24.1 C
Bhubaneswar
Friday, January 10, 2025
Homeଖେଳଆଜିଠାରୁ ମହିଳା ପ୍ରିମିୟର୍ ଲିଗ୍‌; ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଗୁଜରାଟ ଜାଏଣ୍ଟ୍‌ସ

ଆଜିଠାରୁ ମହିଳା ପ୍ରିମିୟର୍ ଲିଗ୍‌; ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଗୁଜରାଟ ଜାଏଣ୍ଟ୍‌ସ

ମୁମ୍ବାଇ: ଆଜିଠାରୁ ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରୁ ମହିଳା ପ୍ରିମିୟର୍ ଲିଗ୍ (ଡବ୍‌ଲ୍ୟୁପିଏଲ୍‌)ର ପ୍ରଥମ ସଂସ୍କରଣ ଆରମ୍ଭ ହେବ । ବେଶ୍ କିଛି ବର୍ଷର ଅପେକ୍ଷା ପରେ ଶେଷରେ ବିସିସିଆଇ ଦେଶର ମହିଳା କ୍ରିକେଟର୍‌ଙ୍କ ସ୍ୱପ୍ନ ପୂରଣ କରିବା ସକାଶେ ଡବ୍‌ଲ୍ୟୁପିଏଲ୍‌ର ଯୋଜନା କରିଛି । ୫ଟି ଟିମ୍‌କୁ ନେଇ ପ୍ରଥମ ସଂସ୍କରଣରେ ମୋଟ ୨୨ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଆସନ୍ତା ୨୬ରେ ଫାଇନାଲ୍ ମୁକାବିଲା ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ହେବ ।

ଦେଶରେ ମହିଳା କ୍ରିକେଟ୍‌କୁ ଡବ୍‌ଲ୍ୟୁପିଏଲ୍ ସଫଳତାର ଏକ ନୂଆ ସୋପାନରେ ପହଞ୍ଚାଇବ ବୋଲି କ୍ରିକେଟ୍ ବିଶେଷଜ୍ଞ ଓ କ୍ରିକେଟ୍‌ପ୍ରେମୀମାନେ ଆଶା ବାନ୍ଧିଛନ୍ତି । ଶନିବାର ହରମନ୍‌ପ୍ରୀତ୍ କୌର୍‌ଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ବେଥ୍ ମୁନୀଙ୍କ ଅଧିନାୟକତ୍ୱରେ ଖେଳିବାକୁ ଥିବା ଗୁଜରାଟ ଜାଏଣ୍ଟ୍‌ସ ମଧ୍ୟରେ ମୁକାବିଲା ହେବ ।

ସେହିପରି ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେଉଥିବା ଅନ୍ୟ ତିନିଟି ଟିମ୍ ମଧ୍ୟରୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍‌ସିବି) ଦଳର ନେତୃତ୍ୱ ସ୍ମୃତି ମନ୍ଧାନା ନେଉଥିବା ବେଳେ ମେଗ୍ ଲାନିଙ୍ଗ୍ ଦିଲ୍ଲୀ କ୍ୟାପିଟାଲ୍ସର ଓ ଆଲିସା ହିଲି ୟୁପି ୱାରିଅର୍ଜ ଦଳର ଅଧିନାୟିକା ଦାୟିତ୍ୱ ପାଇଛନ୍ତି । ୫ଟି ଟିମ୍‌ରେ ମୋଟ ୮୭ ଜଣ ଖେଳାଳି ସ୍ଥାନ ପାଇଥିବା ବେଳେ ଯୁବ ଖେଳାଳିମାନେ ଏହି ଲିଗ୍ ମାଧ୍ୟମରେ ଲୋକଲୋଚନକୁ ଆସିବା ସକାଶେ ଉଦ୍ୟମ କରିବେ ।

ସେମାନଙ୍କ ମଧ୍ୟରେ ଜମ୍ମୁ-କଶ୍ମୀର ଜେସିଆ ଅଖ୍‌ତାର ଅନ୍ୟତମ । ଏହି ଧୂଆଁଧାର ବ୍ୟାଟ୍ସଓମ୍ୟାନ୍ ଜଣକ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାରେ ବେଶ୍ ମାହିର୍ ଥିବା ବେଳେ ଲିଗ୍ ପରେ ଉମରାନ୍ ମଲିକଙ୍କ ପରି ପ୍ରଶଂସକମାନଙ୍କ ମଧ୍ୟରେ ଲୋକପ୍ରିୟତା ଅର୍ଜନ କରିବେ ବୋଲି ଆଶା କରିଛନ୍ତି । ସେହିପରି ସ୍ନେହା ଦୀପ୍ତିଙ୍କ ପରି ଖେଳାଳି ମାତୃତ୍ୱ ଲାଭ କରିବା ପରେ ବି କ୍ରିକେଟ୍‌ପ୍ରେମୀଙ୍କ ମନୋରଞ୍ଜନ କରାଯାଇପାରେ ବୋଲି ଏକ ଧାରଣା ସୃଷ୍ଟି ପାଇଁ ଭରପୂର ଉଦ୍ୟମ କରିବେ ।

ଏହାଛଡ଼ା ଭାରତ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିବା ଖେଳାଳିମାନଙ୍କ ମଧ୍ୟରେ ଏହି ଲିଗ୍ ବିଦେଶୀ ଦଳଗୁଡ଼ିକୁ କଡ଼ା ମୁକାବିଲା ଦେବା ଦିଗରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି । ସେହିପରି ଗତ ବର୍ଷ ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରାଜୁତି କରିବା ପରେ ଅବସର ଗ୍ରହଣ କରିଥିବା ମିତାଲି ରାଜ୍ ଓ ଝୁଲନ୍ ଗୋସ୍ୱାମୀ ମେଣ୍ଟର୍ ଭାବେ ଯଥାକ୍ରମେ ଗୁଜରାଟ ଓ ମୁମ୍ବାଇ ଦଳରେ ଯୋଗ ଦେଇଛନ୍ତି ।

କ୍ରିକେଟ୍‌ରୁ ଅବସର ନେଇଥିଲେ ହେଁ ସେମାନଙ୍କ ନିକଟରେ ଥିବା ଅଭିଜ୍ଞତାରୁ ଯୁବ ଖେଳାଳିମାନେ ଯଥେଷ୍ଟ କିଛି ଶିକ୍ଷାଲାଭ କରିପାରିବେ ବୋଲି ଆଶା ରହିଛି । ଲିଗ୍ ପର୍ଯ୍ୟାୟ ଶେଷ ହେବା ପରେ ୩ଟି ଶୀର୍ଷ ଟିମ୍ ମଧ୍ୟରୁ ଏକ ନମ୍ବର ଟିମ୍‌ଟି ସିଧାସଳଖ ଫାଇନାଲ୍ ଖେଳିବ । ଏହାପରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଟିମ୍ ମଧ୍ୟରେ ଏଲିମିନେଟର୍ ଖେଳାଯିବ । ଏହାର ବିଜେତା ଫାଇନାଲ୍ ଖେଳିବା ସକାଶେ ଯୋଗ୍ୟତା ପାଇବ ।

ମ୍ୟାଚ୍ ପୂର୍ବରୁ ରଙ୍ଗାରଙ୍ଗ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ଜଣାଶୁଣା ବଲିଉଡ୍ ଗାୟକ ଶଙ୍କର ମହାଦେବ ଡବ୍‌ଲ୍ୟୁପିଏଲ୍‌ର ଆନ୍ଥେମ୍ ଗାଇବେ । ଏହାଛଡ଼ା ବଲିଉଡ୍ ଅଭିନେତ୍ରୀ କୀର୍ତ୍ତି ଶାନନ୍‌, କିଆରା ଆଡଭାନୀ ଓ କାନାଡା ସିଙ୍ଗର୍ ଏପି ଧିଲୋନ୍ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକମାନଙ୍କୁ ମତୁଆଲା କରିବେ ।

ମୁମ୍ବାଇ ଇଣ୍ଡିଆନ୍ସ: ହରମନ୍‌ପ୍ରୀତ୍ କୌର୍ (ଅଧିନାୟିକା), ୟାସ୍ତିକା ଭାଟିଆ (ୱିକେଟ୍‌କିପର୍‌), ଅମନ୍‌ଜୋତ୍ କୌର୍‌, ଆମେଲିଆ କେର୍‌, କ୍ଲୋଏ ଟ୍ରାୟନ୍‌, ହେଲି ମାଥ୍ୟୁଜ୍‌, ହିଦର୍ ଗ୍ରାହାମ୍‌, ହମୈରା କାଜି, ଇସି ୱଙ୍ଗ୍‌, ଧାରା ଗୁଜ୍ଜର୍‌, ଜିଣ୍ଟିମାନି କାଲିତା, ନାତାଲି ସ୍କିଭର୍‌, ନୀଲମ ବିଷ୍ଟ୍‌, ପୂଜା ବସ୍ତ୍ରାକାର, ପ୍ରିୟଙ୍କା ବାଲା, ସାଇକା ଇଶାକ୍ ଓ ସୋନମ୍ ଯାଦବ ।

ଗୁଜରାଟ ଜାଏଣ୍ଟ୍‌ସ: ଆଶ୍‌ଲି ଗାର୍ଡନର୍‌, ବେଥ୍ ମୁନୀ (ଅଧିନାୟିକା), ସୋଫି ଡଙ୍କଲୀ, ଆନ୍ନା ସଦରଲାଣ୍ଡ୍‌, ହର୍ଲିନ୍ ଦେଓଲ୍‌, ଡିଣ୍ଡ୍ରା ଡଟ୍ଟିନ୍‌, ସ୍ନେହ ରାଣା, ଏସ. ମେଘନା, ଜର୍ଜିଆ ୱେୟାରହାମ୍‌, ମାନସୀ ଯୋଶୀ, ଡି. ହେମଲତା, ମୋନିକା ପଟେଲ୍‌, ତନୁଜା କନୱର୍‌, ସୁଷମା ବର୍ମା, ହର୍ଲି ଗାଲା, ଅଶ୍ୱନୀ କୁମାରୀ, ପାରୁନିକା ସିସୋଦିଆ ଓ ଶବନମ୍ ଇସମାଇଲ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking