29.1 C
Bhubaneswar
Friday, October 18, 2024
Homeଓଡିଶାପ୍ରଦୀପ ସାମଲଙ୍କ ୧୧.୩୮ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍‌; ଓଡ଼ିଶା ହୋମ୍ସର ନିର୍ଦ୍ଦେଶକଙ୍କୁ ଗିରଫ କଲା...

ପ୍ରଦୀପ ସାମଲଙ୍କ ୧୧.୩୮ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍‌; ଓଡ଼ିଶା ହୋମ୍ସର ନିର୍ଦ୍ଦେଶକଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର: ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ୧୧ କୋଟି ୩୫ ଲକ୍ଷ ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ଆଟାଚ୍ କରିଛି । ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଓଡ଼େଶା ହୋମସ୍ ଆଣ୍ଡ କମର୍ସିଆଲସ୍ ପ୍ରା.ଲିଃର ନିର୍ଦ୍ଦେଶକ ସରୋଜ କୁମାର ପଣ୍ଡାଙ୍କୁ ଗିରଫ କରିଛି ।

ପ୍ରତାପ କୁମାର ସାମଲଙ୍କ ଆଟାଚ୍ କରାଯାଇଥିବା ସମ୍ପତ୍ତିରେ ପ୍ରତାପଙ୍କ ବ୍ୟତୀତ ସ୍ତ୍ରୀ ସସ୍ମୀତା ସାମଲ ଏବଂ ପୁଅ ପ୍ରିତମ୍ କୁମାର ସାମଲଙ୍କ ସମ୍ପତ୍ତି ମଧ୍ୟ ରହିଛି । ଇଡିର ତଦନ୍ତରେ ସ୍ପଷ୍ଟ କୁହାଯାଇଛି ଯେ ପ୍ରତାପ ଦୁର୍ନିତୀ କରି କୋଟି କୋଟି ଟଙ୍କା କମାଇଛନ୍ତି । ଏହି ଟଙ୍କାରେ ପରିବାର ସଦସ୍ୟଙ୍କ ନାମରେ ସେ ବିଭିନ୍ନ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠୁଳ କରିଛନ୍ତି । ନିଜର ସମ୍ପତ୍ତି ତାଲିକା ଲୁଛାଇବା ପାଇଁ ସେ ଏଭଳି କରିଥିବା କୁହାଯାଇଛି ।

ତେବେ ତଦନ୍ତ ଆଗକୁ ଜାରି ରହିବ ବୋଲି ଇଡି ସୂଚନା ଦେଇଛି । ଗତ ନଭେମ୍ବର ୧୦ ତାରିଖରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଉଭୟ ସାମଲ ଦମ୍ପତିଙ୍କୁ ରାଜ୍ୟ ଭିଜିଲାନ୍ସ ଗିରଫ କରିଥିଲା । ତାଙ୍କର ୧୪ କୋଟି ୮୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସଂପତ୍ତି ଠାବ କରିଥିଲା । ଯାହା ତାଙ୍କର ଆୟ ତୁଳନାରେ ୧୦୨୧ ପ୍ରତିଶତ ଅଧିକ ଥିଲା । ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟସରକାର ତାଙ୍କୁ ବାଧ୍ୟତା ମୂଳକ ଅବସର ଦେଇଥିଲେ ।

ସରୋଜ କୁମାର ପଣ୍ଡାଙ୍କୁ ଗିରଫ କରାଯିବା ପରେ କଟକ ସ୍ଥିତ ଓପିଆଇଡି କୋର୍ଟର ହାଜର କରାଯାଇଛି । ଉକ୍ତ ରିଏଲ୍ ଇଷ୍ଟେଟ୍ ସଂସ୍ଥା ଭୁବନେଶ୍ୱର ଅଶୋକ ନଗରରେ ଏକ କମର୍ସିଆଲ୍ ୟୁନିଟ୍ ଦେବା ଆଳରେ ୯ କୋଟି ଟଙ୍କା ହେରଫେର କରିଥିଲା ବୋଲି ଅଭିଯୋଗ ହୋଇଥିଲା । ଇଓଡବ୍ଲୁ ସୂଚନା ମୁତାବକ, ୫ ଜଣ ଜମି ମାଲିକ ‘ମା ବସୁଧା ହୋମସ୍‌’ ନାମକ ଏକ ସଂସ୍ଥା ସହ ଚୁକ୍ତି କରି ପାୱାର ଅଫ୍ ଆଟର୍ନି ଦେଇଥିଲେ । ୨୦୧୨ ମସିହାରେ ସେମାନଙ୍କ ଜମିରେ ଏକ କମର୍ସିଆଲ୍ କମ୍ପେ୍ଲକ୍ସ ନିର୍ମାଣ କରିବାକୁ ଯୋଜନା ହୋଇଥିଲା । ବସୁଧା ହୋମ୍ସ ଉକ୍ତ କମର୍ସିଆଲ କମ୍ଲେକ୍ସ ନିର୍ମାଣ ଏବଂ ବିକ୍ରି ପାଇଁ ଓଡ଼େଶା ହୋମ୍‌ସ ସହ ଅନ୍ୟ ଏକ ଚୁକ୍ତି କରିଥିଲା ।

କମର୍ସିଆଲ କମ୍ପେ୍ଲକ୍ସ ନିର୍ମାଣ ହେବା ପରେ ଜମି ମାଲିକଙ୍କ ସେୟାରକୁ ବିକ୍ରି ନ କରିବା ପାଇଁ ଚୁକ୍ତିରେ ଦର୍ଶାଯାଇଥିଲା । ତେବେ ୨୦୧୩ରୁ ୨୦୨୦ ମଧ୍ୟରେ ଉକ୍ତ ସଂସ୍ଥା ୫ ଜମି ମାଲିକଙ୍କୁ ଧୋକା ଦେଇଥିଲା । ବିଡିଏ ବିନା ଅନୁମତିରେ ତୃତୀୟ ମହଲା ନିର୍ମାଣ କରି ବିଭିନ୍ନ ଲୋକଙ୍କୁ ବିକ୍ରୟ କରିଥିଲା ଏବଂ ଅଗ୍ରୀମ ଟଙ୍କା ଉଠାଇଥିଲା । ଏହା ବ୍ୟତୀତ ଉକ୍ତ ସଂସ୍ଥା ଅଧିକାଂଶ ବ୍ୟାଙ୍କ ଠାରୁ ଅଗ୍ରୀମ ଟଙ୍କା ଉଠାଇଥିଲେ ମଧ୍ୟ ସେମାନଙ୍କୁ ଘର ଦେଇ ପାରି ନଥିଲା ।

୧୨୯ଟି କମର୍ସିଆଲ ୟୁନିଟ ହସ୍ତାନ୍ତର କରିବା ପାଇଁ ବଜାରରୁ ସେ ୯ କୋଟି ଟଙ୍କା ଉଠାଇଥିଲେ । ଏନେଇ କଲ୍ୟାଣ ମିଶ୍ର ନାମକ ବ୍ୟକ୍ତି ଅଭିଯୋଗ କରିବା ପରେ ଇଓଡବ୍ଲୁ ଏକ ମାମଲା ରୁଜୁ କରି ଉକ୍ତ ସଂସ୍ଥାର ପୂର୍ବରୁ ୨ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା ଏବଂ ଅରବିନ୍ଦ ସାମନ୍ତରାଙ୍କୁ ଗିରଫ କରିଥିଲା ବେଳେ ଆଜି ଆଉ ଜଣେ ନିର୍ଦ୍ଦେଶକ ସରୋଜଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking