ବାଣପୁର : ବାଣପୁର ଥାନା ଅନ୍ତର୍ଗତ ଭୀମପୁର ହରିଜନ ସାହିରେଗୁରୁବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଦାଣ୍ଡପିଣ୍ଡାରେ ଦୁଇ ଭାଇ କଥାବାର୍ତ୍ତା ହେଉଥିବା ବେଳେ ଜଣେ ଗ୍ରାମବାସୀ ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ କରିବାରୁ ବଡଭାଇର ମୃତ୍ୟୁ ହୋଇଯାଇଥିବା ବେଳେ ସାନ ଭାଇ ଗୁରୁତର ଭାବେ ଆହତ ହୋଇ ବାଣପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗ୍ରାମରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଆକ୍ରମଣକାରୀକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଚଳାଇଛି ।
ଗୁରୁବାର ରାତି ପ୍ରାୟ ୯ଟାରେ ବାଣପୁର ଥାନା ଭୀମପୁର ଗ୍ରାମ ହରିଜନ ସାହିର ରବିନ୍ଦ୍ରନାଥ ନାୟକ (୭୦) ଏବଂ ସୋମନାଥ ନାୟକ (୬୫) ଓରଫ ଶ୍ୟାମ ଦୁଇ ଭାଇ ନିଜ ଦାଣ୍ଡପିଣ୍ଡାରେ ବସି ଗପସପ ହେଉଥିବା ବେଳେ ଗ୍ରାମର ସତ୍ୟ ନାୟକଙ୍କ ପୁଅ କେଳୁ ନାୟକ ହଠାତ୍ ଏକ ଖଣ୍ଡା ଧରି ସେଠାରେ ପହଞ୍ଚି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଫଳରେ ଦୁଇ ଭାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚେତାଶୂନ୍ୟ ହୋଇ ଗ୍ରାମଦାଣ୍ଡରେ ପଡିଯାଇଥିଲେ। ଉଭୟଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିବାରୁ କେଳୁ ଫେରାର ହୋଇଯାଇଥିଲା। ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ଉଭୟଙ୍କୁ ବାଣପୁର ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ବଡଭାଇ ରବିନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଆଖପାଖ ଗ୍ରାମରେ ଏଇ ଖବର ପ୍ରଚାର ହେବାରେ ଡାକ୍ତରଖାନାରେ ଗ୍ରାମବାସୀଙ୍କ ଭିଡ ଲାଗିରହିଛି। ଖବର ପାଇ ପୁଲିସ ଗ୍ରାମରେ ପହଞ୍ଚି ଘଟଣା ସମ୍ପର୍କରେ ଛାନଭିନ ଚଳାଇଛି । ତେବେ ଗ୍ରାମରେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ଥାନାଧିକାରୀ ଜୟରାମ ପରିଡା କହିଛନ୍ତି । ରିର୍ପୋଟ ଲେଖା ହେବା ବେଳକୁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଗ୍ରାମରେ ଲାଗି ରହିଥିବା ପୂର୍ବ ବିବାଦରୁ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଶାନ୍ତି ଶୃଙ୍ଖଳା ପାଇଁ ଗ୍ରାମରେ ପୁଲିସ ମୁତୟନ କରାଯାଇଛି ।