ ମିଳିବା ପରେ ପୋଲିସ ତଦନ୍ତ କରି ଘଟଣାର ପର୍ଦ୍ଦାଫାସ କରିଛି । ଅଭିଯୁକ୍ତ ନିଜର ଦୋଷ ମାନି ଥିବାବେଳେ ତାକୁ ଗିରଫ କରାଯାଇଛି । ସୂଚନା ମୁତାବକ, ଅଭିଯୁକ୍ତର ନାମ ବିଜୟ ବଟ୍ଟୁ, ସେ ବୃତ୍ତିରେ ଜଣେ ଦରଜୀ । ବିଜୟ ନିଜର ଦୁଇ ପିଲା ଓ ପତ୍ନୀଙ୍କ ସହ ସୋଲାପୁର ସହରରେ ରହୁଥିଲେ ।
ସ୍କୁଲରେ ପଢୁଥିବା ତାଙ୍କର ୧୪ ବର୍ଷୀୟ ପୁଅ ସବୁ ଦିନ ନିଜ ଫୋନରେ ଅଶ୍ଳୀଳ ଫିଲ୍ମ ଦେଖୁଥିଲା । ସ୍କୁଲରେ ମଧ୍ୟ ସେ ନିଜ ସହପାଠୀଙ୍କୁ ଖରାପ ବ୍ୟବହାର କରୁଥିବା ଓ ହଇରାଣ ହରକତ କରୁଥିବା ଅଭିଯୋଗ ଆସୁଥିଲା । ପୁଅର ଏଭଳି କାରନାମାରେ ଖୁବ୍ ରାଗି ଯାଇଥିଲେ ବିଜୟ । ଶେଷରେ ରାଗରେ ହିତାହତ ଜ୍ଞାନ ଭୁଲି ନିଜ ପୁଅକୁ ବିଷ ଦେଇ ମାରି ଦେଇଥିଲେ ଏବଂ ମୃତଦେହକୁ ଲୁଚାଇ ନେଇ ଡ୍ରେନରେ ଭସାଇ ଦେଇଥିଲେ । ତେଣେ ପୁଅର କିଛି ଖୋଜଖବର ନ ମିଳିବାରୁ ତାଙ୍କ ପତ୍ନୀ ବ୍ୟସ୍ତବିବ୍ରତ ହୋଇପଡିଥିଲେ । ତେଣୁ ଯେପରି ତାଙ୍କ ଉପରେ କାହାର ସନ୍ଦେହ ନହୁଏ, ସେଥିପାଇଁ ବିଜୟ ଗତ ଜାନୁଆରୀ ୧୩ ତାରିଖ ଦିନ ନିଜ ସ୍ତ୍ରୀଙ୍କ ସହ ଥାନାକୁ ଯାଇ ପୁଅର ନିଖୋଜ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ଚାରିଆଡେ ଛାନଭିନ୍ ଆରମ୍ଭ କରିଥିଲା । ଏହାର ଦିନକ ପରେ ପୋଲିସ ଡ୍ରେନରୁ ନାବାଳକର ମୃତଦେହ ଉଦ୍ଧାର କରିଥିଲା । ବ୍ୟବଚ୍ଛେଦ ପରେ ମୃତଶରୀରରେ ବିଷାକ୍ତ ସୋଡିୟମ ନାଇଟ୍ରେଟ ମିଳିଥିଲା ।