ଗୋଳନ୍ଥରା : ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଳଥିଗାଁ ପଞ୍ଚାୟତ ଦାସପୁର ଗ୍ରାମର ଜଣେ ଦିନମଜୁରିଆଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସେ ହେଲେ ଅକ୍ରୁର ଦାସ (୬୫) । ଦିନମଜୁରିଆ ଭାବେ କାମ କରୁଥିବର ଅକ୍ରୁର ସବୁଦିନ ପରି ଗତକାଲି ସକାଳୁ ନିଜର ନିତ୍ୟକର୍ମ ସାରି ବ୍ରହ୍ମପୁର କାମ କରିବା ପାଇଁ ଯାଇଥିଲେ । ସେଠାରୁ ବିଏନପୁର ଥାନା ସିଦ୍ଧାର୍ଥନଗର ଯାଇ ଜଣଙ୍କ ନିର୍ମାଣାଧୀନ କୋଠାରେ ପାଣି ପକାଇବା ବେଳେ ଦିନ ୧ ଘଣ୍ଟା ସମୟରେ ହଠାତ୍ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ ।
ସ୍ଥାନୀୟ ଲୋକଙ୍କ ସହାୟତାରେ ଅଟୋରେ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ ନିଆଯାଇଥିଲେ ହେଁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରଚଣ୍ଡ ଖରା ତାପରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ମୃତକଙ୍କ ଝିଅ ଜାନକୀ ଦାସ ସିଦ୍ଧାର୍ଥନଗର ଅଞ୍ଚଳ ବିଏନପୁର ଥାନା ଅଧୀନରେ ଥିବାରୁ ସେହି ଥାନାରେ ଏତଲା ଦେଇଛନ୍ତି । ଏହା ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ସ୍ଥାନୀୟ ସରପଞ୍ଚ ଜଗମୋହନ ପାତ୍ର ଅଭିଯୋଗ କରିଛନ୍ତି ।