କୋଟା: ରାଜସ୍ଥାନର କୋଟାରେ ନିଟ୍ ପାଇଁ ପ୍ରସ୍ତୁତି କରୁଥିବା ଜଣେ ୧୬ ବର୍ଷୀୟ ଛାତ୍ରୀ ଫାଶୀ ଲଗାଇ ଜୀବନ ହାରିଛନ୍ତି । ଏହାକୁ ଲଗାଇ ଗତ ୮ ମାସ ମଧ୍ୟରେ ରାଜସ୍ଥାନର ‘କୋଚିଙ୍ଗ୍ ହବ୍’ କୋଟାରେ ସମୁଦାୟ ୨୫ଜଣ ଛାତ୍ରଛାତ୍ରୀ ଜୀବନ ହରାଇଲେଣି । ମଙ୍ଗଳବାର ଜୀବନ ହରାଇଥିବା ଛାତ୍ରୀଜଣକ ରାଞ୍ଚିର ବାସିନ୍ଦା ଓ ସେ କୋଟାର ‘ବ୍ଲେଜ୍ ହଷ୍ଟେଲ୍’ରେ ରହୁଥିଲେ । ତା’ର ଶବକୁ ସମ୍ପ୍ରତି ଶବାଗାରରେ ରଖାଯାଇଛି ।
‘ଜେଇଇ’ ଓ ‘ନିଟ୍’ ଭଳି ‘କମ୍ପିଟିଟିଭ୍ ପରୀକ୍ଷା’ରେ ସଫଳ ହେବା ଆଶାରେ ବର୍ଷକୁ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ କୋଟାକୁ ଆସନ୍ତି । ପରୀକ୍ଷା ଚାପରେ ଭାରାକ୍ରାନ୍ତ ହୋଇ କୋଟାରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୫ଜଣ ଛାତ୍ରଛାତ୍ରୀ ଜୀବନ ହରାଇଲେଣି । କେଣସି ବର୍ଷ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଜୀବନ ହରାଇ ନ ଥିଲେ ବୋଲି ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି । ରାଜସ୍ଥାନ ପୁଲିସ ‘ଡାଟା’ ଅନୁସାରେ, ୨୦୨୨ରେ ଆତ୍ମହତ୍ୟା ସଂଖ୍ୟା ଥିଲା ୧୫, ୨୦୧୯ରେ ୧୮, ୨୦୧୮ରେ ୨୦, ୨୦୧୬ରେ ୧୭, ୨୦୧୫ରେ ୧୮ । କୋଭିଡ୍-୧୯ ମହାମାରୀ ଯୋଗୁଁ ବନ୍ଦ ଥିବାରୁ ୨୦୨୦ ଓ ୨୦୨୧ରେ କୋଟାରେ କୌଣସି ଛାତ୍ରଛାତ୍ରୀ ଜୀବନ ହରାଇଥିବାର ରିପୋର୍ଟ ହୋଇ ନାହିଁ ।