ଭୁବନେଶ୍ୱର: ଏକ ଜନ ଶୁଣାଣି ମାମଲାରେ ସର୍ବୋଚ୍ଚ ନ୍ୟାୟଳୟ ଏକ ରାୟ ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ସରକାରୀ ବିଦ୍ୟାଳୟରେ ଜଣେ ଜଣେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟରେ ଏହା ଲାଗୁ ହୋଇ ପାରିନାହିଁ । ତେବେ ପୁଣି ସର୍ବୋଚ୍ଚ ନ୍ୟାୟାଳୟ ୨୦୨୨ ଜୁଲାଇ ୨୧ରେ ଆଦେଶ କଲେ ଯେ, ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ପାଇଁ ୧ ଜଣ ସ୍ୱତନ୍ତ୍ର ଶିକ୍ଷକ ଓ ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୧ ଜଣ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସ୍ଥିର କରିଛନ୍ତି ଏବଂ ଯଦି ଗୋଟିଏ ବିଦ୍ୟାଳୟରେ ଗୋଟିଏବି ଭିନ୍ନକ୍ଷମ ପିଲା ଅଛି ସେଠି ଜଣେ ସ୍ୱତନ୍ତ୍ର ଶିକ୍ଷକ ବାଧ୍ୟତାମୂଳକ ।
ଶିଶୁ ଶିକ୍ଷା ଅଧିକାରୀ ଆଇନ ଅନୁଯାୟୀ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୦ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀରେ ଏକ ସ୍ୱତନ୍ତ୍ର ଶିକ୍ଷକ ଓ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ୧୫ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀରେ ଏକ ସ୍ୱତନ୍ତ୍ର ଶିକ୍ଷକର ଅନୁପାତ ରହିବ ବାଧ୍ୟତାମୂଳକ କରାଯାଇଛି । ଗୋଟିଏ ସ୍କୁଲରେ ସର୍ବ ନିମ୍ନ ଜଣେ ସ୍ୱତନ୍ତ୍ର ଶିକ୍ଷକ ରହିବା ବାଧ୍ୟତାମୂଳକ ରହିଛି । ରାଜ୍ୟରେ ନିଯୁକ୍ତି ପକ୍ରିୟାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ୨୫ ଅଗଷ୍ଟ ୨୦୨୨ ରେ ପିଟିସନ କରାଯାଇଥିଲା । ତେବେ ଆଜି ସର୍ବୋଚ୍ଚ ନ୍ୟାୟଳୟର ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଉପରୋକ୍ତ ଅଦାଲତ ଅବମାନନା କେସର ଶୁଣାଣି କରି କ୍ଷୁବ୍ଧ ପ୍ରକାଶ କରିଥିଲେ ।
ସବୁ ରାଜ୍ୟ ବିଶେଷ ଆବଶ୍ୟକତା ରଖୁଥିବା ପିଲାମାନଙ୍କର ସଂଖ୍ୟା, ପଞ୍ଜୀକୃତ ସ୍ୱତନ୍ତ୍ର ଶିକ୍ଷକଙ୍କ ସଂଖ୍ୟା , ଖାଲି ପଡ଼ିଥିବା ପଦବୀ ସଂଖ୍ୟା, ଚୁକ୍ତିଭିତ୍ତିକ ଶିକ୍ଷକ ଏବଂ ପ୍ରକୃତରେ କାର୍ଯ୍ୟ କରୁଥିବା ଅସ୍ଥାୟୀ ଶିକ୍ଷକ ସଂଖ୍ୟା / ସ୍ୱତନ୍ତ୍ର ଶିକ୍ଷକଙ୍କ ସଂଖ୍ୟା , ନିର୍ଦ୍ଧାରିତ ସମୟ ସୀମା ଅନୁଯାଇ ପଦବୀ ପୂରଣ ଏବଂ ୨୮ ଅକ୍ଟୋବର ୨୦୨୧ ଏବଂ ୦୨ ମଇ ୨୦୨୨ ତାରିଖରେ ନିର୍ଦ୍ଦେଶ ଅନୁଯାୟୀ ପଦବୀ ପୂରଣ କରିବାକୁ ପ୍ରସ୍ତାବକୁ ଦୁଇ ସପ୍ତାହ ଭିତରେ ପ୍ରସ୍ତୁତ କରି ଆଫିଡେଭିଟ୍ ଜମା କରିବାକୁ କହିଛନ୍ତି । ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷାର ବିକାଶ ପାଇଁ ସର୍ବଦା ଚେଷ୍ଟିତ ସଂଘ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ (ଓଏସ୍ଇଏଫଡ଼ି) ପକ୍ଷରୁ ଦାବି କରାଯାଇଛି ଯେ ଯଦି ସର୍ବୋଚ୍ଚ ନ୍ୟାୟଳୟଙ୍କ ଆଦେଶକୁ ଅନୁପାଳନ କରାଗଲେ ଓଡ଼ିଶାର ପ୍ରାୟ ଛଅ ହଜାର ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇ ଉପକୃତ ହେବେ ।