23.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଏୟାରଷ୍ଟ୍ରାଇକ୍ ପରେ ବଢିଲା ଇରାନ୍‌-ପାକିସ୍ତାନ ତିକ୍ତତା

ଏୟାରଷ୍ଟ୍ରାଇକ୍ ପରେ ବଢିଲା ଇରାନ୍‌-ପାକିସ୍ତାନ ତିକ୍ତତା

ଇସାଲାମାବାଦ: ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ଉପରେ ଇରାନ୍ ପକ୍ଷରୁ ଏୟାରଷ୍ଟ୍ରାଇକ୍ କରାଯିବା ଘଟଣାକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି । ଏୟାରଷ୍ଟ୍ରାଇକ୍‌ର ଜରୁରି ପ୍ରଭାବ ସ୍ୱରୂପ ପାକିସ୍ତାନ, ଇରାନ୍‌ରେ ଅବସ୍ଥାପିତ ଥିବା ନିଜ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହୃତ କରିନେଇଛି ।

ସେହିପରି ପାକିସ୍ତାନରେ ଅବସ୍ଥାପିତ ଇରାନ୍ ରାଷ୍ଟ୍ରଦୂତଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ପାକିସ୍ତାନ ସରକାର ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି । ତେବେ ଏପ୍ରକାର ଘଟଣା ପରେ ଉଭୟ ଇରାନ୍ ସରକାର ଏବଂ ପାକିସ୍ତାନ ସରକାର ନିଜ ନିଜ ସୀମାରେ ସୈନ୍ୟ ଠୁଳ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଦେଇଛନ୍ତି । ଇରାନ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାକିସ୍ତାନ ଏବେ ଆତଙ୍କବାଦୀ ଗୋଷ୍ଠୀଙ୍କୁ ଢ଼ାଲ କରିବା ପୂର୍ବକ ଇରାନ୍ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଇରାନ୍ ସରକାର ଆଶଙ୍କା କରୁଛନ୍ତି । ସୁତରାଂ ପାକିସ୍ତାନ ସହ ସଂଲଗ୍ନ ସୀମାରେଖାରେ ବ୍ୟାପକ ସେନା ଯବାନଙ୍କୁ ମୁତୟନ ହେବାକୁ ସ୍ଥାନୀୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ, ମଙ୍ଗଳବାର ବିଳମ୍ବିତ ରାତ୍ର ସମୟରେ ବେଲୁଚିସ୍ତାନରେ ନିଜର ସାମ୍ରାଜ୍ୟକୁ ବିସ୍ତାର କରିଥିବା ଜୈଶ-ଅଲ-ଅଦଲ୍ ଆତଙ୍କବାଦୀ ସଂଗଠନର ୨ଟି ଠିକଣା ଉପରେ ଇରାନ୍ ବାୟୁସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା । ପାକିସ୍ତାନ ସୀମାରେଖା ଠାରୁ ପ୍ରାୟ ୧୨୨ କିମି ଦୂର ତୁର୍ବତ ଏବଂ ପଞ୍ଚକୁର ଅଞ୍ଚଳରେ ରହିଥିବା ଜୈଶ-ଅଲ-ଆଦିର ଆତଙ୍କୀ ଆଡ୍ଡା ଉପରେ ଏହି ଆକ୍ରମଣ କରାଯାଇଛି । ଯଦିଓ ଏହି ଆକ୍ରମଣରେ ୧୦୦ରୁ ଅଧିକ ଆତଙ୍କୀ ନିହତ ହୋଇଥିବା ଇରାନ୍ ବାୟୁସେନା ପକ୍ଷରୁ ଦାବି କରାଯାଉଛି, ପାକିସ୍ତାନ କିନ୍ତୁ ଏହାକୁ ଖାରଜ କରିଛି ।

ପାକିସ୍ତାନ ପକ୍ଷରୁ ଏହି ଆକ୍ରମଣରେ ୨ଶିଶୁ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଥିବା ପ୍ରତିକ୍ରିୟାରେ କୁହାଯାଇଛି । ନିଜ ସାର୍ବଭୌମତ୍ୱର ଉଲ୍ଲଂଘନକୁ ତୀବ୍ର ବିରୋଧ କରୁଥିବା ପାକିସ୍ତାନ ଏହି ଆକ୍ରମଣକୁ ଗମ୍ଭୀରତା ସହ ଗ୍ରହଣ କରିଥିବା ଉଲ୍ଲେଖ କରିଛି । ସେହିପରି ପାକ୍ ବିଦେଶ ମନ୍ତ୍ରଣାଳୟ ଏହାର ଗୁରୁତର ପରିଣାମ ହୋଇପାରେ ବୋଲି ପରୋକ୍ଷରେ ଇରାନ୍‌କୁ ଚେତାବନୀ ମଧ୍ୟ ଦେଇଛି । ତେବେ ଇରାନ୍ ବାୟୁସେନାର ଏପ୍ରକାର ଆକ୍ରମଣ ପରେ ପାକିସ୍ତାନ ସରକାର ଏବଂ ପାକିସ୍ତାନୀ ସେନା ପରିହାସର ପାତ୍ର ପାଲଟିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking