ଯାଜପୁର: ଯାଜପୁର ଜିଲ୍ଲାର ଯାଜପୁର ରୋଡରୁ ଧାମରାକୁ ରେଳସଂଯୋଗ ହେଲେ ବିରଜାକ୍ଷେତ୍ର, ଆଖଣ୍ଡଳମଣୀ, ଧାମରାଇମନ୍ଦିର, ଭିତରକନିକା ଅଭୟାରଣ୍ୟ, ପର୍ୟ୍ୟଟନଶିଳ୍ପର ବିକାଶ, କଳିଙ୍ଗନଗର, ନାଲ୍କୋର ଶିଳ୍ପାଞ୍ଚଳ ସହ ଧାମରାବନ୍ଦର ସଂଯୋଗୀକରଣ, ସୁକିନ୍ଦା, ତାଳଚେର, କେଉଁଝର ଜିଲ୍ଲାର କ୍ରୋମାଇଟ୍, କୋଇଲା, ଲୁହାପଥର ସରବରାହ, ବୈତରଣୀ, ଖରସ୍ରୋତା ଓ ସାଳନ୍ଦୀ ନଦୀର ଅବାବାହିକା ଅଞ୍ଚଳରେ କୃଷିଯାତ ଦ୍ରବ୍ୟ ଓ ନଦୀ ତଥା ସମୁଦ୍ରର ମତ୍ସ୍ୟସମ୍ପଦ ପରିବହନର ସୁବିଧା, ଡି.ଆର୍.ଡି.ଓ. ପ୍ରତିରକ୍ଷା ଗବେଷଣାକୁ ସାହାଯ୍ୟ କରି ବେକାରୀମାନଙ୍କୁ କର୍ମନିଯୁକ୍ତିର ସୁଯୋଗ ସମ୍ପ୍ରସାରିତ ହେବ ବୋଲି ବିଶିଷ୍ଟ ଶ୍ରମିକନେତା, ସ୍ତମ୍ଭକାର ମାୟାଧର ନାୟକ ପ୍ରେସ୍ ଇସ୍ତାହାରରେ ଲେଖିଛନ୍ତି ।
୧୯୧୨-୧୩ ରେଳ ବଜେଟ୍ର ସର୍ଭେ ମଞ୍ଜୁରୀ ସଂସ୍ଥାନୁଯାୟୀ – ଯାଜପୁରରୋଡ ଆଡୁ ମୁଣ୍ଡମାଳ, ଖଣ୍ଡାହତା, ଶଙ୍ଖଚିଲା, ରାମପୁର ଶଗଡି, ହାଟସାହି, କଳସଡିହ, ପୁରୁଷୋତ୍ତମପୁର, ଯାଜପୁର ଟାଉନ୍, ମିରଚାନ୍ଦପୁର, ଅକରପଡା, ପାଳଦା, ଗଙ୍ଗାଧରପୁର, ଶିରିପୁର, ଅସନପୁର, ପାଲଟପୁର, ଖାନନଗର, ମଙ୍ଗଳପୁର, ନଛିନ୍ଦ୍ରପୁର, ସୋଲପାଟ, ନୁଆପାଟଣା, ଆରଡି, ଶୀତଳପୁର, ଆମ୍ବୁଲ, ନୁଆଗାଁ, ଭୁଙ୍ଗି, ବିଶାଳି, ସିଂଗିତି, ପୋଖରୀସାହି, ଶୈଳେନ୍ଦ୍ରପଲ୍ଲୀ, ନରସିଂହପୁର, ଗୋବିନ୍ଦପୁର, ବଳଭଦ୍ର ପ୍ରସାଦ ଇତ୍ୟାଦି କୋରାଇ, ଯାଜପୁର, ଧାମନଗର ନିର୍ବାଚନ ମଣ୍ଡଳୀର ୩୨ଟି ଗାଁ ଦେଇ ରେଳଲାଇନ୍ ଯିବ । ପ୍ରତି ୧୨ କିଲୋମିଟରରେ ୮ଟି ରେଳ ଷ୍ଟେସନ୍ ପାଇଁ ୨ ଏକର ଲେଖାଏଁ ଏବଂ ୩୨ଟି ଗାଁ ବାଟେ ଗଲେ ଚଉଡା ଅଧ କିଲୋମିଟର ଜମି, ଘର, ଦୋକାନବଜାର ସବୁ ରେଳବାଇ ଅଧିଗ୍ରହଣ କରିବେ ।
ଶ୍ରୀ ନାୟକ କହିଲେ – ମୋଦି ସରକାର କାହିଁକି ଯାଜପୁରରୋଡ-ଧାମରା ରେଳଲାଇନ୍ ନିର୍ମାଣ କରୁନାହାଁନ୍ତି । ଯାଜପୁର, ଭଦ୍ରକ ଏମ୍.ପି. ତିନୋଟି ନିର୍ବାଚନ ମଣ୍ଡଳୀର ବିଧାୟକମାନେ କରୁଛନ୍ତି କ’ଣ ? ଏହି ରେଳପଥ ହେଲେ ରାଜ୍ୟ ତଥା ଦେଶର ବିକାଶ ହେବ, କିନ୍ତୁ କିଛି ନେତାଙ୍କର ଭୋଟ୍ ବ୍ୟାଙ୍କରେ ବାଧା ଉପୁଜିବ । ୩୨ଟି ଗାଁର ଜମିବାଡି, ଘରଦ୍ୱାର, ଦୋକାନବଜାର ଉଠାଇଲେ ଲୋକେ କ୍ଷତିପୂରଣ ପାଇଁ ଆନ୍ଦୋଳନ କରିବେ । ଏଥର କେନ୍ଦ୍ରର ରେଳମନ୍ତ୍ରୀ ଆମ ଓଡିଶାର ପ୍ରତିନିଧି ଅଶ୍ୱିନୀ ବୈଷ୍ଣବ । ଗୁଜୁରାଟ କ୍ୟାଡର ଆଇ.ଏ.ଏସ୍. ଅଶ୍ୱିନୀ ବାବୁ ପୂର୍ବରୁ ଓଡିଶାର ୩ଟି ଜିଲ୍ଲାରେ ଜିଲ୍ଲାପାଳ, ଅବସର ପରେ କଳିଙ୍ଗନଗର ବ୍ରାହ୍ମଣୀ ରିଭର ପ୍ୟାଲେଟ୍ (ବି.ଆର୍.ପି.ଏଲ୍.)ର ପରିଚାଳନା ନିର୍ଦ୍ଦେଶକ ଥିଲେ ।
ଏହି ବାବୁଙ୍କବେଳେ ବି.ଆର.ପି.ଏଲ୍.କୁ ତାମିଲନାଡୁର ପ୍ରଭାକରନ୍ – ତ୍ରିବେଣୀ କମ୍ପାନୀ ମାଲିକ ଓ ଜିନ୍ଦଲ ଷ୍ଟିଲ୍ ଲିମିଟେଡର ମାଲିକ ସଜ୍ଜନ ଜିନ୍ଦଲ, ଏ ଦୁହେଁ ବର୍ତ୍ତମାନ ମାଲିକ । ଏ ବୈଷ୍ଣବ ବାବୁ ବି.ଆର.ପି.ଏଲ୍. ଛାଡିବା ପରେ ବିଜେଡି ସମର୍ଥନରେ ବିଜେପି ପ୍ରତିନିଧି ରୂପେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ରେଳମନ୍ତ୍ରୀ ହେଲେ । ତେବେ କାହିଁକି ଯାଜପୁର ରୋଡ-ଧାମରା ରେଳପଥ ପାଇ ମନ ବଳାଉନାହାଁନ୍ତି । ୨୦୨୪ ନିର୍ବାଚନରେ ସେ ରହିବେ କି ନାହିଁ ସନ୍ଦେହ । ଏହି ୨୦୨୩ ଫେବୃଆରୀ ୨ରେ କେନ୍ଦ୍ରୀୟ ରେଳ ବଜେଟ୍ରେ ଯାଜପୁରରୋଡ-ଧାମରା ରେଳ ପ୍ରକଳ୍ପ ପାଇଁ ବ୍ୟୟ ବରାଦ ନକଲେ ଅବିଳମ୍ବେ ଯାଜପୁରରୋଡରେ ସବୁମାଲଗାଡିକୁ ଅଟକାଇଦେବୁ ବୋଲି ଶ୍ରୀ ନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି ।