ଆଇଜଲ୍: ମିଆଁମାରରେ ସେନା ଏବଂ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଏପର୍ଯ୍ୟନ୍ତ ଜାରି ରହିଛି । ଏଥିପାଇଁ ମିଆଁମାରରେ ଅଧିକାଂଶ ସମୟ ଅସ୍ଥିରତା ଲାଗି ରହୁଥିବା ଦେଖିବାକୁ ମିଳୁଛି । ତେବେ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରାୟ ୧୫୧ ଜଣ ମିଆଁମାର ସୈନିକ ମିଜୋରାମ୍ରେ ଅନୁପ୍ରବେଶ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି, ଯାହାକି ଭାରତ ସରକାରଙ୍କ ନିଦ ହଜାଇ ଦେଇଛି ।
ଆସାମ ରାଇଫଲ୍ସର ଜଣେ ବରିଷ୍ଠ ଅଧିକାରୀ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଭାରତୀୟ ସୀମା ସଂଲଗ୍ନ ମିଆଁମାର ସେନା ବେସ୍ ଉପରେ ସେଠାକାର ସ୍ଥାନୀୟ ବିଦ୍ରୋହୀ ଗୋଷ୍ଠୀ ଅରାକାନ୍ ଆର୍ମି (ଏଏ) ଆକ୍ରମଣ କରିବା ସହ ଏହାକୁ ନିଜ କବ୍ଜାକୁ ନେଇଛି । ଏମାନେ ବିଦ୍ରୋହୀ ଗୋଷ୍ଠୀର ଲଢ଼ୁଆ ଯୁବଗୋଷ୍ଠୀଙ୍କ ପ୍ରଚଣ୍ଡ ଆକ୍ରମଣରେ ଭୟଭୀତ ହୋଇ ସୀମା ଏପଟକୁ ଅର୍ଥାତ୍ ଭାରତୀୟ ସୀମାରେଖା ମଧ୍ୟକୁ ପ୍ରବେଶ କରିଆସିଛନ୍ତି । ମିଆଁମାର ସୈନିକମାନେ ନିଜ ନିଜ ଅସ୍ତ୍ରଶସ୍ତ୍ର ସହ ଆସାମର ଲୁଙ୍ଗତଲାଇ ଜିଲ୍ଲାର ତୁଇସେଣ୍ଟଲାଙ୍ଗ୍କୁ ଚାଲିଆସିଥିଲେ । ତେବେ ଏଠାରେ ପହଞ୍ôଚବା ପରେ ଆସାମ ରାଇଫଲ୍ସ ଯବାନଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ସହ ରହିବା ପାଇଁ ଆଶ୍ରୟ ମାଗିଥିଲେ । ମାନବିକତା ଆଧାରରେ ଆସାମ ରାଇଫଲ୍ସ ପକ୍ଷରୁ ମିଆଁମାର ସୈନିକଙ୍କୁ ଶରଣ ଦିଆଯିବା ସହ ଖାଦ୍ୟ ଏବଂ ପ୍ରାଥମିକ ମେଡିକାଲ ଟ୍ରିଟ୍ମେଣ୍ଟ ଯୋଗାଇ ଦିଆଯାଇଛି ।
ଆସାମ ରାଇଫଲ୍ସ ପକ୍ଷରୁ ଏସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି ଯେ, ବେଶ୍ କିଛି ଦିନ ଧରି ଭାରତୀୟ ସୀମା ଆଖପାଖ ଅଞ୍ଚଳରେ ମିଆଁମାର ସେନା ଏବଂ ଅରାକାନ୍ ସେନା ମଧ୍ୟରେ ଲଗାତାର ଯୁଦ୍ଧ ଜାରି ରହିଛି । ଅନ୍ୟପକ୍ଷେ ଗତ ୧ଠ ବର୍ଷ ମଧ୍ୟରେ ବିଦ୍ରୋହୀ ଗୋଷ୍ଠୀ ମିଆଁମାରରେ ସବୁଠୁ ଅଧିକ ଶକ୍ତିଶାଳୀ ଜାତୀୟ ସଶସ୍ତ୍ର ସମୂହ ସାବ୍ୟସ୍ତ ହୋଇଛି । ସେମାନେ ଏବେ ମିଆଁମାର ସେନାକୁ ମୁହଁତୋଡ ଜବାବ ଦେଉଥିବାର ମଧ୍ୟ ଦେଖିବା ଶୁଣିବାକୁ ମିଳୁଛି । ତେବେ ଆବଶ୍ୟକ ପ୍ରକ୍ରିୟା ପରେ ଭାରତୀୟ ସେନା ପକ୍ଷରୁ ମିଜୋରାମ୍ରେ ଅନୁପ୍ରବେଶ କରିଥିବା ମିଆଁମାର ସୈନିକଙ୍କୁ ମିଆଁମାର ସେନା ହାତରେ ହସ୍ତାନ୍ତର କରାଯିବ ବୋଲି ଆସାମ ରାଇଫଲ୍ସ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ୨ଠ୨୩ ମାର୍ଚ୍ଚ ସୁଦ୍ଧା ମିଜୋରାମ୍ରେ ପ୍ରାୟ ୩୧୫ଠଠ ଶରଣାର୍ଥୀ ଅନୁପ୍ରବେଶ କରିବା ପୂର୍ବକ ବସବାସ କରୁଛନ୍ତି । ମିଜୋରାମ୍ର ସମସ୍ତ ୧୧ଟି ଯାକ ଜିଲ୍ଲାରେ ଏହି ମିଆଁମାର ଶରଣାର୍ଥୀଙ୍କ ଉପସ୍ଥିତି ରହିଛି । ନଭେମ୍ବର ୨ୟ ସପ୍ତାହରେ ମିଆଁମାର ସେନା ପକ୍ଷରୁ ସୀମାଅଞ୍ଚଳରେ ବୋମାମାଡ଼ କରାଯିବା ପରେ ୫ହଜାରରୁ ଅଧିକ ମିଆଁମାର ନାଗରିକ ମିଜୋରାମ୍ରେ ଅନୁପ୍ରବେଶ କରିଥିଲେ । ୨ଠ୨୧େ ଫେବ୍ରୁଆରୀରେ ମିଆଁମାର ସେନା ସେଠାରେ ଥିବା ଲୋକତାନ୍ତ୍ରିକ ସରକାରଙ୍କୁ ବଳପୂର୍ବକ ହଟାଇ ଦେଇଥିଲା ଏବଂ ନିଜେ ଶାସନ କ୍ଷମତା ଉପରେ କବ୍ଜା କରିନେଇଥିଲା ।
ମିଆଁମାର ଷ୍ଟେଟ୍ କାଉନସିଲର ଅଙ୍ଗ ସାନ୍ ସୁ କି ଏବଂ ରାଷ୍ଟ୍ରପତି ୱିନ୍ ମିଣ୍ଟ ସମେତ ଅନେକ ନେତାଙ୍କୁ ମିଆଁମାର ସେନା ମିଛ ଅଭିଯୋଗରେ ଗିରଫ କରିବା ସହ ଜେଲ୍ ପଠାଇଦେଇଥିଲା । ପରେ ମିଆଁମାର ସେନାର ମିଲିଟାରୀ ଲିଡର ଜେନେରାଲ ମିନ୍ ଅଙ୍ଗ୍ ହଲିଙ୍ଗ୍ ନିଜକୁ ଦେଶର ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଏହାପର ଠାରୁ ମିଆଁମାରରେ ଗୃହଯୁଦ୍ଧ ଚାଲିଆସୁଛି । ଏଥିପାଇଁ ମିଜୋରାମ୍ରୁ ହଜାର ହଜାର ଲୋକ ଜୀବନ ବିକଳରେ ଭାରତ ଚାଲିଆସୁଛନ୍ତି ।