ନୂଆଦିଲ୍ଲୀ: ଗୁଜରାଟର ଗୋଧ୍ରାରେ ୨୦୦୨ର ସାବରମତୀ ଏକ୍ସପ୍ରେସ୍ ପୋଡ଼ି ମାମଲାରେ ଦୋଷୀ ସାବ୍ୟସ୍ତ ୮ ଜଣଙ୍କୁ ଶୁକ୍ରବାର ସୁପ୍ରିମ୍କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ଆଜୀବନ ଦଣ୍ଡାଦେଶ ଭୋଗୁଥିବା ଏହି ଦୋଷୀମାନେ ୧୭ରୁ ୨୦ ବର୍ଷ ଜେଲ୍ରେ କାଟି ସାରିଛନ୍ତି । ତେବେ ୪ ଜଣ ଦୋଷୀଙ୍କୁ ଜାମିନ୍ ଦେବାକୁ ସର୍ବୋଚ୍ଚ କୋର୍ଟ ମନା କରିଦେଇଛନ୍ତି ।
ସେମାନଙ୍କୁ ତଳ କୋର୍ଟରୁ ଫାଶୀ ଦଣ୍ଡାଦେଶ ମିଳିଥିଲା । ପରେ ହାଇକୋର୍ଟ ଏହାକୁ ଆଜୀବନ କାରାବାସରେ ପରିବର୍ତ୍ତିତ କରିଦେଇଥିଲେ । ଏହି ନିଷ୍ପତ୍ତି ସୁପ୍ରିମ୍କୋର୍ଟରେ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ପିଏମ୍ ନରସିହ୍ମାଙ୍କ ଖଣ୍ଡପୀଠ ନେଇଛନ୍ତି । ଜାମିନ୍ ସର୍ତ୍ତ ପୂରା କରି ବାକି ଲୋକଙ୍କୁ ଜାମିନରେ ଖଲାସ କରାଯାଉ ବୋଲି ଖଣ୍ଡପୀଠ କହିଛନ୍ତି । ଇଦ୍ ପର୍ବକୁ ଦୃଷ୍ଟିରେ ରଖି ଦୋଷୀଙ୍କୁ ଜାମିନ୍ରେ ଖଲାସ କରାଯିବାକୁ ସେମାନଙ୍କ ଓକିଲ ସଞ୍ଜୟ ହେଗଡ଼େ ଆବେଦନ କରିଥିଲେ ।
ଗୋଧ୍ରାରେ ସାବରମତୀ ଏକ୍ସପ୍ରେସ୍ରେ ନିଆଁ ଲଗାଇ ୫୯ ଲୋକଙ୍କୁ ଜୀବନ୍ତ ପୋଡ଼ିଦେଇଥିବା ମାମଲାରେ ଆଜୀବନ କାରାବାସ କାଟୁଥିବା ଅବ୍ଦୁଲ ରହମାନ୍ ଧନ୍ତିଆ, ଅବ୍ଦୁଲ୍ ସତ୍ତାର୍ ଇବ୍ରାହିମ୍ ଗଦ୍ଦି ସମେତ ୨୭ ଦୋଷୀଙ୍କ ପକ୍ଷରୁ ଦାୟର ଜାମିନ ଆବେଦନ ଉପରେ ସୁପ୍ରିମ୍କୋର୍ଟରେ ଶୁଣାଇ ହୋଇଥିଲା ।