କଟକ : ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏବଂ ବର୍ତ୍ତମାନର ବିଧାୟକ ସୌଭିକ ବିଶ୍ୱାଳଙ୍କୁ ହତ୍ୟା ଧମକ ଦିଆଯାଇଛି । ଏଣୁ ଡ.ବିଶ୍ୱାଳ ଆଜି ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗକୁ ଆଧାର କରି ଚାଉଳିଆଗଞ୍ଜ ପୁଲିସ ତନାଘନା ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ ସିଆର୍ଆର୍ଆଇ,ଚାଉଳିଆଗଞ୍ଜ,ମଧୁପାଟଣା ଓ ମାଲଗୋଦାମ ଅଞ୍ଚଳର କେତେକ ବ୍ୟକ୍ତି ତାଙ୍କର ଓ ସୌଭିକଙ୍କ ନାମରେ ଅଶାଳିନ ମନ୍ତବ୍ୟ ଧମକପୂର୍ଣ୍ଣ ବାକ୍ୟ ବ୍ୟବହାର କରିଛନ୍ତି ବୋଲି ପ୍ରଭାତ ଅଭିଯୋଗ କରିଛନ୍ତି । ଅଦାଲତରେ ଚିଟ୍ଫଣ୍ଡ ମାମଲା ବିଚାରାଧିନ ଥିବା ବେଳେ ଚିଟ୍ଫଣ୍ଡ ଚୋର ବୋଲି ଲେଖି କଦର୍ଯ୍ୟ ଫଟ ଥିବା ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଇଛି ବୋଲି ଏତଲାରେ ଦର୍ଶାଯାଇଛି ।
ଏଥିସହିତ ମାଲଗୋଦାମ ଥାନା ଅଞ୍ଚଳର ଶ୍ରୀରାମ ପାଣ୍ଡେ ନାମକ ବ୍ୟକ୍ତି ବର୍ତ୍ତମାନର ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଚୌଦ୍ୱାର-କଟକରୁ ଫିନିସ୍ କର ବୋଲି କହୁଥିବା ଏକ ଭିଡିଓ, ସୋସିଆଲ ମିଡ଼ିଆରେ ଭାଇରାଲ୍ କରାଯାଇଛି । ଏହିଭଳି ଅଶାଳିନ ମନ୍ତବ୍ୟ ଦ୍ୱାରା ତାଙ୍କର ମାନସିକ ସ୍ଥିତି ଠିକ୍ ରହୁନଥିବା ସହ ତାଙ୍କର ସମ୍ମାନରେ ହାନି ହେଉଛି ବୋଲି ପ୍ରଭାତ ଅଭିଯୋଗ କରିଛନ୍ତି । ବିଶେଷକରି ଡଃ ବିଶ୍ୱାଳ ନୂଆବଜାର ଅଞ୍ଚଳର ସତ୍ୟ ମହାନ୍ତି, ତିନିଘରିଆର ଫିରୋଜ ଖୁଣ୍ଟିଆ ,ଶିଖରପୁର ଅଞ୍ଚଳର ଗଣେଶ ଚନ୍ଦ୍ର ରାଉତ, ବିକାଶ ସ୍ୱାଇଁ ଏବଂ କଲେଜଛକ ଅଞ୍ଚଳର ଶ୍ରୀ ପାଣ୍ଡେଙ୍କ ବିରୋଧରେ ଏତଲାରେ ଦେଇଛନ୍ତି । ଏଥି ସହିତ ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯାଇ ବିଧିବଦ୍ଧ ଭାବେ ତଦନ୍ତ କରି ସେମାନଙ୍କ ବୁରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି ।