ଅହମ୍ମଦାବାଦ:ଗୁଜରାଟ ପୁଲିସର ଆଣ୍ଟି ଟେରରିଷ୍ଟ୍ ସ୍କ୍ାରଡ୍ (ଏଟିଏସ୍) ପୋରବନ୍ଦରରୁ ଶ୍ରୀନଗରର ଚାରିଜଣ ଯୁବକଙ୍କ ସମେତ ସୁରଟର ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳାଙ୍କୁ ନିକଟରୁ ଚାରିଟି ମୋବାଇଲ୍ ଏବଂ ଅନ୍ୟ ଡିଭିଟାଲ୍ ଡିଭାଇସ୍ ମଧ୍ୟ ଜବତ କରାଯାଇଛି । ଏଟିଏସ୍ ଆଇଜି ଦିପେନ୍ ଭଦ୍ରନ୍ କହିଛନ୍ତି, ଗିରଫ ପାଞ୍ଚଜଣ ଆତଙ୍କୀ ସଂଗଠନ ଆଇଏସ୍ଆଇଏସ୍-ଖୋରାସାନ୍ ମଡ୍ୟୁଲ୍ ସହିତ ସମ୍ପୃକ୍ତ ।
ଏମାନେ ଗତ ଏକବର୍ଷ ଧରି ପରସ୍ପର ସମ୍ପର୍କରେ ଥିଲେ ଏବଂ ଆଇଏସ୍ଆଇଏସ୍ରେ ସାମିଲ ହେବା ପାଇଁ ଦେଶରୁ ପଳାଇବା ଯୋଜନା କରୁଥିଲେ । ସମସ୍ତେ ଆଇଏସ୍ଆଇଏସ୍ ମଡ୍ୟୁଲ୍ରେ କାମ କରିବା ସହିତ ସୋସିଆଲ୍ ମିଡିଆ ଜରିଆରେ ଯୁବକମାନଙ୍କୁ ପଟ୍ଟରପନ୍ଥୀ କରିବା କାର୍ଯ୍ୟ କରୁଥିଲେ ।
ଏହା ସହିତ ଗୁଜରାଟର ସମ୍ବେଦନଶୀଳ ସିକ୍ରେଟ୍ ସୂଚନା ବିଦେଶ ପଠାଉଥିଲେ । ଏଟିଏସ୍ ଗତ କିଛିଦିନ ଧରି ପୋରବନ୍ଦର ଓ ଏହାର ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଇଥିଲା । ଏହି ଅପରେସନ୍ରେ ଏମାନଙ୍କୁ ଗିରଫ କରାଯାଇଛି । ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଗ୍ଭୀ ଏବଂ ଏଟିଏସ୍ର ଏକ ପ୍ରେସ୍ କନ୍ଫରେନ୍ସରେ ଏହି ସୂଚନା ଦିଆଯାଇଛି । ଏହି ଚାରି କଟ୍ଟରପନ୍ଥୀ ଯୁବକ ଗୁଜରାଟ ସମୁଦ୍ର ରାସ୍ତାରେ ଇରାନ୍ ଯାଇ ସେଠାରୁ ଆଫଗାନିସ୍ତାନ ଯିବା ଯୋଜନା କରୁଥିଲେ ।
ଗୁଜରାଟ ଏଟିଏସ୍କୁ ଏହା ସୂଚନା ମିଳିବା ପରେ ଜୁନ୍ ୯ ତାରିଖରେ ପୋର୍ବନ୍ଦର ରେଳ ଷ୍ଟେସନ୍ରୁ ଚାରି ଯୁବକଙ୍କୁ ଗିରଫ କରିଥିଲା । ଏହାପରେ ସେମାନଙ୍କ ସହଯୋଗୀ ଯୁବତୀଙ୍କୁ ସୁରଟରୁ ଗିରଫ କରାଯାଇଥିଲା । ଗିରଫ ଚାରି ଯୁବକ ହେଲେ ଉବୈଦ ନାସିର ମୀର, ହନାନ୍ ହୟାତ୍ ଶାଲ୍, ମହମ୍ମଦ ହାଜିମ ଶାହ ଏବଂ ଜୁବେର୍ ଅହମ୍ମଦ ମୁନ୍ଶୀ । ଏଟିଏସ୍ ସେମାନଙ୍କ ଲୋକାଲ୍ ଲିଙ୍କ୍ର ତଲାସ ଚଳାଇଛି ।