ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ବିଲ୍କିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ରାୟ ଦେଇଛନ୍ତି । ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି ଦେବା ଉଚିତ୍ ନୁହେଁ ବୋଲି ଉଲ୍ଲେଖ କରିବା ସହ ଗୁଜରାଟ ସରକାର ଏହି ମାମଲାରେ ସମ୍ପୃକ୍ତ ଅପରାଧୀଙ୍କୁ ମୁକ୍ତ କରାଯିବା ନେଇ ଦେଇଥିବା ଆଦେଶକୁ ମଧ୍ୟ ରଦ୍ଦ କରିଦେଇଛନ୍ତି । ସୁପ୍ରିମକୋର୍ଟ ନିଜ ରାୟରେ ଆସନ୍ତା ୨ ସପ୍ତାହ ମଧ୍ୟରେ ସମସ୍ତ ଦୋଷୀଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏପ୍ରକାର ରାୟ ଆସିବା ପରେ ଜୀବନ ଭୟରେ ଲୁଚି ଲୁଚି ନିଜ ପରିବାର (ସ୍ୱାମୀ ଓ ପିଲା)ଙ୍କ ସହ ରହୁଥିବା ବିଲ୍କିସ୍ ବାନୋ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏତେ ଦିନ ପରେ ତାଙ୍କୁ ବାସ୍ତବରେ ନ୍ୟାୟ ମିଳିଛି । ସେ ଏବେ ନିଶ୍ୱାସ ନେଇପାରୁଛନ୍ତି । ଆଜି ଠୁ ତାଙ୍କ ପାଇଁ ପ୍ରକୃତରେ ନୂଆବର୍ଷ ଆରମ୍ଭ ହେଲା ବୋଲି ବିଲ୍କିସ୍ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବିଲ୍କିସ୍ଙ୍କ ସମର୍ଥନରେ ତାଙ୍କ ଘର ଆଗରେ ବାଣଫୁଟାଇ ଖୁସି ଜାହିର କରାଯାଇଥିଲା ।
ବିଲ୍କିସ୍ ବାନୋ ଘଟଣାରେ ଅପରାଧୀ ସାବ୍ୟସ୍ତ ହୋଇ ଜେଲ୍ଦଣ୍ଡ ଭୋଗୁଥିବା ୧୧ଜଣ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରି ଦିଆଯାଇଥିଲା । ଗୁଜରାଟ ସରକାରଙ୍କ ସୁପାରିଶକ୍ରମେ ଏପରି କରାଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ଏପ୍ରକାର ନିଷ୍ପତ୍ତିକୁ ବିଲ୍କିସ୍ ବାନୋ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ । ଜଷ୍ଟିସ୍ ବିଭି ନାଗରତ୍ନା ଏବଂ ଜଷ୍ଟିସ୍ ଉଜ୍ୱଳ ଭୂୟାଁଙ୍କ ସ୍ୱତନ୍ତ୍ର ବେଞ୍ଚ ଗତ ୧୨ ଅକ୍ଟୋବର ୨୦୨୩ରେ ଏହି ମାମଲାର ଶୁଣାଣି ଶେଷ କରିଥିଲେ ମଧ୍ୟ ସେତେବେଳେ ରାୟ ସଂରକ୍ଷିତ ରଖିଥିଲେ । ତେବେ ଆଜି ଏହି ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଏହି ଅବସରରେ ଖଣ୍ଡପୀଠ ୨୦୨୨ରେ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି ଅଜୟ ରସ୍ତୋଗୀ (ଅବସରପ୍ରାପ୍ତ)ଙ୍କ ଏକ ଅନୁମତିକୁ ମଧ୍ୟ ରଦ୍ଦ କରିଦେଇଛନ୍ତି । ସେତେବେଳେ ଜଷ୍ଟିସ୍ ରସ୍ତୋଗୀ ଦୋଷୀଙ୍କ ପକ୍ଷରୁ ଗୁଜରାଟ ସରକାରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ପାଇଁ କରାଯାଇଥିବା ଏକ ଆବେଦନକୁ ଅନୁମତି ଦେଇଥିଲେ । ଜଷ୍ଟିସ ନାଗରତ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏପ୍ରକାର ଆବେଦନ କିମ୍ବା ଏହା ଉପରେ ଅନୁମତିକୁ ଖାରଜ କରିଦେଇଛନ୍ତି ।
ଏଥିସହ ଖଣ୍ଡପୀଠ ଶୁଣାଣି କାଳରେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ୧୧ଜଣ ଦୋଷୀଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେବାର କୌଣସି ଅଧିକାର ଗୁଜରାଟ ସରକାରଙ୍କ ନିକଟରେ ନାହିଁ । ଯଦିଓ ଘଟଣାଟି ଗୁଜରାଟରେ ଘଟିଥିଲା, କିନ୍ତୁ ଏହି ମାମଲାର ଶୁଣାଣି ପ୍ରକ୍ରିୟା ମହାରାଷ୍ଟ୍ର କୋର୍ଟରେ ବିଚାରାଧୀନ ରହିଛି । ସୁତରାଂ ଦୋଷୀଙ୍କୁ କ୍ଷମା କରାଯିବା ନଯିବା, ମୁକ୍ତ କରାଯିବା ନଯିବା ଆଦି ସମ୍ପର୍କୀତ ନିଷ୍ପତ୍ତି ନେବାର ଅଧିକାର ମହାରାଷ୍ଟ୍ର ସରକାରଙ୍କ ପାଖରେ ରହିଛି ।
ପ୍ରକାଶ ଯେ ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲ୍କିସ୍ ବାନୋଙ୍କୁ ଅପରାଧୀମାନେ ଗଣଦୁଷ୍କର୍ମ କରିଥିଲେ । ଏପରିକି ତାଙ୍କରି ସମ୍ମୁଖରେ ତାଙ୍କ ପରିବାରର ଅନ୍ୟ ମହିଳାଙ୍କୁ ମଧ୍ୟ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିଲା । ସେହିପରି ପରିବାର ସମସ୍ତ ପୁରୁଷଙ୍କୁ ମଧ୍ୟ ଅତ୍ୟନ୍ତ ନିର୍ମମ ଭାବେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିଲା । ଏହି ସମୟରେ ବିଲ୍କିସ୍ ବାନୋ ୫ ମାସର ଗର୍ଭବତୀ ଥିଲେ । ତଥାପି ଅପରାଧୀମାନେ ତାଙ୍କ ପ୍ରତି କୌଣସି ମଣିଷପଣିଆ ଦେଖାଇନଥିଲେ । ଫଳରେ ବାନୋ ନିଜ ଗର୍ଭସ୍ଥ ସନ୍ତାନକୁ ସବୁଦିନ ପାଇଁ ହରାଇଥିଲେ । ଏପ୍ରକାର ଏକ ଜଘନ୍ୟ ଅପରାଧରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । କିନ୍ତୁ ରାଜ୍ୟ ସରକାର ସେମାନଙ୍କୁ ଜେଲ୍ରେ ଉତ୍ତମ ବ୍ୟବହାର ତଥା ଆଚରଣ ପ୍ରଦର୍ଶନ ଆଳରେ ଜେଲ୍ଦଣ୍ଡାଦେଶର ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ୍ ୨୦୨୨ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତାର ଅମୃତ ମହୋତ୍ସବରେ ହିଁ ମୁକ୍ତ କରିଦେଇଥିଲେ ।
ଏହାପରେ ୩୦ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟରେ ବିଲ୍କିସ୍ଙ୍କ ପକ୍ଷରୁ ଦୁଇଟି ଆବେଦନ କରାଯାଇଥିଲା । ଦୋଷୀଙ୍କୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ୍ କରି ପ୍ରଥମ ଆବେଦନରେ ସେମାନଙ୍କୁ ତୁରନ୍ତ ଜେଲ୍କୁ ପଠାଇବାକୁ ଦାବି କରାଯାଇଥିଲା । ଦ୍ୱିତୀୟ ଆବେଦନରେ ସୁପ୍ରିମକୋର୍ଟଙ୍କ ଆଦେଶର ପୁନର୍ବିଚାର କରିବାକୁ ଦାବି କରାଯାଇଥିଲା । କାରଣ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି ଜଷ୍ଟସ୍ ରସ୍ତୋଗୀ ମେ ୨୦୨୩ରେ ନିଜ ରାୟରେ କହିଥିଲେ ଗୁଜରାଟ ସରକାର ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେବେ । ଏହାପରେ ସେମାନଙ୍କୁ ମୁକ୍ତ କରିଦିଆଯାଇଥିଲା ।