ଭୁବନେଶ୍ୱର: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି । ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ-ରେଖା ଆଜି (ସୋମବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି, ଏବଂ ଏହା ଉତ୍ତରପ୍ରଦେଶର ମୁଜାଫରପୁର, ମଧ୍ୟଦେଇ ପଶ୍ଚିମବଙ୍ଗର ବାଲୁରଘାଟରୁ ପୂର୍ବ ଦିଗରେ ମଣିପୁର ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି । ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୧୫ ଅଗଷ୍ଟ, ମଙ୍ଗଳବାର ଅପରାହ୍ନ ସୁଦ୍ଧା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କନ୍ଧମାଳ ପ୍ରଭୃତି ଉପକୂଳ ଓ ପଶ୍ଚିମ ଓଡ଼ିଶାର ୨୦ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହଛିି । ଏହି ସମୟ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଓ ଢେଙ୍କାନାଳ ପ୍ରଭୃତି ୪ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହ ପ୍ରବଳ ବର୍ଷା (୭ରୁ ୧୧ମିମି)ର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପକ୍ଷରେ କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ।