କଟକ: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟଙ୍କ ଚାକିରି ୩ ମାସ ମଧ୍ୟରେ ନିୟମିତ କରିବାକୁ ହାଇକୋର୍ଟ ଆଜି ରାୟ ପ୍ରଦାନ କରିଛନ୍ତି । ବିଚାରପତି ଏସ୍. କେ. ସାହୁ ଏ ସମ୍ପର୍କିତ ୫ଟି ମାମଲାର ଏକତ୍ର ଶୁଣାଣି କରି ଆବେଦନକାରୀମାନଙ୍କୁ ନିୟମିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ବିବରଣୀ ଅନୁସାରେ, ଆବେଦନକାରୀ ସୁରେନ୍ଦ୍ର ବାରିକ, ସୁଧାକର ବାରିକ, ସଦାନନ୍ଦ ପ୍ରଧାନ, ଅରବିନ୍ଦ ବେହେରା ଓ ପ୍ରେମରାଜ ପଣ୍ଡା ଦୀର୍ଘ ବର୍ଷ ଧରି ବିଶ୍ୱବିଦ୍ୟାଳୟରେ ଏକାଧିକ ପଦବୀରେ ଅତ୍ୟନ୍ତ ସ୍ୱଳ୍ପ ପାରିଶ୍ରମିକରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲେ । ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ଜୁନିୟର ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଥିଲା । ସେମାନେ ବିଭିନ୍ନ ସମୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଚାକିରି ନିୟମିତ କରିବା ନେଇ ଦାବି ଉପସ୍ଥାପନ କରିଥିଲେ ।
ଆବେଦନକାରୀଙ୍କ ସମେତ ମୋଟ ୪୩ ଜଣଙ୍କୁ ନିୟମିତ କରିବା ନିମନ୍ତେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଚିଠି କରାଯାଇଥିଲା । ହେଲେ ରାଜ୍ୟ ସରକାର ସେମାନଙ୍କ ଚାକିରି ନିୟମିତ ହେବା ନେଇ କୌଣସି ପଦକ୍ଷେପ ନେଲେ ନାହିଁ । ୨୦୧୯ ମସିହାରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଥିଲେ ।