ଗୋପ: ଗୋପ୍ ବ୍ଲକ୍ ପରିସରରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଉଗ୍ରରୂପ ଧାରଣ କରିବା ସହ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ନ୍ୟାୟ ଦାବିକରି ସ୍ୱାମୀଙ୍କ କାର୍ ଆଗରେ ପତ୍ନୀ ଦୀର୍ଘ ସମୟ ଶୋଇ ରହିବା ପରେ ଘଟଣାସ୍ଥଳରେ ଗୋପ ପୁଲିସ୍ ପହଞ୍ଚି ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଉଠାଇନେଇ ଥାନାରେ ଅଟକରଖି ପଚରାଉଚରା ଚଳାଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଗୋପ ଥାନା ଅଧୀନ ଈଶାଣପୁର ପଞ୍ଚାୟତ ମହନୀପୁର ଗ୍ରାମର ରାଜକିଶୋର ବିଶ୍ୱାଳ ଦୀର୍ଘ ୩୦ବର୍ଷ ପୂର୍ବେ ଏହି ଥାନା ଅଧୀନ ରାଇସ ଗ୍ରାମର ଲକ୍ଷ୍ମୀପ୍ରିୟା ବିଶ୍ୱାଳଙ୍କୁ ବିବାହ କରିଥିଲେ ।
ତାଙ୍କର ଏକ ପୁତ୍ର ସନ୍ତାନ ରହିଥିବା ବେଳେ କୌଣସି କାରଣକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିବା ଯୋଗୁଁ ରାଜକିଶୋର ଅନ୍ୟତ୍ର ରହୁଥିବାବେଳେ ଲକ୍ଷ୍ମୀପ୍ରିୟା ମଧ୍ୟ ତାଙ୍କ ବାପଘର ରାଇସ ଗ୍ରାମରେ ରହିଆସୁଥିଲେ । ଝଗଡ଼ାର ସମାଧାନର ସୂତ୍ର ବାହାରି ନଥିବାବେଳେ ଲକ୍ଷ୍ମୀପ୍ରିୟା ଭରଣପୋଷଣ ପାଇବା ଲାଗି ଥାନା ଓ କୋର୍ଟର ଦ୍ୱାରସ୍ଥ ହୋଇ ନିରାଶ ହେବା ପରେ ଦୀର୍ଘବର୍ଷ ପରେ ବୁଧବାର ସ୍ୱାମୀ ରାଜକିଶୋର କୌଣସି କାର୍ଯ୍ୟରେ ଗୋପ ବ୍ଲକ୍ କାର୍ଯ୍ୟାଳୟକୁ ଆସିଥିବା ଖବରପାଇ ଘଟଣାସ୍ଥଳରେ ଲକ୍ଷ୍ମୀପ୍ରିୟା ପହଞ୍ଚିଥିଲେ ଓ ପାଟିତୁଣ୍ଡ କରିବା ସହ ସ୍ୱାମୀ ରାଜକିଶୋରଙ୍କ କାର୍ ସମ୍ମୁଖରେ ଶୋଇ ରହିଥିଲେ ।
ବିଭିନ୍ନ ସମୟରେ ନିର୍ଯାତନା ଓ ଲକ୍ଷ୍ମୀପ୍ରିୟାଙ୍କୁ ମଦ୍ୟପାନ କରିବାକୁ ବାଧ୍ୟକରିବା, ଏକାଧିକ ବ୍ୟକ୍ତିଙ୍କୁ ବିବାହ କରିବା ଆଦି ବିଭିନ୍ନ ସଂଗୀନ ଅଭିଯୋଗ ରାଜକିଶୋର ନାମରେ କରିଥିବାବେଳେ ଅନ୍ୟପଟେ ୬ମାସର ଛୁଆକୁ ଛାଡ଼ି ଲକ୍ଷ୍ମୀପ୍ରିୟା କେଉଁଆଡ଼େ ଚାଲିଯାଇଥିଲା ଓ ପରେ ବାପଘରେ ରହୁଥିବାବେଳେ ବିଭିନ୍ନ ସମୟରେ ହଇରାଣ ହରକତ କରୁଥିବା ରାଜକିଶୋର ପାଲଟା ଅଭିଯୋଗ କରିଥିଲେ । ତେବେ ଘଟଣାସ୍ଥଳରେ ଗୋପ ପୁଲିସ୍ ପହଞ୍ଚି ଉଭୟଙ୍କୁ ଅଟକ ରଖି ପଚରା ଉଚରା କରିଛି । ଘଟଣା ସଂପର୍କରେ ଗୋପ ଥାନାଧିକାରୀ ସୁନିଲ କୁମାର ପ୍ରଧାନଙ୍କୁ ପଚାରିବାରେ ସ୍ୱାମୀ-ସ୍ତ୍ରୀଙ୍କ କଳହକୁ ନେଇ ପୂର୍ବରୁ ମଧ୍ୟ ଏମାନଙ୍କ ନାମରେ ମାମଲା ରହିଛି । କୋର୍ଟରେ ମଧ୍ୟ ମାମଲା ବିଚାରାଧୀନ ଅଛି । ଉଭୟ ପକ୍ଷର ଷ୍ଟେଟ୍ମେଣ୍ଟ୍ ନିଆଯାଇ ଯାହାକିଛି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।