ଅନୁଗୋଳ: ଦଳିଦେଲା ଦନ୍ତା। ଅନୁଗୋଳ ଜିଲ୍ଲା ବଡ଼କନ୍ତକୁଳ ଗାଁରେ ହାତୀ ଆକ୍ରମଣରେ ଦୁଇ ମୃତ । ମୃତକ ଦୁଇ ଜଣ ମୁନି ପ୍ରଧାନ ଓ ଗୌରୀ ରାଉଳ । ଘର ପାଖ ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଦନ୍ତା ଦୁଇ ଜଣଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳ ବଡ଼କନ୍ତକୁଳ ଗ୍ରାମର ମୁଳି ପ୍ରଧାନ(୫୦) ଓ ଗୌରୀ ରାଉଳ ଆଜି ସକାଳୁ ଆମ୍ବ ଗୋଟାଇବା ପାଇଁ ଗାଁ ନିକଟସ୍ଥ ଆମ୍ବ ବଗିଚାକୁ ଯାଇଥିଲେ। ତେବେ ଆମ୍ବ ଗୋଟାଉଥିବା ବେଳେ ଏକ ଦନ୍ତା ହାତୀ ଆସି ମୁଳି ପ୍ରଧାନଙ୍କୁ ଶୁଣ୍ଢରେ ଆକ୍ରମଣ କରି ଦଳି ଦେଇଥିଲା।ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗୌରୀ ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ।ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁତର ଆହତ ଗୌରୀ ରାଉଳଙ୍କର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି।