ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ପ୍ରତ୍ୟେକ ବ୍ୟକ୍ତି ଯେପରି ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବ ସେଥିଲାଗି ମେଡିକାଲଗୁଡିକର ଭିତ୍ତିଭୂମି, ଡାକ୍ତର ନିଯୁକ୍ତି ଆଦି ପ୍ରତ୍ୟେକ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ବିଏସ୍କେୱାଇ ମାଧ୍ୟରେ ଯେପରି ରୋଗୀମାନେ ରାଜ୍ୟ ଏବଂ ରାଜ୍ୟବାହାରେ ଥିବା ପ୍ରତିଷ୍ଠିତ ଡାକ୍ତରଖାନାରେ ଉତ୍ତମ ସେବା ପାଇପାରୁଛନ୍ତି ସେହିଭଳି ବିଭିନ୍ନ ରୋଗର ପରୀକ୍ଷା ଲାଗି ରାଜ୍ୟ ସରକାର ପୁଣି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟର ସମସ୍ତ ବ୍ଲକସ୍ତରରେ ବିଭିନ୍ନ ପରୀକ୍ଷା ଲାଗି ଲାବୋରେଟୋରୀ ପ୍ରତିଷ୍ଠ କରାଯିବ ।
ଏହାବ୍ୟତୀତ ଜିଲ୍ଲାମୁଖ୍ୟ ହସ୍ପିଟାଲରେ ଏହାର ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ । ରୋଗୀ ନିଜ ବ୍ଲକରେ ଥିବା ଲାବୋରୋଟୋରୀରେ ନିଜର ପରୀକ୍ଷା କରିପାରିବେ । ଏହାବ୍ୟତୀତ ଟେଷ୍ଟ ରିପୋର୍ଟ ଲାଗି ମଧ୍ୟ ରୋଗୀ କିମ୍ବା ସେମାନଙ୍କର ସମ୍ପର୍କୀୟଙ୍କୁ ଅନ୍ଲାଇନ୍ ମାଧ୍ୟମରେ ପ୍ରଦାନ କରାଯିବ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ହସ୍ପଟାଲରେ ବିଭିନ୍ନ ରୋଗର ମାଗଣା ଟେଷ୍ଟ କରାଯାଉଥିବା ବେଳେ ବ୍ଲକସ୍ତରରେ ଏହି ବ୍ୟବସ୍ଥା ପ୍ରଥମଥର ଲାଗି କାର୍ଯ୍ୟକାରୀ ହେବାକୁ ଯାଉଛି । ତେବେ ବ୍ଲକସ୍ତରରେ ହେବାକୁ ଥିବା ଲାବୋରୋଟୋରୀ ଗୁଡିକରେ କେଉଁ ସବୁ ପରୀକ୍ଷା କରାଯିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ପ୍ରାଥମିକସ୍ତରରେ ୬୦% ରୋଗର ପରୀକ୍ଷା କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨ମାସ ମଧ୍ୟରେ ପ୍ରାୟ ସବୁ ରୋଗର ମାଗଣା ପରୀକ୍ଷା ବ୍ୟବସ୍ଥା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି । ଟେଷ୍ଟ ରିପୋର୍ଟ ୨୪ଘଣ୍ଟା ମଧ୍ୟରେ ଉଭୟ ଅନ୍ଲାଇନ ଏବଂ ଅଫ୍ଲାଇନ୍ ମାଧ୍ୟମରେ ରୋଗୀଙ୍କୁ ଦିଆଯିବ ।