ଭୁବନେଶ୍ବର : ଉଚ୍ଚ ଉଚ୍ଚ ଅଟ୍ଟାଳିକା, ଅତ୍ୟାଧୁନିକ ଶିଳ୍ପ ବ୍ୟବସ୍ଥା, ଚିକ୍ଚିକ୍ ଓ ପ୍ରଶସ୍ତ ରାସ୍ତା, ଆଧୁନିକ ସ୍ବାସ୍ଥ୍ୟ ଚିକିତ୍ସା ସୁବିଧା ଭିତରେ ରାଜଧାନୀ ଭୁବନେଶ୍ବର ଆଜି ଏକ ସ୍ମାର୍ଟ ନଗରୀ ଭାବେ ମୁଣ୍ଡ ଟେକିଛି। ବୁଲେଟ୍ ଟ୍ରେନ୍ଠାରୁ ମେଟ୍ରୋ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଅତ୍ୟାଧୁନିକ ଯାତାୟାତର ସୁବିଧା ପ୍ରଶସ୍ତ ହେଉଛି। ହେଲେ ଅତ୍ୟାଧୁନିକତାର ଦୌଡ଼ରେ ରାଜଧାନୀ ଭୁବନେଶ୍ବର ନିଜ ଐତିହ୍ୟ ଓ ତୀର୍ଥକ୍ଷେତ୍ରର ମାନ୍ୟତା ଭୁଲିଯାଇନାହିଁ। ଖାସ୍ ଏଥିପାଇଁ ତ’ ପୁରୁଣା ଭୁବନେଶ୍ବରର ପ୍ରତିଟି ମନ୍ଦିର, ମଠ ଓ ଅଞ୍ଚଳ ଏକାମ୍ର କ୍ଷେତ୍ରର ମହିମା ବଖାଣି ଚାଲିଛନ୍ତି। ଏଭଳି କ୍ରମରେ ପୁରୁଣା ଭୁବନେଶ୍ବରର ‘ନାଗେଶ୍ବର ଟାଙ୍ଗୀ’ ଅଞ୍ଚଳ ଗଠନର କାହାଣୀ ବେଶ୍ ରୋଚକ। ଆସନ୍ତୁ କିଛି ପୁରୁଣା କଥା ଓ କିଂବଦନ୍ତିକୁ ଓଲଟାଇବା। ‘ପଞ୍ଚସ୍ତରି ବର୍ଷର ରାଜଧାନୀ’ ପୁସ୍ତକର ତଥ୍ୟ ମୁତାବକ, ପୁରାଣ ଯୁଗରେ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ରୂପେ ମାନ୍ୟତାପ୍ରାପ୍ତ ଏକାମ୍ର କ୍ଷେତ୍ରଟି ଆଠ ଆୟତନ ବିଶିଷ୍ଟ ଥିଲା। ପ୍ରତ୍ୟେକ ଆୟତନରେ ମନ୍ଦିରଗୁଡ଼ିକ ସହ ତୀର୍ଥକୁଣ୍ଡମାନ ରହିଥିଲା। ସେହି କ୍ରମରେ ସପ୍ତମାୟତନରେ ଅଲାବୁକେଶ୍ୱର, ଉତ୍ତରେଶ୍ୱର, ଉତ୍ତରେଶ୍ୱରୀ, କଟକେଶ୍ୱର, ଭୀମେଶ୍ୱର ତଥା ବଶିଷ୍ଠ ବାମଦେବଙ୍କ ମନ୍ଦିର ବିଦ୍ୟମାନ ଥିଲା। ତନ୍ମଧ୍ୟରେ ଅଲାବୁକେଶ୍ୱର ମନ୍ଦିରର ତଥା ସନ୍ନିକଟ ଅଲାବୁ ତୀର୍ଥର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି।ସଂସ୍କୃତି ଗବେଷକ ଗୋଲକବିହାରୀ ସିଂହ କହିଛନ୍ତି, କଥିତ ଅଛି ଯେ ଦାକ୍ଷିଣାତ୍ୟରୁ ଆସିଥିବା ଇନ୍ଦ୍ରସଖ ନାମକ ଜଣେ ତପସ୍ୱୀ ଏଠାରେ ପ୍ରଭୁ ସଦାଶିବଙ୍କୁ ଉପାସନା କରିଥିଲେ। ତାଙ୍କ ଉପାସନାରେ ସନ୍ତୁଷ୍ଟ ହୋଇ ଶିବ ତପସ୍ୟାର ଅଭିପ୍ରାୟ ପଚାରିବାରୁ, ସେ ଇଚ୍ଛା ପ୍ରକଟ କରି କହିଲେ, ତାଙ୍କର ଭିକ୍ଷାପାତ୍ର ଅଲାବୁ(ଲାଉ) ତୁମ୍ବାଟିକୁ ଏକ ଜଳାଶୟରେ ପରିଣତ କରି ସ୍ୱୟଂ ମହାପ୍ରଭୁ ସେଠାରେ ବାସ କରନ୍ତୁ। ସେବେଠାରୁ ଲାଉତୁମ୍ବାଟି ଜଳାଶୟ ହେବା ସହ ଅଲାବୁ ତୀର୍ଥ ନାମରେ ନାମିତ ହେଲା। ସନ୍ନିକଟ ଅରଣ୍ୟରେ ଆବିର୍ଭୁତ ମହାଦେବ ‘ଅଲାବୁକେଶ୍ୱର’ ନାମରେ ପରିଚିତ ହେଲେ। ମନ୍ଦିର ସନ୍ନିକଟ ଅରଣ୍ୟରେ ବହୁ ସଂଖ୍ୟକ ସର୍ପ, ବିଶେଷ କରି ନାଗ ସାପ ଚଳପ୍ରଚଳ ହେଉଥିବାରୁ ଅଲାବୁକେଶ୍ୱର, ଲୋକମୁଖରେ ‘ନାଗେଶ୍ୱର’ ନାମରେ ପରିଚିତ ହେବାକୁ ଲାଗିଲେ। ସମୟକ୍ରମେ ମନ୍ଦିର ସନ୍ନିକଟ ଅରଣ୍ୟ ହ୍ରାସ ପାଇବା ସହ ପଥୁରିଆ ସ୍ଥାନଟି ଟାଙ୍ଗି ରୂପେ ଦୃଶ୍ୟମାନ ହେଲା। ସ୍ଥାନୀୟ ଲୋକମାନେ ଅଞ୍ଚଳଟିକୁ ବିଦ୍ୟମାନ ମନ୍ଦିର ଆଧାରରେ ‘ନାଗେଶ୍ୱର ଟାଙ୍ଗି’ ନାମରେ ଚିହ୍ନିତ କରିବା ସହ ସେଠାରୁ ପଥର ସଂଗ୍ରହ କରିବାକୁ ଲାଗିଲେ। ବହୁ ପରିମାଣରେ ପଥର ଖୋଳା ଯିବାରୁ ସ୍ଥାନଟି ଖାଲ ହେବାକୁ ଲାଗିଲା। ରାଜଧାନୀ ପ୍ରତିଷ୍ଠା ପରେ, ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ସେଠାରେ ପ୍ରତୀକାତ୍ମକ ଭାବେ ୯୨ଟି ଗୃହ ନିର୍ମାଣ କରିବାକୁ ନିଷ୍ପତ୍ତି ନେଲା। ସେଥିପାଇଁ ପଥର ଖଣିକୁ ବାଲିରେ ପୋତା ଯିବା ସହ ୧୯୭୬ ମସିହାରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦ୍ୱାରା ନିର୍ମିତ ତଥା ୧୯୭୮ ମସିହାରେ ଆବଣ୍ଟିତ ସେହି ୯୨ଟି ଗୃହ ଥିଲା ରାଜଧାନୀର ସର୍ବପ୍ରଥମ ସରକାରୀ ବାସଗୃହ ନିର୍ମାଣ ପ୍ରକଳ୍ପ। ଏହି ଗୃହ ନିର୍ମାଣ ପ୍ରକଳ୍ପର ନାମ ରଖାଯାଇଥିଲା ‘ଜୟଦେବ ନଗର’। ହେଲେ ଲୋକମୁଖରେ ଏହା ‘ଜୟଦେବ ନଗର’ ଅପେକ୍ଷା ‘ନାଗେଶ୍ୱର ଟାଙ୍ଗି ହାଉସିଂ ବୋର୍ଡ କଲୋନି’ ନାମରେ ଅଧିକ ପରିଚିତ।