ପାଟନା: ସ୍ୱାମୀ ସ୍ତ୍ରୀର ସମ୍ପର୍କ ଜନ୍ମ ଜନ୍ମର କୁହାଯାଏ । ସ୍ୱାମୀ ହେଉ କି ସ୍ତ୍ରୀ ଥରେ ପରସ୍ପରର ହାତ ଧରିଲେ ସାତ ଜନ୍ମ ଲାଗି ଜୀବନସାଥୀ ପାଲଟିଯାଆନ୍ତି । ସ୍ୱାମୀଙ୍କୁ ପରମେଶ୍ୱର ବୋଲି ପତ୍ନୀ ମାନିନିଏ । ହେଲେ ଏଠାରେ ନିଜ ଦେବତା ତୁଲ୍ୟ ସ୍ୱାମୀକୁ ହତ୍ୟା କରିବାକୁ ପଛାଇ ନାହିଁ ପତ୍ନୀ। ସ୍ୱାମୀକୁ ହତ୍ୟା କରିବା ଲାଗି ପ୍ରଥମେ ତାକୁ ଗଛରେ ବାନ୍ଧି ପରେ ଶରୀରରେ ନିଆଁ ଲଗାଇଥିବା ଜଣାପଡ଼ିଛି । ଏଭଳି ଏକ ଘଟଣା ବିହାର ମୁଜ୍ଜଫରପୁର ଅଞ୍ଚଳରେ ଘଟିଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ସ୍ୱାମୀଙ୍କୁ ହତ୍ୟା କରିବା ଲାଗି ଅଭିନବ ଢଙ୍ଗ ଆପଣାଇଥିଲେ ପତ୍ନୀ ।
ସେଲ୍ଫି ନେବା ବାହାନାରେ ପ୍ରଥମେ ପତିଙ୍କୁ ଗଛରେ ବାନ୍ଧିଥିଲା । ଏହାପରେ ସ୍ୱାମୀ ଉପରେ କିରୋସିନ ଢାଳି ନିଆଁ ଲଗାଇଥିଲା । ଗଛରେ ନିଆଁ ଜଳୁଥିବା ଦେଖି ପଡୋଶୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ସାହେବଗଞ୍ଜ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ପଚରା ଉଚରା କରିବା ପରେ ମାମଲା ରୁଜୁ କରିଥିଲା । ଆହତ ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆହତ ବ୍ୟକ୍ତି ଜଣକ ନିଜ ପତ୍ନୀ ବିରୋଧରେ ଅଭିଯୋଗ ଆଣିଥିଲେ । ପତ୍ନୀ ତାଙ୍କୁ ହତ୍ୟା କରିବାକୁ ଚାହିୁଁଥିବା ସେ କହିଛନ୍ତି ।
ହେଲେ ହତ୍ୟାକାଣ୍ଡ ପଛର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ପୀଡିତ ବ୍ୟକ୍ତିଙ୍କ କହିବା ଅନୁସାରେ, “ମୋ ସ୍ତ୍ରୀ ମୋବାଇଲରେ ସେଲ୍ଫି ନେବା ବାହାନାରେ ଗଛରେ ବାନ୍ଧି ଦେଇଥିଲା । ଏହାପରେ କିରୋସିନ ଢାଳି ମୋ ଶରୀରରେ ନିଆଁ ଲଗାଇଦେଇଥିଲେ । କିଛି ପଡ଼ୋଶୀ ନିଆଁ ଜଳୁଥିବା ଦେଖି ମୋ ପାଖରେ ପହଞ୍ଚିବା ପରେ ମୋତେ ରକ୍ଷା କରିଥିଲେ ।” ପତ୍ନୀର ଏହି ନାରକୀୟ କାଣ୍ଡ ପଛର କାରଣ ଜଣାପଡ଼ିନଥିବା ବେଳେ ମହିଳାଙ୍କ ଅନ୍ୟ କୌଣସି ବ୍ୟକ୍ତି ସହିତ ଅନୈତିକ ସମ୍ପର୍କ ଥିବା ପଡୋଶୀ ଅଭିଯୋଗ ଆଣିଛନ୍ତି । ସେପଟେ ଏ ନେଇ ସାହେବଗଞ୍ଜ ପୋଲିସ ଅଧିକାରୀ ରାଜେଶ କୁମାର କହିଛନ୍ତି ଯେ ଏହି ଘଟଣାଟି ବାସୁଦେବପୁର ସରାୟ ପଞ୍ଚାୟତର ଏକ ଗାଁର । ଯେଉଁଠି ମହିଳା ଜଣକ ନିଜ ପତ୍ନୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ହେଲେ ପଡୋଶୀଙ୍କ ଉଦ୍ୟମରେ ବ୍ୟକ୍ତି ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଅଭିଯୁକ୍ତ ପତ୍ନୀକୁ ଗିରଫ କରାଯାଇଛି ।