ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ଚାରିଟି ଦଳ ମଧ୍ୟରୁ ଭାରତୀୟ ଦଳ ସବୁଠୁ ବୟସ୍କ । ଭାରତୀୟ ଖେଳାଳିଙ୍କ ହାରାହାରି ବୟସ ୨୯ ବର୍ଷ ହୋଇଥିବା ବେଳେ ଅଧିନାୟକ ରୋହିତ ଶର୍ମା (୩୬ ବର୍ଷ ୧୧୩ ଦିନ) ଦଳର ସବୁଠୁ ବୟସ୍କ ଖେଳାଳି । ଟୁର୍ଣ୍ଣାମେଣ୍ଟ୍ରେ ଭାଗ ନେଉଥିବା ଅନ୍ୟ ଦଳ ମଧ୍ୟରେ ବାଂଲାଦେଶ ଅଧିନାୟକ ସାକିବ୍ ଅଲ୍ ହସନ୍ ଏକମାତ୍ର ଖେଳାଳି, ଯିଏ ରୋହିତଙ୍କ ଠାରୁ ବୟସ୍କ । ସାକିବ୍ଙ୍କ ବୟସ ୩୬ ବର୍ଷ ୧୪୧ ଦିନ ହୋଇଥିବା ବେଳେ ନେପାଳର ଗୁଲ୍ଶନ୍ ଝା ଷୋଡ଼ଶ ଏସିଆ କପ୍ର ସବୁକନିଷ୍ଠ ଖେଳାଳି । ହାରାହାରି ବୟସ ୨୨ ବର୍ଷ ସହିତ ନେପାଳ ଟୁର୍ଣ୍ଣାମେଣ୍ଟ୍ର ସବୁଠୁ ଯୁବ ଦଳ । ସୋମବାର ସୁଦ୍ଧା ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଦଳ ଘୋଷଣା ହୋଇନଥିବାରୁ ଏହାକୁ ହିସାବ ଅନ୍ତର୍ଭୁକ୍ତ କରାଯାଇ ନାହିଁ ।
ଭାରତୀୟ ଦଳର ସାତଜଣ ଖେଳାଳି ୩୦ ବର୍ଷ ବୟସ ପାର୍ କରିସାରିଛନ୍ତି । ଏହି ତାଲିକାରେ ରୋହିତଙ୍କ ବ୍ୟତୀତ ବିରାଟ କୋହଲି (୩୪ ବର୍ଷ), ରବୀନ୍ଦ୍ର ଜାଡ଼େଜା (୩୪ ବର୍ଷ), ସୂର୍ଯ୍ୟକୁମାର ଯାଦବ (୩୨ ବର୍ଷ), ମହମ୍ମଦ ଶମୀ (୩୨), କେଏଲ୍ ରାହୁଲ (୩୧), ଏବଂ ଶାର୍ଦ୍ଦୁଳ ଠାକୁର (୩୧ ବର୍ଷ) ରହିଛନ୍ତି । ତିଳକ ବର୍ମା (୨୦ ବର୍ଷ) ଦଳର ସର୍ବକନିଷ୍ଠ ଖେଳାଳି । ଦଳର ବ୍ୟାଟିଂ, ବୋଲିଂ ଏବଂ ଅଲ୍ରାଉଣ୍ଡର୍ ତିନୋଟି ଯାକ ବିଭାଗରେ ୩୦ ବର୍ଷୀ ଊର୍ଦ୍ଧ୍ୱ ବୟସର ଖେଳାଳି ଅଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନ ଦଳର ହାରାହାରି ବୟସ ୨୬ ବର୍ଷ ହୋଇଥିବା ବେଳେ ଦଳର ୪ଜଣ ଖେଳାଳି ୩୦ ବର୍ଷ ପାର୍ କରିସାରିଛନ୍ତି । ଏହା ମଧ୍ୟରେ ଫଖର ଜମାନ୍ (୩୩), ଇଫ୍ତିଖାର ଅହମଦ (୩୨), ତୈୟବ୍ ତାହିର (୩୦) ଏବଂ ମହମ୍ମଦ ରିଜ୍ୱାନ୍ (୩୧ ବର୍ଷ) ସାମିଲ । ଫଖର୍ ଜମାନ୍ ଦଳର ସବୁଠୁ ବୟସ୍କ ଖେଳାଳି ହୋଇଥିବା ବେଳେ ନସୀମ୍ ଶାହ (୨୨) ସର୍ବକନିଷ୍ଠ । ପାକିସ୍ତାନର ସମସ୍ତ ବୋଲର୍ ଓ ଅଲ୍ରାଉଣ୍ଡର୍ଙ୍କ ବୟସ ୩୦ ବର୍ଷରୁ କମ୍ ।
ହାରାହାରି ବୟସ ଦୃଷ୍ଟିରୁ ବାଂଲାଦେଶ ଦଳ ତୃତୀୟ ସ୍ଥାନରେ ରହିଛି । ଦଳର ହାରାହାରି ବୟସ ୨୬ ବର୍ଷ ହୋଇଥିବା ବେଳେ ଅଧିନାୟକ ସାକିବ୍ ଅଲ୍ ହସନ୍ ଚଳିତ ଟୁର୍ଣ୍ଣାମେଣ୍ଟ୍ର ସବୁଠୁ ବୟସ୍କ ଖେଳାଳି । ତାଙ୍କ ବୟସ ୩୬ ବର୍ଷ ହୋଇଥିବା ବେଳେ ଶୋରିଫୁଲ୍ ଇସ୍ଲାମ୍ (୨୨ ବର୍ଷ) ଦଳର ସର୍ବକନିଷ୍ଠ ଖେଳାଳି । ଦଳର ଦୁଇଜଣ ଖେଳାଳି ସାକିବ୍ ଓ ୱିକେଟ୍କିପର୍ ମୁସ୍ଫିକୁର ରହିମ (୩୬ ବର୍ଷ)ଙ୍କ ବୟସ ୩୦ ବର୍ଷରୁ ଅଧିକ । ପ୍ରଥମ ଥର ପାଇଁ ଏସିଆ କପ୍ରେ ଭାଗ ନେଇଥିବା ନେପାଳ ଚଳିତ ଟୁର୍ଣ୍ଣାମେଣ୍ଟ୍ର ସବୁଠୁ ଯୁବ ଦଳ । ଦଳର ହାରାହାରି ବୟସ ୨୨ ବର୍ଷ ହୋଇଥିବା ବେଳେ ମାତ୍ର ଜଣେ ଖେଳାଳି କରଣ କେସୀ (୩୧)ଙ୍କ ବୟସ ୩୦ ବର୍ଷରୁ ଉର୍ଦ୍ଧ୍ୱ । ଏହା ସହିତ ଗୁଲ୍ଶନ୍ ଝା (୧୭ ବର୍ଷ) ସର୍ବକନିଷ୍ଠ ଖେଳାଳି ।