ଭୁବନେଶ୍ୱର : ବନର ଅନ୍ଧାକାରକୁ ଦୂର କରି ଖୁସିର କିରଣ ବୁଣୁଥିବା ପର୍ବ ଦୀପାବଳି। ଅମାବାସ୍ୟାର ଘନ ଅନ୍ଧାର ରାତିରେ ବି ଧରାପୃଷ୍ଟକୁ ଆଲୋକିତ କରୁଥିବା ପର୍ବ ଦୀପାବଳି। କେଉଁଠି ଧନ ଓ ସମୃଦ୍ଧିର ଦେବୀ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ବିଧି ତ ଆଉ କେଉଁଠି ମା’ କାଳୀଙ୍କୁ ଉପାସନାର ସମୟ ତ ଆଉ କେଉଁଠି ପିତୃପୁରୁଷଙ୍କୁ ମନେପକାଇ ପୂଜାର୍ଚ୍ଚନା କରିବାର ପର୍ବ ହେଉଛି ଦୀପାବଳି। ଭାରତର ଏକ ପ୍ରମୁଖ ପର୍ବ ଭାବେ ଦୀପାବଳି ପାଳନ କରାଯାଏ। ତେବେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପୌରାଣିକ ମାନ୍ୟତା ଆଧାରରେ ଏହା ପାଳନ କରାଯାଏ। କେବଳ ଯେ ଘରେ ଦୀପ ଜାଳି, ବାଣ ଫୁଟାଇ ଓ ମିଠା ଖାଇ ଏହା ପାଳନ କରାଯାଏନି ବରଂ ଯଦି ଆପଣ ଉତ୍ତର ଭାରତରେ ଦୀପାବଳିକୁ ଦେଖିବେ, ତା’ହେଲେ ସେଠି ଆପଣ ଦୀପାବଳି ମାହୋଲକୁ ୩ ଦିନ ଧରି ପାଳନ କରାଯାଏ। ବଡି ଦୀୱାଲି, ଛୋଟି ଦୀୱାଲି , ଧନତେରସ୍ ଇତ୍ୟାଦି। ଘରକୁ ସଫା ସୁତୁରା କରି ରଙ୍ଗୋଲି ପକାଇ ତିନି ଦିନ ଧରି ଲୋକେ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ। ଏହି ସମୟରେ ସୁନା, ରୁପା କିଣିଲେ ଘରେ ଧନ ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି।ସେହିପରି ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ, ତ୍ରିପୁରା ଆଦି ରାଜ୍ୟରେ ଦୀପାବଳିରେ ମା’ କାଳୀଙ୍କ ଆରାଧନା କରାଯାଏ। ତେଣୁ ଏସବୁ ସ୍ଥାନରେ ଦୀପାବଳି କାଳୀପୂଜା ବା ଶ୍ୟାମାକାଳୀ ପୂଜା ନାଁରେ ପାଳନ କରାଯାଏ। ବିଶେଷ କରି ପଶ୍ଚିମବଙ୍ଗରେ କାଳୀପୂଜାର ଆୟୋଜନ ବେଶ୍ ଧୁମ୍ଧାମରେ ହୁଏ। ଏଠି ଶକ୍ତି ଉପାସନାର ପ୍ରଥା ବେଶ୍ ପୁରୁଣା। ଖାସ୍ କରି ପଶ୍ଚିମବଙ୍ଗର ଗାଁ ଗୁଡ଼ିକରେ ଏହି ସମୟରେ କାଳୀ ମା’ଙ୍କ ଆରଧାନା କରାଯାଇ ମାଛ , ଭାତ ଓ ରସଗୋଲା ଭୋଗ ଲାଗେ। ନାଲି ମନ୍ଦାର ଫୁଲରେ ମା’ଙ୍କୁ ସଜାଯାଏ। ପଶ୍ଚିମବଙ୍ଗରେ ଦୀପାବଳିର ଏ ମାହୋଲକୁ ଆଗୁମବାଗିସ୍ କୁହାଯାଏ। ଅମାବାସ୍ୟା ରାତିରୁ ଆରମ୍ଭ ହୋଇ ଏଠି ୮ ରୁ ୧୦ ଦିନ ବ୍ୟାପି ପୂଜାର ମାହୋଲ ଜମେ। ପୂଜାର ଶେଷ ଦିନ ମା’ଙ୍କ ବିରାଟ ପଟୁଆରା ଭସାଣୀ ପାଇଁ ଯେବେ ବାହାରେ ହଜାର ହଜାର ଭକ୍ତଙ୍କ ସମାଗମରେ ମା’ଙ୍କ ଜୟ ଜୟକାର ପଡେ। ଏ ଦୃଶ୍ୟ ଦେଖି ଲାଗେ ସତେ ଯେମିତି ଅଧର୍ମ ଉପରେ ଧର୍ମର ବିଜୟ କରି ମା’ ଲେଉଟି ଯାଉଛନ୍ତି।