ଇମ୍ଫାଲ: ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରଖିବା ଏବଂ ପୁଲିସ ବର୍ଦ୍ଦି ପିନ୍ଧିବା ଅଭିଯୋଗରେ ଗିରଫ ପାଞ୍ଚଜଣ ଅଭିଯୁକ୍ତଙ୍କୁ ମଣିପୁର ଏନ୍ଆଇଏ କୋର୍ଟ ଶୁକ୍ରବାର ଜାମିନ ପ୍ରଦାନ କରିଛି । ସର୍ତ୍ତ ସହିତ ୫୦ ହଜାର ଟଙ୍କାର ବଣ୍ଡ୍ ଜମାକରିବା ପରେ ହିଁ ଅଭିଯୁକ୍ତଙ୍କୁ ଜାମିନ ମିଳିଛି । ସେହିପରି ଅଭିଯୁକ୍ତ ପ୍ରତି ୧୫ ଦିନରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଉପସ୍ଥିତ ହେବେ ଏବଂ ବିନାନୁମତିରେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।
ସୂଚନାଯୋଗ୍ୟ, ମଣିପୁର ପୁଲିସ ଗତ ୧୬ ତାରିଖରେ ଏହି ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ସ୍ୱୟଂସେବକଙ୍କ ମିଥ୍ୟା ଅଭିଯୋଗରେ ପୁଲିସ ଗିରଫ କରିଥିବା କହି ସେମାନଙ୍କ ନିଃସର୍ତ୍ତ ଖଲାସ ଦାବିରେ ଲୋକମାନେ ଆନ୍ଦୋଳନ ଚଳାଇଥିଲେ । ଏପରି କି ଗୁରୁବାର ଆନ୍ଦୋଳନକାରୀ ଥାନା ଓ କୋର୍ଟ ଉପରେ ଆକ୍ରମଣ ଉଦ୍ୟମ ମଧ୍ୟ କରିଥିଲେ । ଏହି ଅବସରରେ ସୁରକ୍ଷାବଳ ଆନ୍ଦୋଳକାରୀଙ୍କ ଉପରେ ଲୁହବୁହା ଗ୍ୟାସ୍ ପ୍ରୟୋଗ ସହିତ ଷ୍ଟଣ୍ଟ୍ ବୋମା ମାଡ଼ କରିଥିଲା । ଫଳରେ ୧୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ । ସତର୍କତାମୂଳକ ରାଜ୍ୟ ସରକାର ଇମ୍ଫାଲ୍ର ଦୁଇ ଜିଲ୍ଲାରେ ସନ୍ଧ୍ୟା ୫ଟାରୁ କର୍ଫ୍ୟୁ କୋହଳକୁ ରଦ୍ଦ କରିଦେଇଛନ୍ତି ।