ନୂଆଦିଲ୍ଲୀ : ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍ ନାସ୍ନାଲ୍ ଡେଭେଲପ୍ମେଣ୍ଟ୍ ଇନ୍କ୍ଲୁସିଭ୍ ଆଲାଏନ୍ସ’ (ଇଣ୍ଡିଆ) ୧୦ ଟିଭି ଚ୍ୟାନେଲ୍ର ୧୪ ସାମ୍ବାଦିକଙ୍କ ବର୍ଜ୍ଜନ ପାଇଁ ନିଷ୍ପତ୍ତି ନେଇଛି । ଏହି ଆଙ୍କରଙ୍କ ଶୋ’ରେ ଇଣ୍ଡିଆ ମେଣ୍ଟରେ ସାମିଲ ଦଳ ନିଜ ନିଜର ମୁଖପାତ୍ରଙ୍କୁ ପଠାଇବେ ନାହିଁ । ଇଣ୍ଡିଆ ମେଣ୍ଟ ମିଡିଆ କମିଟିର ଗୁରୁବାର ଅପରାହ୍ଣରେ ଅନୁଷ୍ଠିତ ଏକ ଭର୍ଚୁଆଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କଂଗ୍ରେସ ମିଡିଆ ବିଭାଗ ପ୍ରମୁଖ ପବନ ଖେରା ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ୍ ଜରିଆରେ ସୂଚନା ଦେଇଛନ୍ତି । ଏହା ସହିତ ସାମ୍ବାଦିକଙ୍କ ତାଲିକା ମଧ୍ୟ ଜାରୀ କରିଛନ୍ତି । ଏହି ତାଲିକାରେ ଅଦିତି ତ୍ୟାଗୀ, ଅମନ ଚୋପ୍ରା, ଅମୀଷ ଦେବଗନ, ଆନନ୍ଦ ନରସିଂହ୍ମନ୍, ଅର୍ଣ୍ଣବ ଗୋସ୍ୱାମୀ, ଅଶୋକ ଶ୍ରୀବାସ୍ତବ, ଚିତ୍ରା ତ୍ରିପାଠୀ, ଗୌରବ ସାୱନ୍ତ, ନାଭିକା କୁମାର, ପ୍ରାଚୀ ପରାଶର, ରୁବିକା ଲୁୟାକତ୍, ଶିବର ଅରୁର୍, ସୁଧୀର ଚୌଧୁରୀ ଏବଂ ସୁଶାନ୍ତ ସିହ୍ନାଙ୍କ ନାମ ରହିଛି ।
ସୂଚନାଯୋଗ୍ୟ, ଟିଭି ମିଡିଆ ଦୀର୍ଘଦିନ ଧରି ହିନ୍ଦୁ-ମୁସଲିମ୍ କରିଆସୁଥିବା ବେଳେ ସେମାନଙ୍କ ମୁଖପାତ୍ରମାନଙ୍କୁ ଅଧିକ କଭରେଜ୍ ଦେଉନଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଆସୁଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ ଯାତ୍ରା’କୁ ମୁଖ୍ୟଧାରାର ମିଡିଆ ବର୍ଜ୍ଜନ କରିଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସେତେବେଳେ ଅଭିଯୋଗ କରିଥିଲେ । ଏହା ପୂର୍ବରୁ ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସ ଏକମାସ ଧରି ଟିଭି ଚ୍ୟାନେଲ୍ଗୁଡ଼ିକର ବୟକଟ୍ କରିଥିଲା ଏବଂ ନିଜ ମୁଖପାତ୍ରଙ୍କୁ ପଠାଇ ନଥିଲା ।
ସେହିପରି ବିରୋଧୀ ମେଣ୍ଟର ପ୍ରଥମ ରାଲି ଭୋପାଳରେ କରିବାକୁ ବୁଧବାର ଏନ୍ସିପି ନେତା ଶରଦ ପୱାର୍ଙ୍କ ଦିଲ୍ଲୀ ବାସଭବନରେ ମେଣ୍ଟ ସମନ୍ୱୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ କଂଗ୍ରେସ ନେତା କେସି ବେଣୁଗୋପାଳ ପ୍ରେସ୍ କନ୍ଫରେନ୍ସରେ ଏହି ସୂଚନା ଦେଇଛନ୍ତି । ଏହି ରାଲିରେ ମୋଦୀ ସରକାରରେ ବୃଦ୍ଧି ପାଉଥିବା ବେରୋଜଗାର, ମୂଲ୍ୟବୃଦ୍ଧି, ଭ୍ରଷ୍ଟାଚାର ପରି ପ୍ରସଙ୍ଗ ଉତ୍ଥାପନ କରାଯିବ ବୋଲି ସେ କହିଛନ୍ତି । ବୈଠକରେ ତେବେ ଆସନ ବୁଝାମଣା ସମ୍ପର୍କରେ ବୈଠକରେ କୌଣସି ନିଷ୍ପତ୍ତି ହୋଇନାହିଁ ଏବଂ ଖୁବ୍ଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ବେଣୁଗୋପାଳ କହିଛନ୍ତି । ଏହା ବ୍ୟତୀତ ସମନ୍ୱୟ ବୈଠକରେ ସମସ୍ତ ଅଂଶୀଦାର ଦଳ ଜାତି ଜନଗଣନା ଉପରେ ମଧ୍ୟ ସହମତ ହୋଇଛନ୍ତି ।
ଅନ୍ୟପକ୍ଷରେ ସାମ୍ବାଦିକଙ୍କ ବହିଷ୍କାରକୁ ନେଇ ବିଜେପି ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମେଣ୍ଟ ଦଳଗୁଡ଼ିକୁ ସତ୍ୟ ଶୁଣିବାକୁ ଡ଼ର ଲାଗୁଛି । ଏଥିପାଇଁ ସାମ୍ବାଦିକଙ୍କ ବିରୋଧରେ ବ୍ୟାନ୍ ଘୋଷଣା କରିଛି । ମିଡିଆକୁ ବ୍ୟାନ୍ କରିବା ଏବଂ ନିଜ ସମାଲୋଚନାର ସ୍ୱରକୁ ଦବାଇବା କଂଗ୍ରେସର ପୁରୁଣା ଅଭ୍ୟାସ । ଗଣତନ୍ତ୍ର ପାଇଁ ଏହା ଲଜ୍ଜାଜନକ । ଏହା ନିନ୍ଦନୀୟ ମଧ୍ୟ । ସେହିପରି ୧୪ ସାମ୍ବାଦିକଙ୍କ ତାଲିକାରେ ସାମିଲ ବହୁ ସାମ୍ବାଦିକ ଏହାର ଜବାବ ଦେଇଛନ୍ତି । ଆଜ୍ ତକ୍ର ବରିଷ୍ଠ ସାମ୍ବାଦିକ ସୁଧୀର ଚୌଧୁରୀ କହିଛନ୍ତି, ‘ଚରଣ ଚୁମ୍ବକ’ ହେବାକୁ ମନା କରିଦେଇଥିବା ସାମ୍ବାଦିକଙ୍କ ତାଲିକା ମେଣ୍ଟ ଜାରୀ କରିଛି ।