30.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶହସ୍ପିଟାଲରେ ବୋମାମାଡ ଘଟଣା, ମୃତ୍ୟୁସଂଖ୍ୟା ୫୦୦ ଛୁଇଁଲା

ହସ୍ପିଟାଲରେ ବୋମାମାଡ ଘଟଣା, ମୃତ୍ୟୁସଂଖ୍ୟା ୫୦୦ ଛୁଇଁଲା

ତେଲ୍ ଆଭିଭ୍‌: ମଙ୍ଗଳବାର ରାତିରେ ପାଲେଷ୍ଟାଇନର ଗାଜା ଉପତ୍ୟକାରେ ଥିବା ଆହ୍‌ଲି ଆରବ ହସ୍ପିଟାଲ ଉପରେ ହୋଇଥିବା ବୋମାମାଡରେ ମୃତକଙ୍କ ସଂଖ୍ୟା ବୁଧବାର ସୁଦ୍ଧା ୫୦୦ ଛୁଇଁଥିବା ଜଣାପଡିଛି । ଇସ୍ରାଏଲ ପକ୍ଷରୁ ରକେଟ୍ ମାଡ କରାଯାଇ ହସ୍ପିଟାଲକୁ ଧ୍ୱଂସ କରାଯାଇଛି ବୋଲି ହାମାସ୍ ସଂଗଠନ ଅଭିଯୋଗ କରୁଥିବାବେଳେ ଇସ୍ରାଏଲ ସରକାର କିନ୍ତୁ ଏହାକୁ ଅସ୍ୱୀକାର କରିଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ହସ୍ପିଟାଲ ଆକ୍ରମଣରେ ଇସ୍ରାଏଲର କୌଣସି ସଂପୃକ୍ତି ନାହିଁ ।

ହାମାସ୍ ସଂଗଠନ ପକ୍ଷରୁ ଛଡାଯାଇଥିବା ଏକ ରକେଟ୍ ଲକ୍ଷ୍ୟଭ୍ରଷ୍ଟ ହୋଇ ଉକ୍ତ ହସ୍ପିଟାଲ ଉପରେ ପଡିଛି ବୋଲି ନେତାନ୍ୟାହୁ ପାଲଟା ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ଇସ୍ରାଏଲରେ ପହଞ୍ଚିଛନ୍ତି । ବାଇଡେନ୍ ମଧ୍ୟ ଏହି ଆକ୍ରମଣ ପଛରେ ଇସ୍ରାଏଲର ହାତ ନଥିବା କହିଛନ୍ତି । ଆମେରିକା ଗୁଇନ୍ଦା ସଂସ୍ଥାର ହସ୍ତଗତ ହୋଇଥିବା ସୂଚନାକୁ ଆଧାର କରି ବାଇଡେନ୍ କହିଛନ୍ତି ଯେ ଏଭଳି ଅମାନବୀୟ ଆକ୍ରମଣ ଘଟଣାକୁ ସେ ଦୃଢସ୍ୱରରେ ନିନ୍ଦା କରୁଛନ୍ତି । ତେବେ ଇସ୍ରାଏଲକୁ ବଦନାମ କରିବାକୁ କୌଣସି ବିରୋଧୀ ପକ୍ଷ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ବାଇଡେନ୍ କହିଛନ୍ତି । ଇସ୍ରାଏଲ ହେଉଛି ଆମେରିକାର ଅତି ଘନିଷ୍ଠ ବନ୍ଧୁ ।

ଏହି ବନ୍ଧୁତା ପ୍ରମାଣିତ କରିବାକୁ ବାଇଡେନ୍ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଇସ୍ରାଏଲ ଗସ୍ତ କରିଛନ୍ତି । ତେଲ୍ ଆଭିଭ୍ ଏୟାରପୋର୍ଟରେ ଅବତରଣ କରିବାପରେ ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗ୍ ଓ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ଇସ୍ରାଏଲରେ ପହଞ୍ଚିବାର କିଛି ସମୟ ମଧ୍ୟରେ ବାଇଡେନ୍ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ପାଲେଷ୍ଟାଇନ ବିରୋଧରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଯଥାର୍ଥ ବୋଲି ବାଇଡେନ୍ କହିଛନ୍ତି । ହାମାସ୍ ସଂଗଠନ ସମଗ୍ର ପାଲେଷ୍ଟାଇନକୁ ପ୍ରତିନିଧିତ୍ୱ କରୁନଥିବାବେଳେ ହାମାସ୍ ବିରୋଧରେ ଇସ୍ରାଏଲ ଯେଉଁ ପଦକ୍ଷେପ ଗ୍ରହଣ କରୁଛି, ତାହାକୁ ବାଇଡେନ୍ ସମର୍ଥନ ଜଣାଇଛନ୍ତି ।

ହାମାସ୍ କବ୍‌ଜାରେ ପଣବନ୍ଦୀ ଥିବା ପ୍ରାୟ ୨୦୦ ଇସ୍ରାଏଲୀ ନାଗରିକ ଓ ସୈନ୍ୟଙ୍କୁ ମୁକୁଳାଇବା ଇସ୍ରାଏଲ ସରକାରଙ୍କ ପ୍ରାଥମିକତା ପାଲଟିଛି । ତେଣୁ ହାମାସ୍ ବିରୋଧରେ ଆକ୍ରମଣ ଅବ୍ୟାହତ ରଖି ଇସ୍ରାଏଲ କୌଣସି ଭୁଲ କରିନାହିଁ ବୋଲି ବାଇଡେନ୍ ମତବ୍ୟକ୍ତ କରିଛନ୍ତି । ତେବେ ଗାଜା ଉପତ୍ୟକାରେ ଦୟନୀୟ ଜୀବନଯାପନ କରୁଥିବା ପାଲେଷ୍ଟାଇନବାସୀ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ, ସେଥିପ୍ରତି ଧ୍ୟାନ ଦେବାକୁ ବାଇଡେନ୍ ଇସ୍ରାଏଲ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ଇତିମଧ୍ୟରେ ଗାଜା ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣକୁ ସମସ୍ତ ଆରବ ରାଷ୍ଟ୍ର ସମେତ ଜାତିସଂଘ ଓ ୟୁରୋପୀୟ ସଂଘ ନିନ୍ଦା କରିଛି । ତେବେ ଇସ୍ରାଏଲକୁ ବଦନାମ କରିବାକୁ ଏବଂ ମୁସ୍‌ଲିମ ରାଷ୍ଟ୍ରଙ୍କ ଇସ୍ରାଏଲ ବିରୋଧୀ ଆଭିମୁଖ୍ୟକୁ ଅଧିକ ଉସ୍‌କାଇବା ଲକ୍ଷ୍ୟରେ ହାମାସ୍ ନିଜ ଇଲାକାରେ ଆକ୍ରମଣ ରଚିଥିବା ପାଶ୍ଚାତ୍ୟ ରାଷ୍ଟ୍ର କହିଛନ୍ତି । ବୁଧବାର ସୁଦ୍ଧା ଏହି ଯୁଦ୍ଧରେ ଇସ୍ରାଏଲର ୧୪୦୦ ସୈନ୍ୟ ଓ ୩୦୦ ନାଗରିକ ପ୍ରାଣ ହରାଇଥିବାବେଳେ ଗାଜାରେ ପ୍ରାୟ ୪୦୦୦ ଲୋକଙ୍କର ପ୍ରାଣହାନି ଘଟିଛି । ମୃତକଙ୍କ ମଧ୍ୟରେ ହାମାସ୍ ସଂଗଠନର ଅଧିକାଂଶ ଆତଙ୍କବାଦୀ ସାମିଲ ଥିବା ଇସ୍ରାଏଲ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking