ଯାଜପୁର : ପୋଲିସର ନିର୍ଯ୍ୟାତନା ସହି ନପାରି ଯୁବକ କଲେ ଆତ୍ମହତ୍ୟା । ଏମିତି ଏକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ମଲ୍ଲିପୁର ଗ୍ରାମରୁ ।ସୂଚନା ଅନୁଯାୟୀ ଏହି ଗ୍ରାମର ଉଗ୍ରେସନ ବାରିକଙ୍କ ପୁଅ ସରୋଜ ବାରିକଙ୍କ ସହିତ ନଛେନ୍ଦ୍ରପୁର ଗ୍ରାମର ଏକ ଝିଅ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା। ପରେ ଏହାକୁ ନେଇ ଉଭୟ ଙ୍କ ପରିବାର ମଧ୍ୟରେ ବିଶୃଙ୍ଖଳା ଦେଖାଦେବା ସହ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା। ପରେ ମଙ୍ଗଳପୁର ଥାନା ଅଧିକାରୀ ମୃତ ଯୁବକର ପରିବାରକୁ ଥାନାକୁ ଡକାଇ ବିଭିନ୍ନ ସମୟରେ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିଲେ। ତିନିଦିନ ତଳେ ମୃତ ଯୁବକର ବାପାଙ୍କୁ ଘରୁ ଉଠାଇନେଇ ମାଡ଼ ମାରିବା ସହ ଅଭଦ୍ର ଭାଷାରେ ଗାଳି ଗୁଲଜ କରୁଥିଲେ ବୋଲି ମୃତ ଯୁବକଙ୍କ ପିତା ଉଗ୍ରସେନ ବାରିକ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ନିଜ ପରିବାର ପ୍ରତି ପୁଲିସର ଅସହ୍ୟ ନିର୍ଯ୍ୟାତନାକୁ ସହ୍ୟ ନକରିପାରି ସରୋଜ ମାନସିକ ଚାପରେ ରହି ଆଜି ସକାଳୁ ନିଜ ଘର ପାଖରେ ଥିବା ଏକ ଗଛରେ ରଶୀ ଦେଇଥିବାର ଦେଖିବାକୁ ମିଳିଥିଲା।
ଏହି ଘଟଣା ରେ ମଙ୍ଗଳପୁର ଆଇଆଇସି ରୀନା ରାଣୀ ସାହୁଙ୍କୁ ମଲ୍ଲିପୁର ଗ୍ରାମର ଦେଢ଼ଶହ ରୁ ଉର୍ଦ୍ଧ୍ବ ଲୋକ ଅଟକ ରଖିଥିଲେ। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ପୋଲିସ ସହ ଗ୍ରାମବାସୀଙ୍କର ଧସ୍ତାଧସ୍ତି ହୋଇଥିଲା। ମଙ୍ଗଳପୁର ଆଇଆଇସି ଙ୍କ ନିର୍ଯ୍ୟାତନା ସହି ନପାରି ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ଗ୍ରାମବାସୀ ଓ ପରିବାର ଲୋକ ଅଭିଯୋଗ କରିଛନ୍ତି।ଘଟଣା ସ୍ଥଳରେ ଜିଲ୍ଲା ଆରକ୍ଷୀଅଧିକ୍ଷକଙ୍କ ସହ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।