22.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶଉତ୍ତରକାଶୀ ଟନେଲରୁ ଶ୍ରମିକଙ୍କ ଉଦ୍ଧାର ଆଶା ଉଜ୍ଜ୍ୱଳ; ୧୨ ଦିନ ପରେ ଦିଶିଲା ଶ୍ରମିକଙ୍କ ମୁହଁ

ଉତ୍ତରକାଶୀ ଟନେଲରୁ ଶ୍ରମିକଙ୍କ ଉଦ୍ଧାର ଆଶା ଉଜ୍ଜ୍ୱଳ; ୧୨ ଦିନ ପରେ ଦିଶିଲା ଶ୍ରମିକଙ୍କ ମୁହଁ

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀଠାରେ ନିର୍ମାଣାଧୀନ ‘ସିଲକ୍ୟାରା’ ଟନେଲ ଭୁଶୁଡିବାର ୧୨ ଦିନ ପରେ ସେଠାରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାରକୁ ନେଇ ଯେଉଁ ଅନିଶ୍ଚିତତା ଦେଖାଦେଇଥିଲା, ତାହା କ୍ରମଶଃ ଦୂର ହେବାରେ ଲାଗିଛି । ଦୁର୍ଘଟଣାର ୧୨ ଦିନ ପରେ ଅର୍ଥାତ୍ ମଙ୍ଗଳବାର ଟନେଲ ମଧ୍ୟକୁ ପଠାଯାଇଥିବା ଏକ ଏଣ୍ଡୋସ୍କୋପିକ୍ କ୍ୟାମେରା ଜରିଆରେ ଶ୍ରମିକଙ୍କ ମୁହଁ ଦେଖିବାକୁ ମିଳିଛି । ପ୍ରାପ୍ତ ଭିଡିଓ ଅନୁଯାୟୀ ହଳଦିଆ ପୋଷାକ ଓ ମୁଣ୍ଡରେ ଧଳା ଟୋପି ପରିଧାନ କରିଥିବା ଶ୍ରମିକମାନେ ପାଇପ୍ ଯୋଗେ ପଠାଯାଇଥିବା ଖାଦ୍ୟ ସଂଗ୍ରହ କରୁଥିବା ଲକ୍ଷ୍ୟ କରାଯାଇଛି । ସେମାନେ ସୁସ୍ଥ ଥିବାବେଳେ ପରସ୍ପର ସହ କଥାବାର୍ତ୍ତା ହେଉଥିବା ଭିଡିଓରୁ ଜଣାପଡିଛି ।

ଏହା ଜଣାପଡିବାପରେ ଶ୍ରମିକଙ୍କ ପରିବାର ଓ ଆତ୍ମୀୟ ସ୍ୱଜନ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଚଳିତମାସ ୧୨ରେ ଉକ୍ତ ଟନେଲ ଭୁଶୁଡଇ ପଡିଥିବାବେଳେ ୪୧ ଜଣ ଶ୍ରମିକ ଫସିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ଏକାଧିକ ଉଦ୍ୟମ କରାଯାଇଥିଲେ ସୁଦ୍ଧା ଏହା ସଫଳ ହୋଇପାରୁନଥିଲା । ଏପରିକି ଆମେରିକାରୁ ଅଣାଯାଇଥିବା ବିରାଟକାୟ ମେସିନ୍ ଗତ ଶୁକ୍ରବାର ଅକାମୀ ହୋଇପଡିବାରୁ ଶ୍ରମିକଙ୍କ ଉଦ୍ଧାର ଆଶା ଏକପ୍ରକାର ମଉଳି ଯାଇଥିଲା । ତେବେ ବିଦେଶରୁ ଆସିଥିବା ଟନେଲ ବିଶେଷଜ୍ଞ ଆର୍ନୋଲ୍ଡ ଡିସ୍କ୍‌ଙ୍କ ପରାମର୍ଶକ୍ରମେ ଉକ୍ତ ଟନେଲ ମଧ୍ୟରୁ ୬ ଇଞ୍ଚ୍ ଓସାର ବିଶିଷ୍ଟ ଏକ ଲୁହା ପାଇପ୍ ପ୍ରବେଶ କରାଯାଇଥିଲା । ଏହା ଜରିଆରେ ଶ୍ରମିକଙ୍କ ନିକଟକୁ ବୋତଲରେ ଭର୍ତ୍ତି କରାଯାଇଥିବା ଗରମ ରନ୍ଧା ଖେଚୁଡି ପଠାଯାଇଛି ।

ଉଦ୍ଧାର ଅଭିଯାନରେ ଏହା ବିରାଟ ସଫଳତା ବୋଲି ନ୍ୟାସନାଲ ହାଇୱେଜ୍ ଆଣ୍ଡ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଡେଭେଲପମେଣ୍ଟ କର୍ପୋରେସନର ନିର୍ଦ୍ଦେଶକ ଅଂଶୁ ମନୀଷ ଖାଲକୋ କହିଛନ୍ତି । ଇତିପୂର୍ବରୁ ଟନେଲ ମଧ୍ୟକୁ ୪ ଇଞ୍ଚ ବିଶିଷ୍ଟ କମ୍ପ୍ରେସର ପାଇପ୍ ପ୍ରବେଶ କରାଯାଇ ସେହିବାଟରେ ଶ୍ରମିକଙ୍କ ନିକଟକୁ ଶୁଖିଲା ଫଳ, ଭିଟାମିନ ଏବଂ ଆଣ୍ଟି-ଡିପ୍ରେସାଣ୍ଟ୍ ଔଷଧ ପଠାଯାଉଥିଲା । ବର୍ତ୍ତମାନ ୬ ଇଞ୍ଚ୍ ଗୋଲେଇ ବିଶିଷ୍ଟ ପାଇପ୍ ବ୍ୟବହାର କରାଯିବାପରେ ଶ୍ରମିକଙ୍କ ନିକଟକୁ ଅଧିକ ପରିମାଣର ଖାଦ୍ୟ, ଔଷଧ ଏବଂ ପାନୀୟ ଜଳ ପଠାଯାଉଛି । ଏପରିକି ସେମାନଙ୍କ ନିକଟକୁ ଚାର୍ଜର ସହ ଏକ ମୋବାଇଲ ଫୋନ୍ ମଧ୍ୟ ପଠାଯାଇଛି । ଯାହାଦ୍ୱାରା ସେମାନେ ଉଦ୍ଧାରକାରୀ ଦଳ ସହ କଥାବାର୍ତ୍ତା ହୋଇପାରିବେ ।

ଦୁର୍ଘଟଣା ପୂର୍ବରୁ ୨ କିମି ଲମ୍ବ ପର୍ଯ୍ୟନ୍ତ ଏହି ଟନେଲର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଥିଲା । ତେବେ କୌଣସି କାରଣରୁ ସିଲ୍‌କ୍ୟାରା ପଟୁ ଟନେଲର ୬୦ ମିଟର ଦୂରତ୍ୱରେ ଅତଡା ଖସିପଡିବାରୁ ସେମାନେ ଭିତରେ ଫସିଯାଇଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ଶ୍ରମିକଙ୍କୁ ଖେଚୁଡି, ଡାଲିଆ, କଦଳୀ ପଠାଯିବାର ବ୍ୟବସ୍ଥା କରାଯାଇଛି । ୧୨ ଦିନ ପରେ ଶ୍ରମିକମାନେ ପ୍ରଥମ ଥର ଗରମ ଖାଦ୍ୟ ଖାଇବାର ସୁଯୋଗ ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking