ସୋର: ବାସୁଦେବପୁର ଥାନା ବଛଦା ଗ୍ରାମର ଜଣେ + ୨ ପ୍ରଥମ ବର୍ଷ କଳା ଛାତ୍ର ଆଜି ଅପରାହ୍ନରେ ଘରେ ପାଠ ପଢ଼ିବାକୁ ଆକଟ କରିବାରୁ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛି । ପ୍ରକାଶ ଯେ ଗ୍ରାମର ପୂର୍ଣଚନ୍ଦ୍ର ସ୍ୱାଇଁଙ୍କ ପୁଅ ପ୍ରହଲ୍ଲାଦ ସ୍ୱାଇଁ ସ୍ଥାନୀୟ ବାରାପୁର କଲେଜରେ ଯୁକ୍ତ ଦୁଇ କଳାର ପ୍ରଥମ ବର୍ଷରେ ପଢ଼ୁଥିଲେ । ଘରେ ତାଙ୍କୁ ପାଠ ପଢ଼ିବାକୁ ଆକଟ କରିବାରୁ ପୂର୍ବରୁ ଦୁଇଥର ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ବେଳେ ତାଙ୍କ ପରିବାର ଲୋକେ ଉଦ୍ଧାର କରିଥିଲେ ।
ଘର ନିକଟରେ ତାଙ୍କ ବାପା କାମ କରୁଥିବାବେଳେ ତାଙ୍କୁ ପାନ ଦେଇ ଫେରିବା ପରେ ସାଙ୍ଗମାନଙ୍କ ସହ ଖେଳିବାକୁ ନଯାଇ ଘରକୁ ଚାଲିଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଶୋଇବା ଘର ଫ୍ୟାନରେ ରଶି ଲଗାଇ ଝୁଲିପଡ଼ିଥିଲେ । ତାଙ୍କ ମାଆ ସାଙ୍ଗମାନଙ୍କ ସହ ତାଙ୍କୁ ଖେଳୁଥିବାର ନ ଦେଖି ତାଙ୍କ ସାଙ୍ଗମାନଙ୍କ ସହ ଘରକୁ ଯାଇଥିଲେ । ମାତ୍ର ଘର ଭିତରୁ କବାଟ ଦିଆଯାଇଥିବାରୁ ଘର କବାଟ ଭାଙ୍ଗି ପ୍ରହଲ୍ଲାଦ ଫ୍ୟାନ୍ରେ ରଶି ଲଗାଇ ଝୁଲୁଥିବା ଦେଖିପାରି ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।