ବେଙ୍ଗାଲୁରୁ: ଏଠାକାର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ବୁଧବାର ଦୁଲୀପ ଟ୍ରଫି ଫାଇନାଲ୍ ଆରମ୍ଭ ହୋଇଛି । ଏଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ୱେଷ୍ଟ୍ ଜୋନ୍ ଦଳର ବୋଲରଙ୍କ ଦବ୍ଦବା ମାଧ୍ୟମରେ ପ୍ରଥମ ଦିନର ଖେଳରେ ବେଶ୍ ଦୃଢ଼ ସ୍ଥିତିରେ ରହିଛି । ଗତ ବର୍ଷର ରନର୍ସଅପ୍ ସାଉଥ୍ ଜୋନ୍ ପ୍ରଥମେ ବ୍ୟାଟିଂ ପାଇବା ପରେ ଅଧିନାୟକ ହନୁମା ବିହାରୀଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ୭ ୱିକେଟ୍ ହରାଇ ମାତ୍ର ୧୮୨ ରନ୍ କରିଛି । ୱେଷ୍ଟ୍ ଜୋନ୍ ବୋଲର୍ମାନେ ନିୟମିତ ଭାବେ ୱିକେଟ୍ ଦଖଲ କରିବା ଫଳରେ ସାଉଥ୍ ଜୋନ୍ ବଡ଼ ସ୍କୋର୍ କରିବାରୁ ବଞ୍ଚିତ ହେବା ସ୍ଥିତିରେ ପହଞ୍ଚିଯାଇଛି ।
ୱେଷ୍ଟ୍ ଜୋନ୍ ଅଧିନାୟକ ପ୍ରିୟଙ୍କ ପାଞ୍ଚାଲ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନେଇଥିଲେ । ସପ୍ତମ ଓଭର୍ରେ ଚିନ୍ତନ ଗାଜା ସାଉଥ୍ ଜୋନ୍ ଓପନର ରବିକୁମାର ସମର୍ଥ (୭)ଙ୍କୁ ଆଉଟ୍ କରି ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ସଠିକ୍ ସାବ୍ୟସ୍ତ କରିଥିଲେ । ପରେ ଅନ୍ୟତମ ଓପନର ମୟଙ୍କ ଅଗରୱାଲ୍ (୨୮)ଙ୍କୁ ଆଉଟ୍ କରି ଅତୀତ ଶେଠ୍ ସାଉଥ୍ ଜୋନ୍ ସମସ୍ୟାକୁ ବହୁଗୁଣିତ କରିଦେଇଥିଲେ । ତେବେ ଇନ୍ଫର୍ମ ବ୍ୟାଟ୍ସମ୍ୟାନ୍ ତିଲକ ବର୍ମା ଓ ବିହାରୀଙ୍କ ମଧ୍ୟରେ ତୃତୀୟ ୱିକେଟ୍ରେ ୭୯ ରନ୍ର ଭାଗୀଦାରୀ ହେବା ଫଳରେ ସାଉଥ୍ ଜୋନ୍ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା । କିନ୍ତୁ ଏହି ଯୋଡ଼ି ଭାଙ୍ଗିବା ପରେ ୱେଷ୍ଟ୍ ଜୋନ୍ ବୋଲର୍ ଆଉ କୌଣସି ବ୍ୟାଟ୍ସମ୍ୟାନ୍ଙ୍କୁ ବେଶୀ ସମୟ ପିଚ୍ରେ ତିଷ୍ଠିବାର ସୁଯୋଗ ଦେଇ ନ ଥିଲେ ।
ଏହି କାରଣରୁ ଏକତା ୧୩୮ ରନ୍ରେ ମାତ୍ର ୩ଟି ୱିକେଟ୍ ହରାଇଥିବା ସାଉଥ୍ ଜୋନ୍ ପରବର୍ତ୍ତୀ ୪ଟି ୱିକେଟ୍ରେ ମାତ୍ର ୪୪ ରନ୍ ଯୋଡ଼ିପାରିଥିଲା । ରିକି ଭୁଇ ୯ ଓ ସଚିନ୍ ବେବି ୭ ରନ୍ କରି ଆଉଟ୍ ହେବା ପରେ ବିହାରୀ ଦଳୀୟ ସ୍କୋର୍କୁ ୧୬୫ରେ ପହଞ୍ଚାଇଥିଲେ । ଏହି ସମୟରେ ସେ ପ୍ୟାଭିଲିଅନ୍ ଫେରିବା ପୂର୍ବରୁ ୯ଟି ଚୌକା ସହ ୬୩ ରନ୍ କରିସାରିଥିଲେ । ଆର. ସାଇ କିଶୋର ୫ ରନ୍ କରି ଆଉଟ୍ ହୋଇଥିବା ବେଳେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୱାଶିଂଟନ୍ ସୁନ୍ଦର ୯ ଓ ବିଜୟକୁମାର ବିଶକ୍ ୫ ରନ୍ କରି ଅପରାଜିତ ଅଛନ୍ତି । ୱେଷ୍ଟ୍ ଜୋନ୍ ପକ୍ଷରୁ ଚିନ୍ତନ, ଅର୍ଜନ୍ ନଗସୱାଲା ଓ ଶାମ୍ସ ମୁଲାନି ୨ଟି ଲେଖାଏଁ ଏବଂ ଅତୀତ ଗୋଟିଏ ଓି୍ୱକେଟ୍ ନେଇଛନ୍ତି ।