ନୂଆଦିଲ୍ଲୀ: ତୈଳ ବିପଣନକାରୀ କମ୍ପାନିମାନେ ଦର ସଂଶୋଧନ କରିଥିବାରୁ ଆଜିଠାରୁ ୧୯ କିଲୋ ଓଜନବିଶିଷ୍ଟ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର ୧୭୧ ଟଙ୍କା ୫୦ ପଇସା ହ୍ରାସ ପାଇଛି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି।ସଂଶୋଧିତ ଦର ଅନୁସାରେ, ଆଜିଠାରୁ ଦିଲ୍ଲୀରେ ୧୯ କିଲୋଗ୍ରାମ୍ ଓଜନବିଶିଷ୍ଟ ‘ଏଲ୍ପିଜି’ ୧,୮୫୬ ଟଙ୍କା ୫୦ ପଇସାରେ ମିଳିବ।‘ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍’ ସୂଚନା ଅନୁସାରେ, ୧୯ କିଲୋଗ୍ରାମ୍ ଓଜନର ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ମୁମ୍ବାଇରେ ୧,୮୦୮ ଟଙ୍କା ୫୦ ପଇସା, କୋଲ୍କାତାରେ ୧,୯୬୦ ଟଙ୍କା ୫୦ ପଇସା, ଚେନ୍ନାଇରେ ୨,୦୨୧ ଟଙ୍କା ୫୦ ପଇସାରେ ବିକ୍ରିୟ ହେଉଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଏପ୍ରିଲ୍ ୧ରେ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ମୂଲ୍ୟ ୯୧ ଟଙ୍କା ୫୦ ପାଇସା ହ୍ରାସ ପାଇଥିଲା।କିନ୍ତୁ, ମାର୍ଚ ୧ ତାରିଖରେ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ମୂଲ୍ୟ ୩୫୦ ଟଙ୍କା ୫୦ ପଇସା ଓ ଘରୋଇ ରନ୍ଧନ ନିମନ୍ତେ ବ୍ୟବହୃତ ‘ଏଲ୍ପିଜି’ ସିଲିଣ୍ଡର୍ ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଥିଲା।ସେବେଠାରୁ ଘରୋଇ ରନ୍ଧନ ନିମନ୍ତେ ବ୍ୟବହାର କରାଯାଉଥିବା ‘ଏଲ୍ପିଜି’ ସିଲିଣ୍ଡର୍ ମୂଲ୍ୟ ହ୍ରାସ ପାଇ ନାହିଁ।