ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ମିଗ୍ଜୋମ୍’ କ୍ରମଶଃ ସ୍ଥଳଭାଗ ଆଡକୁ ଅଗ୍ରସର ହେଉଥିବାବେଳେ ଭୀଷଣ ବାତ୍ୟାର ରୂପ ଧାରଣ କରୁଛି ବୋଲି ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି । ଏହି ବାତ୍ୟା ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଅପରାହ୍ନରେ ଆନ୍ଧ୍ରପ୍ରଦେଶର ନେଲୋର ଓ ମଛଲିପଟ୍ଟନମ୍ରେ ଲ୍ୟାଣ୍ଡଫଲ୍ କରିବ ବୋଲି ଅନୁମାନ କରାଯାଉଛି । ଆଇଏମ୍ଡି ପକ୍ଷରୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ୟାନମ୍ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ତେବେ ଏହି ଝଡ଼ର ପ୍ରଭାବରେ ସୋମବାର ତାମିଲନାଡୁ ଓ ପୁଦୁଚେରୀରେ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି ।
ତାମିଲନାଡୁର ଚେନ୍ନାଇ, ଚେଙ୍ଗଲପଟ୍ଟୁ, କାଞ୍ଚିପୁରମ, ନାଗାପଟ୍ଟିନମ୍ ଓ କୁଡାଲୋର ଜିଲ୍ଲାରେ ବର୍ଷା ବିତ୍ପାତ ଦେଖାଯାଇଥିବାବେଳେ ସବୁଠାରୁ ଅଧିକ ପ୍ରଭାବ ଥିରୁଭାଲୁର ଜିଲ୍ଲାରେ ପରିଲକ୍ଷିତ ହୋଇଛି । ଚେନ୍ନାଇରେ ବର୍ଷା ଜନିତ ଘଟଣାରେ ୩ ଜଣ ପ୍ରାଣ ହରାଇଥିବା କୁହାଯାଇଛି । ଚେନ୍ନାଇ ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଥିବାବେଳେ ଖାଲୁଆ ଅଞ୍ଚଳରେ ଜଳାଶୟର ଭ୍ରମ ସୃଷ୍ଟି କରିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଚେନ୍ନାଇ ସହରର ମୀନାମବକ୍କମ୍ ଅଞ୍ଚଳରେ ସୋମବାର ୧୯୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ନୁଙ୍ଗାମବକ୍କମ ଅଞ୍ଚଳରେ ଏହି ପରିମାଣ ୧୫୪.୩ ମିଲିମିଟର ରହିଛି ।
ଏହି ପରିପ୍ରେକ୍ଷୀରେ ଚେନ୍ନାଇ ଓ ତତ୍ସଂଲଗ୍ନ ତିନିଟି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟକୁ ସୋମବାର ବନ୍ଦ ଘୋଷଣା କରାଯାଇଛି । କର୍ମଚାରୀଙ୍କୁ ଘରେ ରହି କାର୍ଯ୍ୟ କରିବା ସୁଯୋଗ (ୱାର୍କ ଫ୍ରମ୍ ହୋମ୍) ଦେବାକୁ ସମସ୍ତ ପ୍ରାଇଭେଟ୍ ସଂସ୍ଥା ଓ କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚେଙ୍ଗଲପଟ୍ଟୁ, କାଞ୍ଚିପୁରମ, ନାଗାପଟ୍ଟିନମ୍ ଓ କୁଡାଲୋର ଜିଲ୍ଲାରେ ମଙ୍ଗଳବାର ସରକାରୀ ଛୁଟି ଘୋଷଣା କରାଯାଇଛି । ରାଜ୍ୟର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ୫୦୦୦ ରିଲିଫ୍ କେନ୍ଦ୍ର ସ୍ଥାପନ କରାଯାଇଛି । ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ସରକାରଙ୍କ ତରଫରୁ ଜାରି କରାଯାଇଥିବା ସୁରକ୍ଷା ସମ୍ପର୍କିତ ମାର୍ଗଦର୍ଶିକା ଅନୁସରଣ କରିବାକୁ ରାଜ୍ୟବାସୀଙ୍କୁ କୁହାଯାଇଛି । ଘରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ ଓ ଜରୁରୀ ଔଷଧପତ୍ର ମହଜୁଦ ରଖିବାକୁ ଲୋକଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି । ଚେନ୍ନାଇ ସମେତ ଏକାଧିକ ସହରରେ ରାସ୍ତାଘାଟ ପାଣିରେ ବୁଡିଯାଇଥିବାବେଳେ କାର୍ଗୁଡିକ ବନ୍ୟାଜଳରେ ଭାସୁଥିବା ଲକ୍ଷ୍ୟ କରାଯାଇଛି । କେତେକ ସ୍ଥାନରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇପଡିଥିବାବେଳେ ଇଣ୍ଟରନେଟ୍ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ପୂର୍ବତଟ ରେଳବାଇ ପକ୍ଷରୁ ମୋଟ ୬୦ଟି ଟ୍ରେନ୍ର ଚଳାଚଳକୁ ବାତିଲ କରାଯାଇଛି ।
ଏ ସମ୍ପର୍କରେ ଯାତ୍ରୀଙ୍କୁ ଅଧିକ ସୂଚନା ଦେବାକୁ ରେଳବାଇ ପକ୍ଷରୁ ଚବିଶ ଘଣ୍ଟିଆ ଏକ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି । ଚେନ୍ନାଇ ଏୟାରପୋର୍ଟ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡିଥିବାବେଳେ ଏଠାରେ ଉଡାଣ ଓ ଅବତରଣ କରିବାକୁ ଥିବା ମୋଟ ୭୦ଟି ବିମାନକୁ ବାତିଲ କରାଯାଇଛି । ଚେନ୍ନାଇ ଆସୁଥିବା ସମସ୍ତ (୩୩) ଘରୋଇ ଓ ବିଦେଶୀ ଏୟାରଲାଇନସ ବିମାନକୁ ବେଙ୍ଗାଲୁରୁରେ ଅବତରଣ କରାଯାଇଛି । ଚେନ୍ନାଇ ସହରରେ ବର୍ଷା ପ୍ରଭାବିତ ଲୋକଙ୍କୁ ସହାୟତା କରିବାକୁ ସ୍ଥଳେସେନାର ୧୨ ମାଡ୍ରାସ ୟୁନିଟ୍କୁ ମୁତୟନ କରାଯାଇଛି । ଆସନ୍ତା ୬ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ଚେତାବନୀ ଦିଆଯାଇଛି । ମିଆଁମାର ପକ୍ଷରୁ ଏହି ବାତ୍ୟାର ନାମକରଣ କରାଯାଇଛି ।
ସେଠାକାର ଭାଷାରେ ‘ମିଗ୍ଜୋମ୍’ର ଅର୍ଥ ହେଉଛି ଶକ୍ତିଶାଳୀ । ଏହି ବାତ୍ୟା ସ୍ଥଳଭାଗ ଛୁଇଁବାପରେ ଘଣ୍ଟାକୁ ୧୦୦ କିମି ବେଗରେ ପବନ ବୋହିବ ବୋଲି ଆଇଏମ୍ଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଇତିମଧ୍ୟରେ ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ରମନତ୍ରୀ ଅମିତ ଶାହ ଉଭୟ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିସାରିଛନ୍ତି ।