ବ୍ରହ୍ମପୁର: ବଡ ବଜାର ଥାନା ଅନ୍ତର୍ଗତ ଆସ୍କାରୋଡ ପୁଲିସ କଲୋନୀ ଛକରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଏକ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ବୃଦ୍ଧ ଜଣଙ୍କ ଟାଉନଥାନା ଅନ୍ତର୍ଗତ ଭାପୁର ବଜାର ପାନବିକା ସାହିର ୟାଇ. ମୋହନ ରାଓ(୬୨) ବୋଲି ପୁଲିସ କହିଛି ।
ଖବର ପାଇ ଟ୍ରାଫିକ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ମୃତକଙ୍କ ପୁଅ ୟାଇ. ସନ୍ତୋଷ କୁମାର ମେଡିକାଲରେ ପହଞ୍ଚି ବାପାଙ୍କ ମୃତଦେହ ଚିହ୍ନଟ କରିଥିବା ପୁଲିସ କହିଛି । ସୂଚନାଯୋଗ୍ୟ ଯେ ଆଜି ସକାଳେ କୌଣସି କାମରେ ମୋହନା ରାଓ ନିଜ ସ୍କୁଟି(ନଂ-ଓଡ଼ି୦୨ଏଜାଡ଼-୧୩୫୯)ରେ ଫାଷ୍ଟଗେଟ ଯାଉଥିଲେ । ଏହି ସମୟରେ ନୂଆ ତାଲୁକା ନିକଟ ପୁଲିସ କଲୋନୀ ଛକରେ ବିପରୀତ ଦିଗରୁ ଏକ ଟ୍ରକ (ନଂ-କେଏ୩୫ସି-୯୮୪୫) ସ୍କୁଟି ପଛପଟୁ ଧକ୍କା ଦେଇଥିଲା ।
ସ୍କୁଟି ଚାଳକ ମୋହନ ଗାଡ଼ିରୁ ଛିଟିକି ତଳେ ପଡ଼ି ଯାଇଥିଲେ । ଉକ୍ତ ଟ୍ରକର ପଛ ଚକଟି ମୋହନଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା । ଯାହାଫଳରେ ସେଠାରେ ହିଁ ମୋହନାଙ୍କ ମୃତ୍ୟୁ ଘଟିଥିଲା ବୋଲି ପୁଲିସ କହିଛି । ଖବର ପାଇ ଟ୍ରାଫିକ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି । ଟ୍ରକ ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳିଭାବେ ଦୁର୍ଘଟଣା ଘଟି ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।